ETV Bharat / bharat

Union budget 2023: ଜାଣନ୍ତୁ କେଉଁ ମନ୍ତ୍ରଣାଳୟକୁ ମିଳିଲା କେତେ ?

author img

By

Published : Feb 1, 2023, 9:24 PM IST

ସାଧାରଣ ବଜେଟର କଣ ରହିଲା ରୂପରେଖ । କେଉଁ ମନ୍ତ୍ରଣାଳୟକୁ ମିଳିଲା କେତେ ବ୍ୟୟବରାଦ । ଜାଣନ୍ତୁ ଅଧିକ

Union budget 2023
Union budget 2023

ହାଇଦ୍ରାବାଦ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ରୀୟ ତଥା ସାଧାରଣ ବଜେଟ୍ 2023-24 ଉପସ୍ଥାପନ କରିଛନ୍ତି । ତେବେ ମୋଟ 45 ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ବିଭିନ୍ନ କ୍ଷେତ୍ର ପାଇଁ ରଖାଯାଇଛି ବ୍ଯୟବରାଦ ରାଶି । ଅନେକ ଯୋଜନା ବ୍ୟତୀତ ଅର୍ଥମନ୍ତ୍ରୀ ସୀତାରମଣ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟକୁ ଅର୍ଥ ଆବଣ୍ଟନ ଘୋଷଣା କରିଛନ୍ତି । ତେବେ କେଉଁ ମନ୍ତ୍ରଣାଳୟ କେତେ ଟଙ୍କାର ଅନୁଦାନ ରାଶି ପାଇଲେ ସେ ସମ୍ପର୍କରେ ନଜର ପକାନ୍ତୁ ।

ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟରେ ପ୍ରତିବର୍ଷ ପରି ପ୍ରତିରକ୍ଷା ମନ୍ତ୍ରଣାଳୟ ସର୍ବାଧିକ 5.94 ଲକ୍ଷ କୋଟି ଟଙ୍କାର ଅନୁଦାନ ରାଶି ଗ୍ରହଣ କରିଛି । ଚଳିତ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ମୋଟ 5.94 ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଆର୍ଥିକ ବର୍ଷ 2023-24 ପାଇଁ ଏହି ଅର୍ଥରାଶି ଘୋଷଣା କରାଯାଇଛି । ଭାରତୀୟ ସଶସ୍ତ୍ର ବଳର ଆଧୁନିକୀକରଣ ସହ ଯନ୍ତ୍ରାଂଶ ଓ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର କ୍ରୟ, ବିକଶିତ କରିବାରେ ଏହି ରାଶି ଖର୍ଚ୍ଚ ହେବ । ବର୍ତ୍ତମାନ ସମୟରେ ବୈଶ୍ବିକ ସ୍ଥିତିରେ ଦେଶର ପ୍ରତିରକ୍ଷା ବଜେଟ ଉପରେ ସମସ୍ତଙ୍କ ନଜର ରହିଥିଲା ।

ସେହିପରି ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟକୁ 2.70 ଲକ୍ଷ କୋଟି ଟଙ୍କା ମିଳିଛି । ଆର୍ଥିକ ରାଶି ପାଇବାରେ ଦ୍ବିତୀୟ ମନ୍ତ୍ରଣାଳୟ ଭାବେ ରହିଛି ପରିବହନ ରାଜମାର୍ଗ ମନ୍ତ୍ରଣାଳୟ । ସେହିପରି ତୃତୀୟ ସ୍ଥାନରେ ରହିଛି ଅନ୍ୟତମ ଭିତ୍ତିଭୂମି ସହ ଜଡିତ ଚର୍ଚ୍ଚିତ ରେଳ ମନ୍ତ୍ରଣାଳୟ । ରେଳ ମନ୍ତ୍ରଣାଳୟକୁ ମିଳିଛି 2.41 ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ । ସେହିପରି ଗୃହ ମନ୍ତ୍ରଣାଳୟକୁ 1.96 ଲକ୍ଷ କୋଟି ଟଙ୍କା ଆବଣ୍ଟନ ହୋଇଥିବା ବେଳେ ଗ୍ରାହକ ବ୍ୟାପାର, ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ମନ୍ତ୍ରଣାଳୟକୁ 2.06 ଲକ୍ଷ କୋଟି ଟଙ୍କାର ବ୍ୟବରାଦ ହୋଇଛି ।

ରାସାୟନିକ ଏବଂ ସାର ମନ୍ତ୍ରଣାଳୟକୁ 1.78 ଲକ୍ଷ କୋଟି ଟଙ୍କା, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟକୁ 1.60 ଲକ୍ଷ କୋଟି ଟଙ୍କା, ଯୋଗାଯୋଗ ମନ୍ତ୍ରଣାଳୟକୁ 1.23 ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ସେହିପରି କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟକୁ 1.25 ଲକ୍ଷ କୋଟି ଟଙ୍କା ମିଳିଛି ।

ସଂସଦରେ ପୂର୍ବାହ୍ନ 11 ଟାରୁ ଅର୍ଥମନ୍ତ୍ରୀ ସୀତାରମଣଙ୍କ ବଜେଟ୍ ଅଭିଭାଷଣ ଆରମ୍ଭ ହୋଇଥିଲା । ଆସନ୍ତା ବର୍ଷ ପାଇଁ ସରକାର ଅନେକ ନୂତନ ଯୋଜନା ଏବଂ ନୀତି ଘୋଷଣା କରିଛନ୍ତି ଏବଂ ନୂତନ ଆୟକର ସ୍ଲାବରେ ମଧ୍ୟ ବଡ ପରିବର୍ତ୍ତନ କରିଛନ୍ତି । ଚଳିତବଜେଟରେ ଆୟକରଦାତାଙ୍କୁ ବଡ ଆଶ୍ବସ୍ତି ପ୍ରଦାନ କରିଛନ୍ତି ମୋଦି ସରକାର । ଏବେ 7ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତି ଆୟକର ଛାଡର ଲାଭ ପାଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.