ETV Bharat / city

Cabinet Decisions: ଉଗ୍ରବାଦୀ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଚାଲିବ 4G ସେବା

author img

By

Published : Apr 28, 2022, 10:40 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସାର୍ବଜନୀନ ସେବା ଦାୟିତ୍ବ ପାଣ୍ଠି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ତଦନୁସାରେ ଦେଶରେ ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳଗୁଡିକରେ ଥିବା ୨ଜି ମୋବାଇଲ ସେବାକୁ ୪ଜିକୁ ଉନ୍ନୀତ କରାଯିବ । ଅଧିକ ପଢନ୍ତୁ

ଉଗ୍ରବାଦୀ ମାଓବାଦୀ  ପ୍ରଭାବିତ ଅଞ୍ଚଳରେ ଚାଲିବ 4G ସେବା
ଉଗ୍ରବାଦୀ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଚାଲିବ 4G ସେବା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସାର୍ବଜନୀନ ସେବା ଦାୟିତ୍ବ ପାଣ୍ଠି (ୟୁନିଭର୍ସାଲ ସର୍ଭିସ ଓବ୍ଲିଗେସନ ଫଣ୍ଡ ବା ୟୁଏସଓଏଫ) ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ତଦନୁସାରେ ଦେଶରେ ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳଗୁଡିକରେ ଥିବା ୨ଜି ମୋବାଇଲ ସେବାକୁ ୪ଜିକୁ ଉନ୍ନୀତ କରାଯିବ ।

ବିଶେଷତଃ ଏସବୁ ଅଞ୍ଚଳର ନିରାପତ୍ତା ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଥିବା ୨ଜି ମୋବାଇଲ ସାଇଟ ଗୁଡିକୁ ୪ଜିରେ ପରିଣତ କରାଯିବ । ପ୍ରଥମ ପର୍ଯ୍ୟାୟରେ ଏସବୁ ଉଗ୍ରବାଦୀ/ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଥିବା ୨ ହଜାର ୩୪୩ ଟି ୨ଜି ମୋବାଇଲ ସାଇଟକୁ ୪ଜିରେ ପରିଣତ କରାଯିବ । ଏଥିପାଇଁ ଆନୁମାନିକ ୧୮୮୪.୫୯ କୋଟି ଟଙ୍କା ଖର୍ଚ୍ଚ ହେବ। ଯେଉଁ ମୋବାଇଲ ସାଇଟଗୁଡିକ ୨ଜିରୁ ୪ଜିକୁ ଉନ୍ନୀତ ହେବ ତାହାର ରକ୍ଷଣାବେକ୍ଷଣ ଓ ପରିଚାଳନା ସମ୍ପୃକ୍ତ ସଂସ୍ଥାକୁ ପାଞ୍ଚବର୍ଷ ଯାଏଁ କରିବାକୁ ପଡିବ ।

ତେବେ ଏହି ପାଞ୍ଚବର୍ଷ ରକ୍ଷଣାବେକ୍ଷଣ ପରେ ସମ୍ପୃକ୍ତ ସାଇଟ ଗୁଡିକର ପରିଚାଳନା ଓ ଦେଖାଶୁଣା କାମ ଭାରତ ସଞ୍ଚାର ନିଗମ ଲିମିଟେଡ(BSNL) ନିଜ ଖର୍ଚ୍ଚରେ କରିବ । ତେବେ ଏସବୁ ମୋବାଇଲ ସାଇଟ ଗୁଡିକ ବିଏସଏନଏଲ ସମ୍ପତ୍ତି ହୋଇଥିବାରୁ ଏହାର ଆଧୁନିକୀକରଣ ଓ ଉନ୍ନତୀକରଣ କାମ ବିଏସଏନଏଲକୁ ଦେବାକୁ ନିଷ୍ପତ୍ତି ହୋଇଛି ।

ମାଓବାଦୀ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳରେ ଏବେ ଯେଉଁ ୨ଜି ମୋବାଇଲ ସେବା ଚାଲିଛି ଏହାର ରକ୍ଷଣାବେକ୍ଷଣ ଓ ପରିଚାଳନା ନିମନ୍ତେ ବିଏସଏନଏଲକୁ ଅର୍ଥ ଯୋଗାଇ ଦେବାକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୫ବର୍ଷର ଚୁକ୍ତିବଦ୍ଧ ସମୟସୀମା ବାହାରେ ବିଏସଏନଏଲ ଏହି ସାଇଟ ଗୁଡିକର ରକ୍ଷଣାବେକ୍ଷଣ ଓ ପରିଚାଳନା କରିପାରିବ । ଏଥିପାଇଁ ୫୪୧.୮୦କୋଟି ଟଙ୍କା ଖର୍ଚ୍ଚ ହେବ । କ୍ୟାବିନେଟ ଅନୁମୋଦନର ତାରିଖଠାରୁ ୧୨ ମାସ କିମ୍ବା ୪ଜି ସାଇଟ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ଯେଉଁଟି ଆଗ ତାହାକୁ କାର୍ଯ୍ୟକାଳ ବୃଦ୍ଧି ସମୟ ଭାବେ ଗ୍ରହଣ କରାଯିବ ।

ଏହି ଉନ୍ନୟନ ଓ ପରିବର୍ତ୍ତନ ପ୍ରକ୍ରିୟା ଫଳରେ ଉଗ୍ରବାଦୀ/ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ ଓ ଡାଟା ସେବାରେ ଉନ୍ନତି ଆସିବ । ଏହା ଫଳରେ ସେ ଅଞ୍ଚଳରେ ମୁତୟନ ହେଉଥିବା ନିରାପତ୍ତା କର୍ମଚାରୀଙ୍କ ଯୋଗାଯୋଗ ଆବଶ୍ୟକତା ପୂରଣ ହେବ । ଏହାଛଡା ଗ୍ରାମାଞ୍ଚଳକୁ ଉନ୍ନତ ମୋବାଇଲ ଓ ଇଣ୍ଟରନେଟ ସେବା ଯୋଗାଇ ଇ-ପ୍ରଶାସନକୁ ସୁଦୃଢ କରିବାକୁ ସରକାର ଯେଉଁ ଉଦ୍ୟମ କରୁଛନ୍ତି ତାହା ମଧ୍ୟ ଏହି ପ୍ରକ୍ରିୟା ଦ୍ବାରା ଅନେକାଂଶରେ ପୂରଣ ହେବ । ୪ଜି ସେବା ଏହି ସବୁ ଅଞ୍ଚଳରେ ବ୍ୟାଙ୍କ, ଟେଲିମେଡିସିନ, ଟେଲି ଶିକ୍ଷା ଓ ଟେଲି ଯୋଗାଯୋଗ କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.