ETV Bharat / bharat

Karnataka Election: ଜୟରାମଙ୍କ ଦୃଢୋକ୍ତି, 'ସରକାର ଗଢିବ କଂଗ୍ରେସ, ମୋଦିଙ୍କ ହେବ ବଡ଼ ହାର'

author img

By

Published : May 12, 2023, 6:34 PM IST

Updated : May 12, 2023, 7:38 PM IST

ଆସନ୍ତାକାଲି ଆସିବ ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳ । ତେବେ କଂଗ୍ରେସ ବହୁମତ ସହିତ ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଜାତୀୟ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ । ଅଧିକ ପଢନ୍ତୁ

Etv Bharat
Etv Bharat

ଜୟରାମଙ୍କ ଦୃଢୋକ୍ତି

ନୂଆଦିଲ୍ଲୀ: ଆସନ୍ତାକାଲି କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଆସିବ ଫଳ । ଏହାପୂର୍ବରୁ ଦଳର ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ଜାତୀୟ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ । କଂଗ୍ରେସ କର୍ଣ୍ଣାଟକରେ ବିଜୟ ହୋଇ ସରକାର ଗଢିବ । ଆଉ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାଗି ଏହା ବଡ଼ ହାର ହେବ ବୋଲି ସେ କହିଛନ୍ତି । କର୍ଣ୍ଣାଟକର ବିଜୟ ପରେ କଂଗ୍ରେସ ପାଇଁ ଆଗାମୀ ୨୦୨୪ ନିର୍ବାଚନ ଲାଗି ଦିଲ୍ଲୀର ଦ୍ବାର ଖୋଲିଯିବ ବୋଲି ସେ କହିଛନ୍ତି ।

ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜୟରାମ କହିଛନ୍ତି, "କର୍ଣ୍ଣାଟକ ଗାଦିରେ ବସିବ କଂଗ୍ରେସ । ଦଳର ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଗି ବଡ଼ ହାର ହେବ । କାରଣ ଏହି ନିର୍ବାଚନ ଲାଗି ସେ କର୍ଣ୍ଣାଟକରେ ଜୋରଦାର ପ୍ରଚାର କରିଥିଲେ । ନରେନ୍ଦ୍ର ମୋଦି ଜଣେ ବ୍ୟକ୍ତି ଥିଲେ ଯିଏକି ରାଜ୍ୟରେ ପ୍ରଚାର କରୁଥିଲେ । ରୋଡ ଶୋ'ଠୁ ଆରମ୍ଭ କରି ପ୍ରଚାର ମୈଦାନରେ କେବଳ ଜଣକ ଚେହେରା ଦେଖିବାକୁ ମିଳିଥିଲା । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିର ହାର ପରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ଲାଗି କଂଗ୍ରେସ ପାଇଁ ଦିଲ୍ଲୀ ଦ୍ବାର ଖୋଲିଯିବ ।"

ଏହା ବି ପଢନ୍ତୁ-Exit Polls In Karnataka: ଏଥର ଝୁଲା ସରକାର ! କିଙ୍ଗ୍‌ମେକର ହେବ JDS

ସେ ଆହୁରି କହିଛନ୍ତି, "ଏହି ନିର୍ବାଚନରେ JDS ଭାଗ ଭାଗ ହୋଇଯିବ । ସେ ସର୍ବଦା କିଙ୍ଗମେକର ହେବାକୁ ଚାହିଁଥାଆନ୍ତି । ରାଜାକୁ ସିଂହାସନରେ ବସାଇବା ଲାଗି ତାଙ୍କ ବିନା ଏହା ସମ୍ଭବ ହେବ ନାହିଁ । ସରକାର ଗଢିବା ଲାଗି ସେମାନଙ୍କର ସମର୍ଥନ ଆବଶ୍ୟକ ରହିଥାଏ । ମାତ୍ର ଏହି ନିର୍ବାଚନରେ ସେପରି ସ୍ଥିତି ଉପୁଜିବ ନାହିଁ । ୨୦୧୮ ମସିହାରେ ଏପରି ସ୍ଥିତି ଉପୁଜିଥିଲା । କଂଗ୍ରେସକୁ ୮୦ଟି ଆସନ ମିଳିଥିଲା । ଆଉ ପରବର୍ତ୍ତୀ ସମୟରେ କଂଗ୍ରେସ ଜେଡିଏସ ସହିତ ମେଣ୍ଟ ସରକାର ଗଠନ କରିଥିଲା । ମାତ୍ର ଚଳିତ ନିର୍ବାଚନରେ ମେଣ୍ଟ ସରକାରର ଆବଶ୍ୟକତା ପଡ଼ିବ ନାହିଁ ।"

ସୂଚନା ଥାଉ କି ଗତ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭାର ୨୨୪ଟି ଆସନ ଲାଗି ପଡ଼ିଥିଲା ଭୋଟ । ରାଜ୍ୟର ୫,୧୦,୫୫,୧୭୨ ଭୋଟର ମତଦାନ କରିଥିଲେ । ସମୁଦାୟ ୫୮,୫୪୫ ମତଦାନ କେନ୍ଦ୍ରରେ ମତଗ୍ରହଣ କରାଯାଇଥିଲା । ନିର୍ବାଚନରେ ଭାରତୀୟ ଜନତା ପାର୍ଟି, କଂଗ୍ରେସ ଓ ଜେଡିଏସ ମୁଖ୍ୟ ପ୍ରତିଦ୍ବନ୍ଦୀ ଦଳ ହୋଇଛନ୍ତି । ହେଲେ ମତଦାନ ପରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ଏକଜିଟ ପୋଲ ଅନୁସାରେ ଏଥର କର୍ଣ୍ଣାଟକରେ ଝୁଲା ସରକାର ଆସିବ ବୋଲି ଚର୍ଚ୍ଚା ହେଉଛି । ମାତ୍ର ଏପଟେ କଂଗ୍ରେସ ବହୁମତ ପାଇ ସରକାର ଗଢିବ ବୋଲି କଂଗ୍ରେସ ବରିଷ୍ଠ ନେତା ଜୟରାମ ମତ ପ୍ରକାଶ କରିଛନ୍ତି ।

Last Updated :May 12, 2023, 7:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.