ETV Bharat / city

ଗାଁ ପରେ ସହର ଦଖଲ କଲା ବିଜେଡି, ୩ ମେୟର ମୁକୁଟ ପିନ୍ଧିଲେ ବିଜେଡି ପ୍ରାର୍ଥୀ

author img

By

Published : Mar 27, 2022, 9:33 AM IST

ପ୍ରାୟ ଦୁଇ ବର୍ଷ ବିଳମ୍ବରେ 3 ମହାନଗର ନିଗମ ପାଇଛି ନୂଆ ମେୟର । ବିଜେଡି କବଜାକୁ ଯାଇଛି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମର ପ୍ରଥମ ନାଗରିକ ପୋଷ୍ଟ । ପଞ୍ଚାୟତ ପରେ ପୌର ନିର୍ବାଚନରେ ବିଜେଡି ଦର୍ଜ କରିଛି ଐତିହାସିକ ବିଜୟ । ଅଧିକ ପଢନ୍ତୁ

୩ ମେୟର ମୁକୁଟ ପିନ୍ଧିଲେ ବିଜେଡି ପ୍ରାର୍ଥୀ
୩ ମେୟର ମୁକୁଟ ପିନ୍ଧିଲେ ବିଜେଡି ପ୍ରାର୍ଥୀ

ଭୁବନେଶ୍ବର: ପ୍ରାୟ ଦୁଇ ବର୍ଷ ବିଳମ୍ବରେ 3 ମହାନଗର ନିଗମ ପାଇଛି ନୂଆ ମେୟର । ବିଜେଡି କବଜାକୁ ଯାଇଛି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମର ପ୍ରଥମ ନାଗରିକ ପୋଷ୍ଟ । ପଞ୍ଚାୟତ ପରେ ପୌର ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ । ପ୍ରଥମ ଥର ପାଇଁ ହୋଇଥିବା ସିଧାସଳଖ ନିର୍ବାଚନରେ 3 ମହାନଗର ନିଗମରେ ବିଜୟୀ ହୋଇଛନ୍ତି ବିଜେଡି ମେୟର ପ୍ରାର୍ଥୀ ।

ଭୁବନେଶ୍ବରରେ ସାମ୍ବାଦିକରୁ ନେତ୍ରୀ ହୋଇଥିବା ସୁଲୋଚନା ଦାସ ବିଜୟୀ ହୋଇଛନ୍ତି । ସେହିପରି କଟକରେ ଅନୁଭବୀ ସୁବାସ ସିଂ ଏବଂ ବ୍ରହ୍ମପୁରରେ ସଂଘମିତ୍ରା ଦଳେଇ ବମ୍ପର ବିଜୟ ହାସଲ କରିଛନ୍ତି । ଅନେକ ବିଚାର ବିମର୍ଷ ପରେ ଏହି 3 ନେତାଙ୍କ ଉପରେ ଭରସା କରିଥିଲା ଦଳ । ତିନିଜଣ ଦଳର ଏହି ଭରସାକୁ ବୃଥା ଯିବାକୁ ଦେଇନାହାନ୍ତି । ଦଳର ଗଡ଼ ରକ୍ଷା କରିବା ସହ ଅଦ୍ଭୂତପୂର୍ବ ସଫଳତା ଆଣି ଦେଇଛନ୍ତି ।

ଭୁବନେଶ୍ବର ମହାନଗର ନିଗମରେ ବିଜେଡି ପ୍ରାର୍ଥିନୀ ସୁଲୋଚନା ଦାସ ନିକଟତର ପ୍ରତିଦ୍ବନ୍ଦୀଙ୍କୁ 61 ହଜାର 487 ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଛନ୍ତି । ସୁଲୋଚନାଙ୍କୁ ମୋଟ 1 ଲକ୍ଷ 74 ହଜାର 487 ଖଣ୍ଡ ଭୋଟ ମିଳିଛି । ଟ୍ରେଣ୍ଡିଂରେ ଟକ୍କର ଦେଉଥିବା ବିଜେପିର ସୁନୀତି ମୁଣ୍ଡଙ୍କୁ 1 ଲକ୍ଷ 13 ହଜାର 400 ଭୋଟ୍ ପାଇ ପଛରେ ପଡି ଯାଇଛନ୍ତି । ନୂଆ ଚେହେରା ଦେଇ ନୂଆ କିଛି କରିବାକୁ ପ୍ରୟାସ କରିଥିବା କଂଗ୍ରେସ ଅତ୍ୟନ୍ତ ଲଜ୍ଜାଜନକ ପ୍ରଦର୍ଶନ କରିଛି । କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମିଳିଛି ମାତ୍ର 11 ହଜାର 6 ଖଣ୍ଡ ଭୋଟ ।

