ETV Bharat / business

Tech Layoffs: ଅଧା ହୋଇନି ଫେବୃଆରୀ ମାସ, ବିଶ୍ବସ୍ତରରେ ଚାକିରି ହରେଇଲେଣି ୧୭୪୦୦ Tech କର୍ମଚାରୀ

author img

By

Published : Feb 12, 2023, 6:34 PM IST

ବଡ଼ବଡ଼ ଟେକ୍ନୋଲୋଜି କମ୍ପାନୀରେ ଜାରି ରହିଛି ଛଟେଇ ପ୍ରକ୍ରିୟା । ଫେବୃଆରୀ ମାସ ଅଧା ହୋଇନଥିବା ବେଳେ ଏଯାବତ ୧୭୪୦୦ କର୍ମଚାରୀ ଚାକିରି ହରାଇଥିବା ବେଳେ ଜାନୁଆରୀ ଚାକିରି ହରାଇଛନ୍ତି ୧ ଲକ୍ଷ କର୍ମଚାରୀ । ଅଧିକ ପଢନ୍ତୁ

Tech Layoffs
Tech Layoffs

ନୂଆଦିଲ୍ଲୀ: ଗତ କିଛି ମାସ ଧରି ଟେକ୍ନୋଲୋଜି କମ୍ପାନୀରେ କର୍ମଚାରୀଙ୍କୁ ଛଟେଇ ପ୍ରକ୍ରିୟା ଜାରି ରହିଛି । ବିଶ୍ବସ୍ତରରେ ଫେବୃଆରୀ ମାସରେ ୧୭ ହଜାର ୪୦୦ କର୍ମଚାରୀ ନିଜ ଚାକିରି ହରାଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ମାସ ଅଧା ହୋଇନଥିବା ବେଳେ ଏତେ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରିଛି ବିଭିନ୍ନ ଟେକ୍ନୋଲୋଜି କମ୍ପାନୀ । ୨୦୨୩ରେ ଏଯାବତ ବିଶ୍ବରେ ୩୪୦ କମ୍ପାନୀ ୧.୧୦ ଲକ୍ଷ କର୍ମଚାରୀଙ୍କୁ ଛଟେଇ କରିଥିବା ଜଣାପଡ଼ିଛି । ବିଶ୍ବର ବଡ଼ବଡ଼ କମ୍ପାନୀ ମଧ୍ୟ ଏହି ଛଟେଇ ପ୍ରକ୍ରିୟାରେ ସାମିଲ ରହିଛନ୍ତି ।

ଚଳିତ ମାସ (ଫେବୃଆରୀ) ପ୍ରାରମ୍ଭରୁ ବିଶ୍ବର ବଡ଼ବଡ଼ କମ୍ପାନୀ ଯେପରିକି Yahoo, BYJU's, GitHub, eBey, Auto Desk ନିଜ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଛନ୍ତି । ଚାକିରି ହରାଉଥିବା ଏହି କର୍ମଚାରୀଙ୍କ ମଧ୍ୟରେ କେବଳ ଫ୍ରେସର ନୁହେଁ, ବରଂ ୬ରୁ ୭ବର୍ଷ ଚାକିରି ଅଭିଜ୍ଞତା ଥିବା କର୍ମଚାରୀ ମଧ୍ୟ ସାମିଲ ରହିଛନ୍ତି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଅବୈଧ କାରଣ ଦର୍ଶାଇ କର୍ମଚାରୀମାନଙ୍କୁ ଛଟେଇ କରୁଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ଲିଙ୍କ୍ଡଇନ ଭଳି ଆପ୍‌ରେ ଚାକିରି ଖୋଜୁଥିବା ଛଟେଇ କର୍ମଚାରୀମାନେ ଏହା ପ୍ରକାଶିତ କରିଛନ୍ତି ।

ଏହା ବି ପଢନ୍ତୁ- Yahoo in Layoff Spree : 1,600 କର୍ମଚାରୀଙ୍କୁ ଚାକିରିରୁ ବିଦା କରିବ ୟାହୁ

ଜାନୁଆରୀରେ ଚାକିରି ହରେଇଲେଣି ୧ଲକ୍ଷ:- Layoffs.fyiର ରିପୋର୍ଟ ଅନୁସାରେ ଜାନୁଆରୀ ମାସରେ ବିଶ୍ବ ସ୍ତରରେ ପ୍ରାୟ ୧ଲକ୍ଷ କର୍ମଚାରୀ ଚାକିରି ହରାଇଛନ୍ତି । କେବଳ ଜାନୁଆରୀ ମାସରେ ବିଶ୍ବରେ ୨୮୮ରୁ ଅଧିକ କମ୍ପାନୀ ଏହି ଛଟେଇ କରୁଥିବା ବେଳେ ପ୍ରତିଦିନ ୩୩୦୦ କର୍ମଚାରୀ ଚାକିରି ହରାଇଛନ୍ତି । କମ୍ପାନୀ କ୍ଷତି ସହୁଥିବାରୁ ଏହି ଛଟେଇ ପ୍ରକ୍ରିୟା ଆରମ୍ଭ କରିଥିବା ଆଶଙ୍କା କରାଯାଉଛି । ଗତବର୍ଷ ନଭେମ୍ବର ମାସରେ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା ମେଟା(ଫେସବୁକ) । ଏବେ ଏହି ଲୋକପ୍ରିୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ କମ୍ପାନୀ ନିଜ କର୍ମଚାରୀଙ୍କ ସଂଖ୍ୟାକୁ ଆହୁରି ସୀମିତ କରିବା ଲାଗି ଆଗକୁ ପୁଣି ଛଟେଇ କରିବ ବୋଲି ସୂଚନା ମିଳିଛି ।

୨୦୨୨ରେ ୧.୫ଲକ୍ଷରୁ ଅଧିକ କର୍ମଚାରୀଙ୍କ ଛଟେଇ:- ଗତ ୨୦୨୨ ମସିହାରେ ୧୦୦୦ରୁ ଅଧିକ କମ୍ପାନୀ ପ୍ରାୟ ୧ ଲକ୍ଷ ୫୪ ହଜାର ୩୩୬ କର୍ମଚାରୀଙ୍କୁ ଛଟେଇ କରିଛି । ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ଏପରି ଛଟେଇ ଅଭିଯାନ ଜାରି ରଖିଥିବା ବେଳେ କର୍ମଚାରୀମାନେ କୋରୋନା କାଳରେ ଚାକିରି ହରାଇ ବେଶ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଯାବତ ପ୍ରାୟ ୨.୫ ଲକ୍ଷ କର୍ମଚାରୀ ଚାକିରି ହରାଇଥିବା ଜଣାପଡ଼ିଛି ।

୨.୫ଲକ୍ଷରୁ ଅଧିକ ହରେଇଲେଣି ଚାକିରି:- ଟ୍ବିଟରରୁ ଆରମ୍ଭ ହୋଇଥିବା ଛଟେଇ ଅଭିଯାନ ଥମିବାର ନାଁ ନେଉନାହିଁ । ଟ୍ବିଟର ପରେ ଅନେକ IT କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଗୁଗୁଲ, ଆମାଜନ, ଓଲା, ମିଶୋ, ଓୟୋ, ଉଡାନ, ଅନଏକାଡେମୀ, ବେଦାନ୍ତୁ, ଚାର୍ଜବି, ଲିଡ୍‌, ମାଇକ୍ରୋସଫ୍ଟ, ଡେଲ୍‌ ଭଳି କମ୍ପାନୀ ମଧ୍ୟ ଏଥିରେ ସାମିଲ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.