ETV Bharat / international

Turkey Quake: ମୃତ୍ୟୁର ତାଣ୍ଡବ ମଧ୍ୟରେ ଚାଲିଛି ଜୀବନ ଖୋଜା, 129ଘଣ୍ଟା ପରେ ଉଦ୍ଧାର ହେଲେ ଗୋଟିଏ ପରିବାରର 5ଜଣ

author img

By

Published : Feb 11, 2023, 10:40 PM IST

ତୁର୍କୀରେ 5ଦିନ ପରେ କୋଠାର ଭଗ୍ନାବଶେଷରୁ ଜୀବନ୍ତ ଉଦ୍ଧାର ହେଲେ ଗୋଟିଏ ପରିବାରର 5 ଜଣ । ଏବେ ସୁଦ୍ଧା ପ୍ରାୟ 24 ହଜାର ମୃତ । ଜାରି ରହିଛି ଉଦ୍ଧାରକାର୍ଯ୍ୟ । ଅଧିକ ପଢନ୍ତୁ

129 ଘଣ୍ଟା ପରେ ଜୀବନ୍ତ ଉଦ୍ଧାର ହେଲେ ଗୋଟିଏ ପରିବାରର 5 ଜଣ
129 ଘଣ୍ଟା ପରେ ଜୀବନ୍ତ ଉଦ୍ଧାର ହେଲେ ଗୋଟିଏ ପରିବାରର 5 ଜଣ

ଇସ୍ତାନବୁଲ/ ହାଇଦ୍ରାବାଦ: ଫେବୃଆରୀ 6 (ସୋମବାର) ରେ ତୁର୍କୀ ଏବଂ ସିରିଆରେ ଘଟିଥିବା ଭୟଙ୍କର ଭୂକମ୍ପରେ ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା 25,000 ଅତିକ୍ରମ କରି ସାରିଥିବା ବିଭିନ୍ନ ଗଣମାଧ୍ୟମ ଓ ସଂଗଠନ ତଥ୍ୟ ଦେଉଛନ୍ତି । ତେବେ ଏବେ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ ଜାରି ରହିଛି । ମୃତ୍ଯୁର ବିଭୀଷିକା ମଧ୍ୟରେ ଜୀବନର କ୍ଷଣିକ ଆଶାକୁ ତନ୍ନତନ୍ନ କରି ଖୋଜା ଚାଲିଛି । ଏହାରି ମଧ୍ୟରେ ଆଜି (ଶନିବାର) ମଧ୍ୟ ଉଦ୍ଧାରକାରୀ ଟିମର ହାତରେ ଏକ ବିରଳ ସଫଳତା ଲାଗିଛି । ଭଙ୍ଗା ଅଟ୍ଟାଳିକାର କଂକ୍ରିଟ ଆବର୍ଜନା ମଧ୍ୟରୁ ଦୀର୍ଘ 129 ଘଣ୍ଟା ପରେ ଗୋଟିଏ ପରିବାରର 5 ଜଣଙ୍କୁ ଜୀବନ୍ତ ତଥା ସୁରକ୍ଷିତ ଉଦ୍ଧାର କରାଯାଇଛି ।

ତୁର୍କୀର ସର୍ବାଧିକ ପ୍ରଭାବିତ ସହର ମଧ୍ୟରେ ରହିଛି ନୁରଦାଗ । ଏଠାରେ ବଡ ବଡ କୋଠା ଧ୍ବଂସସ୍ତୁପରେ ପରିଣତ ହୋଇଛି । ଆଜି ଏଠାରେ ଏକ ଅଟ୍ଟାଳିକାର ଭଗ୍ନାବେଶଷ ତଳୁ ଜଣେ ପରେ ଜଣେ ମୋଟ 5 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସମସ୍ତେ ଗୋଟିଏ ପରିବାର ସଦସ୍ୟ । ଉଦ୍ଧାର ବ୍ୟକ୍ତିଙ୍କ ମଧ୍ୟରେ 70 ବର୍ଷ ବୟସ୍କ ଜଣେ ମହିଳା ଥିବା ବେଳେ 16 ବର୍ଷୀୟ ନାବାଳକ ମଧ୍ୟ ରହିଛି । ଭୂକମ୍ପରେ ଅଟ୍ଟାଳିକାଟି ଭୁଶୁଡି ପଡିବା ପରେ ସେମାନେ ଏହା ତଳେ 129 ଘଣ୍ଟା ଅର୍ଥାତ ପ୍ରାୟ ସାଢେ 5 ଦିନ ଧରି ଫସି ରହିଥିଲେ । ସେମାନଙ୍କ ସ୍ବର ଧିରେ ଧିରେ ଶୁଣାଯାଉଥିବା ବେଳେ ଉଦ୍ଧାରକାରୀ ଟିମ ଅଭିଯାନ ଆରମ୍ଭ କରିଥିଲା । ଅତି ସତର୍କତାର ସହ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଉଦ୍ଧାର ହେବା ପରେ ସେମାନେ ଇଶ୍ବରଙ୍କୁ ଧନ୍ୟବାଦ ଦେଇଥିଲେ । ଅନ୍ୟପଟେ ଦକ୍ଷିଣ ତୁର୍କୀରେ ଭାରତୀୟ କ୍ୟାମ୍ପ ହସ୍ପିଟାଲ ଏବେ ଉଦ୍ଧାର ହେଉଥିବା ପୀଡିତଙ୍କ ପାଇଁ ବେଶ ଉପାଦେୟ ସାବ୍ୟସ୍ତ ହୋଇଛି । ଦକ୍ଷିଣ ତୁର୍କୀ ସହର ଇସ୍କେଣ୍ଡେରୁନରେ ସ୍ଥାପିତ ଭାରତୀୟ ଫିଲ୍ଡ ହସ୍ପିଟାଲ ଆହତମାନଙ୍କୁ ତ୍ବରିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ସେହିପରି ଭିତ୍ତିଭୂମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଅସ୍ଥାୟୀ ମେଡିକାଲ ଶିବିର ହିଁ ପୀଡିତଙ୍କ ପାଇଁ ଏକମାତ୍ରା ରାହା ସାଜିଛି ।

ସୋମବାର(6 ତାରିଖ) 7.8 ମ୍ୟାଗ୍ନିଚ୍ୟୁଡର ଭୂକମ୍ପରେ ଛାରଛାର ହୋଇପଡିଛି ତୁର୍କୀ ଓ ମଧ୍ୟପ୍ରାଚ୍ୟ ଦେଶ ସିରିଆ । ଅପେକ୍ଷାକୃତ ତୁର୍କୀ ଅଧିକ ପ୍ରଭାବିତ ହୋଇଛି । ମୋଟ 10ଟି ପ୍ରଦେଶ ଗମ୍ଭୀର ଭାବେ ପ୍ରଭାବିତ ହେବା ସହ ବର୍ତ୍ତମାନ ସୁଦ୍ଧା 24,000 ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । 80,000 ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହଜାର ହଜାର କୋଠା ମାଟିରେ ମିଶିଯାଇଛି । ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇପଡିଛନ୍ତି । ଭାରତ ସମତେ ବିଭିନ୍ନ ଦେଶରୁ ଆସିଥିବା ଉଦ୍ଧାରକାରୀ ଟିମ ଅପରେସନ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.