ETV Bharat / bharat

ଏବେ ବି ଧ୍ୱଂଶ ସ୍ତୁପ ତଳେ ଅନେକ ଜୀବନ, ତୁର୍କୀ ସିରିଆରେ ଥମୁନି ମୃତ୍ୟୁର ତାଣ୍ଡବ

author img

By

Published : Feb 12, 2023, 9:39 PM IST

Updated : Feb 13, 2023, 1:25 PM IST

ତୁର୍କୀ ଓ ସିରିଆରେ ପ୍ରଳୟଙ୍କାରୀ ଭୂକମ୍ପର ସପ୍ତାହେ ପରେ ମଧ୍ୟ ସରୁନି ଉଦ୍ଧାରକାର୍ଯ୍ୟ । ବଢି ଚାଲିଛିସ ଦୁର୍ଦ୍ଦଶା ସାଙ୍ଗକୁ ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ପ୍ରାୟ 30 ହଜାର ମୃତ । ଜାତିସଂଘର ଅନୁମାନ 50 ହାଜର ଅତିକ୍ରମ କରିପାରେ ମୃତ୍ୟୁସଂଖ୍ୟା । ଅଧିକ ପଢନ୍ତୁ

Turkey quake
ସରୁନି ଉଦ୍ଧାର, 30 ହଜାର ଛୁଇଁଲାଣି ମୃତ୍ୟୁସଂଖ୍ୟା

ତୁର୍କୀ ସିରିଆରେ ଥମୁନି ମୃତ୍ୟୁର ତାଣ୍ଡବ

ନୂଆଦିଲ୍ଲୀ: ସୋମବାର(6 ତାରିଖ)ରେ ତୁର୍କୀ ଓ ସିରିଆରେ ହୋଇଥିବା ପ୍ରଳୟଙ୍କାରୀ ଭୂକମ୍ପକୁ ଦୀର୍ଘ ସପ୍ତାହେ ବିତିବାକୁ ବସିଲାଣି । ହେଲେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଦ୍ଧାର ଅପରେସନ ଶେଷ ହୋଇନାହିିଁ । ସ୍ଥିତି ଏତେ ଗମ୍ଭୀର ଯେ, ଉଦ୍ଧାର କାର୍ଯ୍ୟ ଯେତିକି ବ୍ୟାପକ ହେବାରେ ଲାଗିଛି ମୃତ୍ୟୁସଂଖ୍ୟା ମଧ୍ୟ ଅନୁରୂପ ଭାବେ ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ତୁର୍କୀ ଓ ସିରିଆରେ ମୃତ୍ୟୁସଂଖ୍ୟା ପ୍ରାୟ 30 ହଜାର ପାଖାପାଖି ପହଞ୍ଚି ସାରିଥିବା ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ ଓ ଗଣମାଧ୍ୟମ ନିଜ ରିପୋର୍ଟରେ ପ୍ରକାଶ କରିଛନ୍ତି । ସ୍ଥିତି ଏତେ ସାଙ୍ଘାତିକ ଯେ, ପ୍ରକୃତ ମୃତାହତ ସଂଖ୍ୟା ଓ କ୍ଷୟକ୍ଷତି ସମ୍ପର୍କରେ ସଠିକ୍‌ ଆକଳନ କରିବା ମଧ୍ୟ ସମ୍ଭବପର ନୁହେଁ । ଏହାରି ମଧ୍ୟରେ ଜାତିସଂଘ ପ୍ରକାଶ କରିଥିବା ଏକ ଆନୁମାନିକ ରିପୋର୍ଟ ଆହୁରି ଆଶଙ୍କିତ କରିଛି । ମୃତ୍ୟୁସଂଖ୍ୟା ବର୍ତ୍ତମାନର ସଂଖ୍ୟାର ପ୍ରାୟ ଦୁଇଗୁଣା ହୋଇପାରେ ବୋଲି ଜାତିସଂଘ କହିଛି ।

ଏବେ ମୃତ୍ଯୁ ସଂଖ୍ୟା ପ୍ରାୟ 30 ହଜାର କୁହାଯାଉଥିବା ବେଳେ ଏହି ସଂଖ୍ୟା 50 ହଜାର ଅତିକ୍ରମ କରିବା ଆଶଙ୍କା ପ୍ରକାଶ କରିଛି ଜାତିସଂଘ । ଭାରତ ସମେତ ବିଭିନ୍ନ ଦେଶରୁ ପଠାଯାଇଥିବା ଉଦ୍ଧାରକାରୀ ଟିମ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ ଜାରି ରଖିଛନ୍ତି । ତୁର୍କୀର ପ୍ରାୟ 10ଟି ପ୍ରଦେଶ ଭୂକମ୍ପରେ ବିଶେଷ ଭାବେ ପ୍ରଭାବିତ ହୋଇଛି । ବଡ଼ବଡ଼ ସହର ଏବେ କଂକ୍ରିଟ ଧ୍ବଂସସ୍ତୁପରେ ପରିଣତ ହୋଇଛି । ଅଟ୍ଟାଳିକାର ଅବଶେଷ ତଳୁ ଜୀବନ ଖୋଜିବାରେ ଲାଗିଛନ୍ତି ଉଦ୍ଧାରକାରୀ ଟିମ୍‌ । ସମଗ୍ର ତୁର୍କୀ ଏବେ ଅନ୍ଧାରରେ ରହିଛି । ଯୋଗାଯୋଗ ଭିତ୍ତିଭୂମି ସବୁ କିଛି ନଷ୍ଟ ହୋଇଯାଇଛି । ଲକ୍ଷଲକ୍ଷ ଘର ମାଟିରେ ମିଶି ଯାଇଥିବାରୁ କୋଟିକୋଟି ଲୋକେ ଏବେ ବାସହରା ହୋଇଛନ୍ତି । ପ୍ରବଳ ଥଣ୍ଡା ଓ ଅନ୍ଧାରରେ ରିଲିଫ୍‌ କ୍ୟାମ୍ପ ଓ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି ଭୂକମ୍ପ ପୀଡିତ ।

