ବୟସ ପାଇଁ ବିଗିଡିଥିଲା କି ପ୍ରେମିକ ମନ ? ସୁରେଖା ମୃତ୍ୟୁ ପଛରେ ଥାଇପାରେ ଏମିତି କିଛି କାରଣ

author img

By

Published : Jan 12, 2022, 9:43 AM IST

ଭରତପୁର ହତ୍ୟାକାଣ୍ଡ: ବୟସ ପାଇଁ ବିଗିଡିଥିଲା କି ପ୍ରେମିକର ମନ ?

ଭରତପୁର ତାରିଣୀ ବସ୍ତି ସୁରେଖା ପଲେଇ ସନ୍ଦେହଜନକ ମୃତ୍ୟୁ ଘଟଣା । ବୟସର ତାରତମ୍ୟ ଯୋଗୁଁ ପୁରୁଷ ବନ୍ଧୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜଧାନୀ ଭରତପୁର ତାରିଣୀ ବସ୍ତିର ସୁରେଖା ପଲେଇଙ୍କ ସନ୍ଦେହଜନକ ମୃତ୍ୟୁ । ବୟସର ତାରତମ୍ୟ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ମୃତ ସୁରେଖାଙ୍କ ବୟସ ୩୨ ବର୍ଷ ହୋଇଥିବାବେଳେ ତାଙ୍କ ପୁରୁଷ ବନ୍ଧୁ ଛୋଟୁର ବୟସ ମାତ୍ର ୧୮ ବର୍ଷ ଥିଲା । ଯୁବତୀ ଜଣକ ଛୋଟୁ ସହ ସଂସାର କରିବାକୁ ସ୍ବପ୍ନ ଦେଖିଥିଲେ । ହେଲେ ଛୋଟୁ ଅନ୍ୟ ଝିଅଙ୍କ ସହ ମିଳାମିଶା କରୁଥିଲା । ଏପରିକି ବୟସର ତାରତମ୍ୟ ନେଇ ସେ ସୁରେଖାଙ୍କୁ କଟୁ କଥା ମଧ୍ୟ କହୁଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ଥର କଥା କଟାକଟି ମଧ୍ୟ ହୋଇଥିଲା । ଏହିସବୁ ଘଟଣାକୁ କେନ୍ଦ୍ରକରି ଯୁବତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ଗତ ସୋମବାର ଦିନ ସୁରେଖାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଯାହା ସୂଚନା ରହିଛି, ଘଟଣା ଘଟିବା ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଛୋଟୁ ଘରେ ଏକ ପାର୍ଟି ଚାଲିଥିଲା । ଛୋଟୁର ଦୁଇ ତିନି ଜଣ ସାଙ୍ଗ ସହ ସୁରେଖା ସେଠାରେ ଉପସ୍ଥିତ ଥିଲେ । ସକାଳୁ ସମସ୍ତେ ନିଦରୁ ଉଠିବା ପରେ ସୁରେଖାଙ୍କ ବେକ ଟାଉଲରେ ଛନ୍ଦି ହେବା ସହ ସେ ତଳେ ପଡିଥିବା ଦେଖାଯାଇଥିଲା । ତେବେ ଏହା ଆତ୍ମହତ୍ୟା ନା ଯୋଜନାବଦ୍ଧ ହତ୍ୟାକାଣ୍ଡ ତାହା ସ୍ପଷ୍ଟ ହୋଇନଥିବା ବେଳେ ମାମଲାର ଖିଅ ଖୋଜୁଛି କମିଶନରେଟ୍ ପୋଲିସ । ସେପଟେ ଘଟଣା ପରଠୁ ପୁରୁଷ ବନ୍ଧୁ ଛୋଟୁ ଫେରାର୍ ରହିଛି । ଯାହା ହତ୍ୟାକାଣ୍ଡ ସନ୍ଦେହକୁ ଘନୀଭୂତ କରିଛି । ପୋଲିସ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଥିବାବେଳେ ଘଟଣାରେ ୬ ଜଣକୁ ଅଟକ ରଖି ପଚରାଉଚରା କରାଯାଉଛି ।

ଗତବର୍ଷ ସମାନ ଢଙ୍ଗରେ ଫୁଲେଶ୍ୱରୀ ବସ୍ତିରେ ମଧ୍ୟ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଥିଲା । ପରକୀୟା ପ୍ରୀତିକୁ କେନ୍ଦ୍ରକରି ମହିଳାଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଥିଲେ ଅଭିଯୁକ୍ତ । ବସ୍ତିରେ ଅପରାଧ ଓ ଅପରାଧୀଙ୍କୁ ନଜର ରଖିବା ପାଇଁ ପୋଲିସ ବସ୍ତିକୁ ଚାଲ ଅଭିଯାନ ଜାରି ରଖିଛି । ଏହାସତ୍ତ୍ବେ ବି ବସ୍ତିରେ ଗୋଟିଏ ପରେ ଗୋଟିଏ ଗୋଟିଏ ହତ୍ୟାକାଣ୍ଡ ଘଟି ଚାଲିଛି । ଯାହା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.