ETV Bharat / bharat

ନୋଟିସ୍ ପରେ ସରକାରୀ ବଙ୍ଗଳା ଖାଲି କଲେ ମହୁଆ ମୋଇତ୍ରା

author img

By ETV Bharat Odisha Team

Published : Jan 19, 2024, 12:37 PM IST

Mahua Moitra vacates Delhi bungalow: ଦିଲ୍ଲୀ ସ୍ଥିତ ସରକାରୀ ବଙ୍ଗଳା ଖାଲି କଲେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ଅଧିକ ପଢନ୍ତୁ

Moitra vacates Delhi bungalow
ସରକାରୀ ବଙ୍ଗଳା ଖାଲି କଲେ ମହୁଆ ମୋଇତ୍ରା

ନୂଆଦିଲ୍ଲୀ: ବାରମ୍ବାର ନୋଟିସ୍ ପରେ ସରକାରୀ ବଙ୍ଗଳା ଖାଲି କଲେ ବହିଷ୍କୃତ ଟିଏମସି ସାଂସଦ ମହୁଆ ମୋଇତ୍ରା । ଆଜି (ଶୁକ୍ରବାର) ଟିଏମସି ନେତ୍ରୀ ମୋଇତ୍ରା ଦିଲ୍ଲୀରେ ରହୁଥିବା ସରକାରୀ ବଙ୍ଗଳା ଖାଲି କରିଛନ୍ତି । ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ସଂସଦରେ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଗତବର୍ଷ ଡିସେମ୍ବରରେ ମୋଇତ୍ରାଙ୍କୁ ଲୋକସଭାରୁ ବହିଷ୍କୃତ କରାଯାଇଥିଲା । ଏହାପରେ ସାଂସଦ ଭାବେ ତାଙ୍କୁ ମିଳିଥିବା ସରକାରୀ ବଙ୍ଗଳା ଖାଲି କରିବାକୁ ଇଷ୍ଟେଟ ନିର୍ଦ୍ଦେଶାଳୟ ନୋଟିସ୍ ପଠାଇଥିଲା । ଏହାସତ୍ତ୍ବେ ସେ ବଙ୍ଗଳା ଖାଲି କରିନଥିଲେ ।

ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ମହୁଆ ମୋଇତ୍ରାଙ୍କ ଦିଲ୍ଲୀ ବଙ୍ଗଳା ଖାଲି କରିବାକୁ ଆଜି ଇଷ୍ଟେଟ ନିର୍ଦ୍ଦେଶାଳୟ ଏକ ଟିମ୍ ପଠାଇଥିଲା । ଏହାପରେ ମୋଇତ୍ରାଙ୍କ ଉକ୍ତ ସରକାରୀ ବଙ୍ଗଳା ଖାଲି କରାଯାଇଥିବାର ବିଶେଷ ସୂତ୍ରରୁ ସୂଚନା ମିଳିଛି । କହିରଖୁଛୁ କି, ଇଷ୍ଟେଟ ନିର୍ଦ୍ଦେଶାଳୟ ଜାନୁଆରୀ 7 ସୁଦ୍ଧା ସାଂସଦ କୋଟାରେ ମିଳିଥିବା ବଙ୍ଗଳା ଖାଲିବାକୁ ମୋଇତ୍ରାଙ୍କୁ ନୋଟିସ୍ ପଠାଇଥିଲା । ହେଲେ ବଙ୍ଗଳା ଛାଡିବାକୁ ନାରଜ ହୋଇଥିଲେ ଟିଏମସି ନେତ୍ରୀ । ଏହାପରେ ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ପୁନର୍ବାର ନୋଟିସ୍ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ମହୁଆଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍

ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ମୋଇତ୍ରା । ତାଙ୍କର ସଭ୍ୟ ପଦ ରବ୍ଦ ମାମଲାରେ ସୁପ୍ରିମକୋର୍ଟରେ ବିଚାରଧୀନ ଥିବାରୁ ଏହି ନୋଟିସକୁ ଅବୈଧ ଦର୍ଶାଇ ସେ ଆବେଦନ କରିଥିଲେ । କିନ୍ତୁ ହାଇକୋର୍ଟ ଗତକାଲି (ଗୁରୁବାର) ତାଙ୍କର ଆବେଦନ ଖାରଜ କରିବା ସହ ବଙ୍ଗଳା ଖାଲି କରିବାକୁ କହିଥିଲେ । କୋର୍ଟରୁ ନିରାଶ ହେବା ପରେ ଆଜି ତାଙ୍କର ଦିଲ୍ଲୀ ସ୍ଥିତ ସରକାରୀ ବଙ୍ଗଳା ଖାଲି କରାଯାଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ସଭ୍ୟପଦ ରଦ୍ଦ ମାମଲାରେ ମହୁଆଙ୍କୁ ଝଟକା, ଅନ୍ତରୀଣ ରହିତାଦେଶ ପାଇଁ ମନା କଲେ ସୁପ୍ରିମକୋର୍ଟ

ପ୍ରକାଶ ଥାଉକି, ସଂସଦରେ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କୁ ଗତ ଡିସେମ୍ବରରେ ଲୋକସଭା ସାଂସଦ ପଦରୁ ବହିଷ୍କୃତ କରାଯାଇଥିଲା । ସେ ସଂସଦରେ ପ୍ରଶ୍ନ ପଚାରିବାକୁ ବ୍ୟବସାୟୀ ହୀରାନନ୍ଦାନିଙ୍କ ଠାରୁ ଉପହାର ନେଇଥିବା ଏବଂ ପାର୍ଲାମେଣ୍ଟ ୱେବସାଇଟ ଆଇଡି ଓ ପାସୱାର୍ଡ ସେୟାର କରିଥିବା ଅଭିଯୋଗ ହୋଇଥିଲା । ଘଟଣାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ପରେ ଲୋକସଭାରୁ ବହିଷ୍କୃତ କରାଯାଇଥିଲା । ଏହାପରେ ସାଂସଦ କୋଟାରେ ମିଳିଥିବା ସରକାରୀ ବଙ୍ଗଳା ତୁରନ୍ତ ଖାଲି କରିବାକୁ କୁହାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.