ETV Bharat / bharat

ଶୋଇଥିବା ସମୟରେ ଘରେ ଲାଗିଲା ନିଆଁ, ମା’ ଓ 4 ଶିଶୁ ଜୀବନ୍ତ ଦଗ୍ଧ

author img

By

Published : May 11, 2023, 7:56 AM IST

ଶୋଇଥିବା ସମୟରେ ଘରେ ନିଆଁ ଲାଗି ଗୋଟିଏ ପରିବାରର 5 ଜଣଙ୍କର ମୃତ୍ୟୁ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

Woman and her four children charred to death
Woman and her four children charred to death

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କୁଶୀନଗର ଜିଲ୍ଲାରେ ଅଭାବନୀୟ ଘଟଣା । ଶୋଇଥିବା ସମୟରେ ଘରେ ଲାଗିଲା ନିଆଁ । ଗୋଟିଏ ପରିବାରର 5ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା । ମାଥିଆ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏପରି ଅଘଟଣ ଘଟିଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଥିବା ବେଳେ ତାଙ୍କ 4 ଶିଶୁ ରହିଛନ୍ତି । ମୃତ ମହିଳା ଜଣଙ୍କ ହେଉଛନ୍ତି ଫତିମା । ମୃତ ଶିଶୁଙ୍କ ବୟସ 4ରୁ 6 ବର୍ଷ ମଧ୍ୟରେ ରହିଛି । ଅଗ୍ନିକାଣ୍ଡରେ ଅନ୍ୟ 2 ଜଣ ଆହତ ମଧ୍ୟ ହୋଇଛନ୍ତି । କେଉଁ କାରଣରୁ ଘରେ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

ଏନେଇ ଜିଲ୍ଲାପାଳ ରମେଶ ରଞ୍ଜନ କହିଛନ୍ତି ଯେ, ''ରାମକୋଲା ପୋଲିସ ଷ୍ଟେସନ ନିକଟସ୍ଥ ମାଥିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି । ଏକ ଝୁମ୍ପୁଡି ଘରେ ନିଆଁ ଲାଗିଯାଇଥିବା ବେଳେ 5 ଜଣଙ୍କର ମୃତ୍ୟୁ ହୋଇଛି । ସେର ମହମ୍ମଦଙ୍କ ସ୍ତ୍ରୀ ଓ ତାଙ୍କ 4 ପିଲା ଘରେ ଶୋଇଥିବା ବେଳେ ନିଆଁରେ ପୋଡି ହୋଇ ମୃତ୍ୟୁବରଣ କରିଛନ୍ତି । କେଉଁ କାରଣରେ ଘରେ ନିଆଁ ଲାଗିଲା ତାହା ବର୍ତ୍ତମାନ ଜଣାପଡିନାହିଁ । ପୋଲିସର ଅନୁସନ୍ଧାନ ପରେ ତାହା ସ୍ପଷ୍ଟ ହେବ । 2 ଜଣ ଅଗ୍ନିକାଣ୍ଡରେ ଆହତ ହୋଇଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । '' ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏହି ଦୁର୍ଘଟଣା ଖବର ଶୁଣିବା ପରେ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ 4 ଲକ୍ଷର ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି ।

ସୂଚନା ଥାଉକି, ଗତ ମେ 2 ତାରିଖ ଦିନ ବିହାରର ମୁଜାଫରପୁର ଜିଲ୍ଲା ରାମଦୟାଲୁ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଖବର ସାମ୍ନାକୁ ଆସିଥିଲା । ଶୋଇଥିବା ସମୟରେ ଘରେ ନିଆଁ ଲାଗିବାରୁ 4 ଭଉଣୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଅଗ୍ନିକାଣ୍ଡରେ 12 ଜଣରୁ ଊର୍ଦ୍ଧ୍ବ ଆହତ ହୋଇଥିବାରୁ ସମସ୍ତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ମୃତକ ହେଉଛନ୍ତି ନରେଶ ରାମଙ୍କ ଚାରି ଝିଅ ଅମ୍ରିତା, ରିତା, ସୋନି, ଶିବାନୀ । ସମସ୍ତଙ୍କ ବୟସ 3ରୁ 12 ବର୍ଷ ମଧ୍ୟରେ ରହିଛି ।

ସେହିପରି ଏପ୍ରିଲ 21 ତାରିଖ ଦିନ ବିହାରର ଔରଙ୍ଗାବାଦରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଚୁଲିରେ ରୋଷେଇ କରିବା ବେଳେ ଘରେ ନିଆଁ ଲାଗିବାରୁ 5 ଜଣଙ୍କ ମୃତ୍ୟୁ ହୋଇଥିଲା । ଗୋଟିଏ ପରିବାରର 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ପରିବାରର 2 ଜଣଙ୍କ ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.