ସୁବାସଙ୍କ ରାଜନୈତିକ ଅନୁଭବ କଟକରେ ବିଜେଡିକୁ ବଡ଼ ବିଜୟ ଆଣି ଦେଇଛି। 2019 ସାଧାରଣ ନିର୍ବାଚନରେ କଟକ-ବାରବାଟୀ ଆସନରୁ ପରାଜିତ ହୋଇଥିଲା ବିଜେଡି । ତେଣୁ ବିଜେଡି ଲାଗି କଟକ ମହାନଗର ଆସନ ଚ୍ୟାଲେଞ୍ଜ ଥିଲା । ବହୁ ତର୍କ ବିତର୍କ ପରେ ସୁବାସ ସିଂଙ୍କୁ କଟକ ମେୟର ପ୍ରାର୍ଥୀ କରିଥିଲା ବିଜେଡି । ଦଳ ଓ ଦଳର ସଭାପତି କରିଥିବା ବିଶ୍ଵାସକୁ ଭାଙ୍ଗି ନାହାନ୍ତି ସୁବାସ । ସୁବାସ 45 ହଜାର 206 ଖଣ୍ଡ ଭୋଟରେ ଜିତି କଟକ ମେୟର ପଦ ଦଖଲ କରିଛନ୍ତି । ସୁବାସଙ୍କୁ ମୋଟ 1 ଲକ୍ଷ 13 ହଜାର 562 ଖଣ୍ଡ ଭୋଟ ମିଳିଛି । ଟେଣ୍ଡିଂରେ କଂଗ୍ରେସର ଭେଟରାନ ପ୍ରାର୍ଥିନୀ ଗିରିବାଳା ବେହେରା ସୁବାସଙ୍କୁ ଦେଇଥିଲେ କଡା ଟକ୍କର । ଏମିତିକି ବିଭିନ୍ନ ସମୟରେ ସୁବାସଙ୍କୁ ପଛରେ ପକେଇଥିଲେ ଗିରିବାଳା ।

ସୁବାସଙ୍କୁ ନେଇ ଦଳ ଖେଳିଥିବା ମାଷ୍ଟର ଷ୍ଟ୍ରୋକ ଫେଲ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା । କିନ୍ତୁ ଦିନ ଗଢ଼ିବା ସହ କମବ୍ୟାକ କରିଥିଲେ ସୁବାସ । ଭୋଟ ବ୍ୟବଧାନ ବଢିବା ସହ ସୁବାସଙ୍କ ସପକ୍ଷରେ ଯାଇଥିଲା ଫଳାଫଳ । ଗିରିବାଳା 68 ହଜାର 356 ଖଣ୍ଡ ଭୋଟ ମିଳିଥିଲା । ସେପଟେ ଅଭିନେତାରୁ ନେତା ହୋଇଥିବ ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ଭୋଟ ରଥ 49 ହଜାର 223 ଖଣ୍ଡରେ ଅଟକି ଯାଇଥିଲା । ଜିତିବି ନହେଲେ ଶିଖିବି ନାରା ଦେଇ ନିର୍ବାଚନକୁ ଆସିଥିବା ଶ୍ରୀତମଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି ।

ଅନ୍ୟପଟେ ଆଇନଜୀବୀରୁ ରାଜନୀତିକୁ ଆସିଥିବା ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ପ୍ରାର୍ଥିନୀ ସଂଘମିତ୍ରା ଦଳେଇ ବିଜୟ ବାନା ଉଡାଇଛନ୍ତି । 20 ହଜାର 286 ଖଣ୍ଡ ଭୋଟରେ ସେ ବିଜୟୀ ହୋଇଛନ୍ତି । ସଂଘମିତ୍ରା ମୋଟ 66 ହଜାର 68 ଖଣ୍ଡ ଭୋଟ ପାଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ସବିତା ସୁଆର 45 ହଜାର 782 ଭୋଟ ପାଇଛନ୍ତି । ଅନ୍ୟ ପଟେ ଚକିତ କରିଛନ୍ତି ଆପ୍ ପ୍ରାର୍ଥୀ ସି. ସ୍ରିୟଙ୍କା । କଂଗ୍ରେସକୁ ହଟେଇ ତୃତୀୟ ସ୍ଥାନରେ ରହିଛନ୍ତି ସି. ସ୍ରିୟଙ୍କା । ତାଙ୍କୁ 7 ହଜାର 453 ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମଞ୍ଜୁ ରଥଙ୍କୁ 6 ହଜାର 768 ଖଣ୍ଡ ଭୋଟ ମିଳିଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.