ETV Bharat / city

ମାଲିକ ପାଇଁ ନାଗ ସହ ଲଢି ଜୀବନ ହାରିଲା ଟାଇସନ, ଝୁରୁଛନ୍ତି ସାଥୀ କୁକୁର

author img

By

Published : May 4, 2022, 7:40 PM IST

ସାପ ଓ କୁକୁର ମଧ୍ୟରେ ଲଢେଇରେ ସାପର ବାଜିମାତ୍ । ମାଲିକ ପାଇଁ ଲଢି ଲଢି ଶେଷରେ ଜୀବନ ହାରି ଦେଇଛି କୁକୁର । ଅଧିକ ପଢନ୍ତୁ

ମାଲିକ ପାଇଁ ନାଗ ସହ ଲଢ଼ି ଜୀବନ ହାରିଲା କୁକୁର
ମାଲିକ ପାଇଁ ନାଗ ସହ ଲଢ଼ି ଜୀବନ ହାରିଲା କୁକୁର

ଭୁବନେଶ୍ବର/କୋରାପୁଟ: ସାପ ଓ କୁକୁର ମଧ୍ୟରେ ଲଢେଇ । ଶେଷରେ ସାପ ବାଜିମାତ୍ କରି ଥିବାବେଳେ ଜୀବନ ହାରିଛି କୁକୁର ଟାଇସନ । ଏପରି ଚିତ୍ର ଦେଖିବାକୁ ମିଳିଛି କୋରାପୁଟର ସୁନାବେଡା ପବ୍ଲିକ ସ୍କୁଲରେ । ପରେ ସାପକୁ ଉଦ୍ଧାର କରି ପ୍ରାକୃତିକ ଆବାସସ୍ଥଳରେ ଛାଡି ଦିଆଯାଇଛି ।

ସୁନାବେଡା ପବ୍ଲିକ ସ୍କୁଲ ହତାରେ ରହୁଥିଲେ ଟାଇସନ ସମେତ ବକ୍ସର ବ୍ରିଡ଼ର 4 କୁକୁର । କୁକୁର ରହିଥିବା ହତା ଭିତରକୁ ପଶି ଆସିଥିଲା ଏକ ସାଢ଼େ 3 ଫୁଟିଆ ନାଗ ସାପ । ସାପକୁ ଦେଖି ଅନ୍ୟ 3 ଜଣ ସାଥୀ ଦୂରକୁ ଚାଲି ଯାଇଥିଲେ । ହେଲେ ବିଶ୍ୱସ୍ତ ଟାଇସନ, ତା'ର ମାଲିକ ପାଇଁ ବିଷଧର ନାଗ ସହ ଲଢ଼ିଥିଲା । ଗତକାଲି(ମଙ୍ଗଳବାର) ସନ୍ଧ୍ୟା ପ୍ରାୟ 8.45 ବେଳେ ଏହି ଘଟଣା ଘଟିଥିଲା, କିନ୍ତୁ ସ୍କୁଲର କୌଣସି ବ୍ୟକ୍ତି ଦେଖି ପାରିନଥିଲେ । ଟାଇସନ ଭୁକିବା ଶୁଣି ସ୍କୁଲ କର୍ମଚାରୀ ନାଗସାପକୁ ଉଦ୍ଧାର କରିବା ପାଇଁ ସ୍ନେକ ହେଲ୍ପ ଲାଇନକୁ ଅନୁରୋଧ କରିଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଜିତ କୁମାର ମହାନ୍ତି ଘଟଣାସ୍ଥଳରେ ପହଞ୍ଚିଥିଲେ ।

ମାଲିକ ପାଇଁ ନାଗ ସହ ଲଢ଼ି ଜୀବନ ହାରିଲା କୁକୁର
ସାପକୁ ଉଦ୍ଧାର କରିବା ସମୟରେ ଚଟାଣରେ ରକ୍ତ ଛିଟା ପଡିବା ଦେଖିବାକୁ ପାଇଥିଲେ ସୁଜିତ । କିନ୍ତୁ ସାପ ଦେହରେ କୌଣସି କ୍ଷତ ହୋଇନଥିଲା । ତେଣୁ ଚଟାଣରେ ରକ୍ତ ପଡିବା ଘଟଣାକୁ ସୁଜିତ ସହଜରେ ହଜମ କରି ପାରିନଥିଲେ । ଘର ଭିତରେ ବନ୍ଦଥିବା କୁକୁରଙ୍କୁ ନିରୀକ୍ଷଣ କରିବାରୁ ଟାଇସନ ହଲଚଲ ନ ହୋଇ ଶୋଇଥିବା ଦେଖିବାକୁ ପାଇଥିଲେ । କୁକୁର ମୁହଁରେ ରକ୍ତ ଲାଗିବା ସହ ମୁହଁ ଫୁଲି ଯାଇଥିଲା । ଅର୍ଥାତ, ନାଗ ସାପ ଟାଇସନର ମୁହଁକୁ ହିଁ କାମୁଡି ଥିବା ସନ୍ଦେହ ସୃଷ୍ଟି ହୋଇଥିଲା । ଏ ବାବଦରେ ସୁଜିତ ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଜଣାଇଥିଲେ । ଏହାପରେ ଟାଇସନକୁ ପ୍ରାଣୀ ଚିକିତ୍ସାକେନ୍ଦ୍ରକୁ ନିଆଯାଇଥିଲା ।ମାତ୍ର ସାପ ଆଘାତରେ କୁକୁର ଟାଇସନର ଜୀବନ ଚାଲି ଯାଇଥିଲା । ସେପଟେ ନାଗସାପକୁ ଉଦ୍ଧାର କରି ସୁଜିତ ନିକଟସ୍ଥ ପ୍ରାକୃତିକ ଆବାସ ସ୍ଥଳରେ ଛାଡି ଦେଇଛନ୍ତି । ଶୁଭେନ୍ଦୁ କହିଛନ୍ତି ଯେ, ମଣିଷ ପାଇଁ ସାପ କାମୁଡା ଇଞ୍ଜେକ୍ସନ ବା ଆଣ୍ଟି ଭେନମ(ASV) ସରକାରୀ ଡାକ୍ତରଖାନାରେ ଉପଲବ୍ଧ । ତେବେ ପଶୁ ଆଦି ଗୃହପାଳିତ ପ୍ରାଣୀମାନଙ୍କୁ ସାପ କାମୁଡ଼ିଲେ, ଆଣ୍ଟି ଭେନମ ଯୋଗାଡ଼ ହୋଇପାରେ ନାହିଁ । ସରକାରୀ ଡାକ୍ତରଖାନାରେ ଯଦିଓ ଆଣ୍ଟି ଭେନମ ମହଜୁଦ ରହିଥାଏ, ତାହା କେବଳ ମଣିଷମାନଙ୍କ ପାଇଁ ଉଦ୍ଦିଷ୍ଟ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଏବଂ କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.