ଏହାରି ମଧ୍ୟରେ ଉଦ୍ଧାରକାରୀ ଟିମ୍‌କୁ କ୍ରମାଗତ ସଫଳତା ମଧ୍ୟ ମିଳିବାରେ ଲାଗିଛି । ଏକାଧିକ ଦିନ କଂକ୍ରିଟ ଆବର୍ଜନା ମଧ୍ୟ ରହିବା ପରେ ମଧ୍ୟ ଜୀବନ୍ତ ଉଦ୍ଧାର ହେଉଛନ୍ତି ଲୋକେ । ବିଭିନ୍ନ ଦେଶ ଦ୍ବାରା ପଠାଯାଇଥିବା ମେଡିକାଲ ସହାୟତା ଓ ଅନ୍ୟ ଜରୁରୀ ସାମଗ୍ରୀ ଏବେ ତୁର୍କୀବାସୀଙ୍କ ପାଇଁ ଏକମାତ୍ର ସାହାରା ସାଜିଛି । ବିଭିନ୍ନ ସହରର ଖୋଲାସ୍ଥାନ ଷ୍ଚାଡିୟମ ଆଦିରେ ଅସ୍ଥାୟୀ ରିଲିଫ କ୍ୟାମ୍ପ ପ୍ରସ୍ତୁତ କରାଯାଇଛି । ଖାଦ୍ୟ, ଜୁରୁରୀ ଔଷଧ, ଅନ୍ୟ ଜରୁରୀ ସାମଗ୍ରୀ ମହଜୁଦ ରଖାଯାଇଛି । ଉଦ୍ଧାର ପ୍ରକ୍ରିୟା ଆଗକୁ ବଢୁଥିବା ବେଳେ ମୃତାହତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଆହତ ଅବସ୍ଥାରେ ଉଦ୍ଧାର ହେଉଥିବା ବ୍ୟକ୍ତିଙ୍କୁ ଅସ୍ଥାୟୀ ରିଲିଫ କ୍ୟାମ୍ପରେ ରଖାଯାଇ ଚିକିତ୍ସା ସୁବିଧା ଯୋଗାଯାଉଛି ।

ଏହା ମଧ୍ୟ ପଢନ୍ତୁ :-Turkey Quake: ମୃତ୍ୟୁର ତାଣ୍ଡବ ମଧ୍ୟରେ ଚାଲିଛି ଜୀବନ ଖୋଜା, 129ଘଣ୍ଟା ପରେ ଉଦ୍ଧାର ହେଲେ ଗୋଟିଏ ପରିବାରର 5ଜଣ

ସୋମବାର(6 ତାରିଖ) ରେ 7.8 ମ୍ୟାଗ୍ନିଚ୍ୟୁଡର ଭୂକମ୍ପରେ ଛାରଖାର ହୋଇପଡିଛି ତୁର୍କୀ ଓ ମଧ୍ୟପ୍ରାଚ୍ୟ ଦେଶ ସିରିଆ । ଅପେକ୍ଷାକୃତ ତୁର୍କୀ ସର୍ବାଧିକ ପ୍ରଭାବିତ ହୋଇଛି । ତୁର୍କୀର ମୋଟ 10ଟି ପ୍ରଦେଶ ଗମ୍ଭୀର ଭାବେ ପ୍ରଭାବିତ ହୋଇଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ 28 ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଛି । ପ୍ରଥମ ଭୂକମ୍ପ ପରେ ଲାଗାତାର ଏକାଧିକ ଭୂକମ୍ପର ଝଟକାରେ ଥରିଥିଲା ତୁର୍କୀ ଓ ସିରିଆ । ଦିନ ତମାମ ଓ ପରଦିନ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା । ଗୋଟିଏ ପଟେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇସାରିଥିବା ବେଳେ ବାରମ୍ବାର ଭୂକମ୍ପ ଅନୁଭୂତ ହେବା ସ୍ଥିତିକୁ ଆହୁରି ସଙ୍ଗୀନ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 13, 2023, 1:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.