ETV Bharat / bharat

ସଭ୍ୟପଦ ରଦ୍ଦ ମାମଲାରେ ମହୁଆଙ୍କୁ ଝଟକା, ଅନ୍ତରୀଣ ରହିତାଦେଶ ପାଇଁ ମନା କଲେ ସୁପ୍ରିମକୋର୍ଟ

author img

By ETV Bharat Odisha Team

Published : Jan 3, 2024, 3:51 PM IST

SC to hear Mahua's plea against LS expulsion on March 11: ସଭ୍ୟପଦ ରଦ୍ଦ ମାମଲାରେ ମହୁଆଙ୍କୁ ମିଳିଲାନି ଅନ୍ତରୀଣ ରହିତାଦେଶ । ଲୋକସଭା ମହାସଚିବଙ୍କୁ ଜାରି ହେଲା ନୋଟିସ । ମାର୍ଚ୍ଚ 13 ରେ ପରବର୍ତ୍ତୀ ଶୁଣାଣି । ଅଧିକ ପଢନ୍ତୁ

ମହୁଆଙ୍କ ସଭ୍ୟପଦ ରଦ୍ଦ ମାମଲା: ମିଳିଲାନି ଅନ୍ତରୀଣ ରହିତାଦେଶ, 11 ମାର୍ଚ୍ଚରେ ପରବର୍ତ୍ତୀ ଶୁଣାଣି
ମହୁଆଙ୍କ ସଭ୍ୟପଦ ରଦ୍ଦ ମାମଲା: ମିଳିଲାନି ଅନ୍ତରୀଣ ରହିତାଦେଶ, 11 ମାର୍ଚ୍ଚରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ସଂସଦରେ ଟଙ୍କା ନେଇ ପ୍ରଶ୍ନ ପଚାରିବା (କ୍ୟାସ ଫର କ୍ବାରୀ) ଅଭିଯୋଗରେ ଲୋକସଭାରୁ ନିଷ୍କାସିତ ହୋଇଥିବା ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କୁ ସର୍ବୋଚ୍ଚ କୋର୍ଟରୁ ଆଜି ନିରାଶ ହେବାକୁ ପଡିଛି । ସଭ୍ୟପଦ ରଦ୍ଦ କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ ମହୁଆ । କୋର୍ଟ ଆଜି ଏହାର ଶୁଣାଣି କରି ସଭ୍ୟପଦ ରଦ୍ଦ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିବା ପାଇଁ ମନା କରିଦେଇଛନ୍ତି । ଏହା ସହ ମାମଲାରେ ଲୋକସଭା ମହାସଚିବଙ୍କୁ ଏକ ନୋଟିସ ମଧ୍ୟ ଜାରି କରିଛନ୍ତି କୋର୍ଟ । 3 ସପ୍ତାହ ମଧ୍ୟରେ ଲୋକସଭା ମହାସଚିବ ମହୁଆଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦାଖଲ କରିବେ । ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ 11 କୁ ଧାର୍ଯ୍ୟ କରାଯାଇଛି ।

ଆଜି ସର୍ବୋଚ୍ଚ କୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡିପୀଠ ଏହି ବହୁଚର୍ଚ୍ଚିତ ମାମଲାର ଶୁଣାଣି କରିଥିଲେ । ମୋଇତ୍ରାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଶେକ ମନୁ ସିଙ୍ଗଭି ପକ୍ଷ ରଖିଥିଲେ । ସିଙ୍ଗଭି କହିଥିଲେ, ମୋଇତ୍ରାଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ବେଆଇନ । ତାଙ୍କ ବିରୋଧରେ ଆସିଥିବା ଟଙ୍କା ନେଇ ପ୍ରଶ୍ନ କରିବା ଅଭିଯୋଗ ପ୍ରମାଣିତ ହୋଇନି । ତାଙ୍କ ବିରୋଧରେ ଟାଙ୍କା ନେବା ନେଇ ମଧ୍ୟ କୌଣସି ପ୍ରମାଣ ମଧ୍ୟ ହସ୍ତଗତ ହୋଇନି । କେବଳ ସେ ତାଙ୍କ ସଂସଦ ଓ୍ବେବସାଇଟ ଲଗଇନ ଡିଟେଲ୍ସ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ସହ ସେୟାର କରିଥିବା ଅଭିଯୋଗରେ ସଂସଦରୁ ନିଲମ୍ବିତ ହୋଇଛନ୍ତି । ଯାହା ବେଆଇନ । ସମସ୍ତ ସାଂସଦ ସେମାନଙ୍କ ପ୍ରଶ୍ନ ପ୍ରସ୍ତୁତି ଓ ଅନ୍ୟ କାମ ପାଇଁ ସେମାନଙ୍କ ସହାୟକଙ୍କୁ ଲଗଇନ ଡିଟେଲ୍ସ ଦେଇଥାନ୍ତି । ଏହା ବିରୋଧରେ ସେମିତି କିଛି କାର୍ଯ୍ୟାନୁଷ୍ଠାନର ନିୟମ ମଧ୍ୟ ନାହିଁ । ତେଣୁ ମୋଇତ୍ରାଙ୍କ ସଦସ୍ୟତା ରଦ୍ଦ ନିଷ୍ପତ୍ତିରେ ଅନ୍ତରୀଣ ରହିତାଦେଶ ଜାରି କରାଯିବା ଉଚିତ ।

ଯୁକ୍ତି ଶୁଣି ସାରିବା ପରେ କୋର୍ଟ କାର୍ଯ୍ୟାନୁଷ୍ଠାନ ଉପରେ କୌଣସି ଅନ୍ତରୀଣ ରହିତାଦେଶ ଜାରି କରିବା ପାଇଁ ମନା କରିବା ସହ ଲୋକସଭା ମହାସଚିବଙ୍କୁ ସତ୍ୟପାଠ ଦାଖଲ କରିବା ପାଇଁ ନୋଟିସ ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ 11 ତାରିଖରେ ହେବ । ତେବେ ସଭ୍ୟପଦ ହରାଇବା ପରେ ମହୁଆ ସରକାରୀ ବଙ୍ଗଳା ଖାଲି କରିବା ବିରୋଧରେ ମଧ୍ୟ କୋର୍ଟରେ ହାଜର ହୋଇଛନ୍ତି । ତାଙ୍କ ସଭ୍ୟପଦ ରଦ୍ଦ ମାମଲା ଏବେ ସର୍ବୋଚ୍ଚ କୋର୍ଟରେ ବିଚାରାଧୀନ ଥିବା ବେଳେ ସେ 2024 ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ସାଂସଦ କୋଟାରେ ପାଇଥିବା ସରକାରୀ ବଙ୍ଗଳା ଖାଲି କରିବେ ନାହିଁ ବୋଲି ମାମଲା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହମାସ ଡେପୁଟି ମୁଖ୍ୟ ନିପାତ

ଅନ୍ୟପଟେ ମହୁଆଙ୍କ ବିରୋଧରେ ପ୍ରଥମେ ଏହି ସଙ୍ଗୀନ ଅଭିଯୋଗ ଆଣିଥିବା ସର୍ବୋଚ୍ଚ କୋର୍ଟ ଆଇନଜୀବୀ ଜୟଅନନ୍ତ ଦେହାଦ୍ରଇ ଗତକାଲି ପୁଣି ସିବିଆଇ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି । ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଶାସନରେ ଥିବା ବେଳେ ମହୁଆଙ୍କର ପୋଲିସ ବିଭାଗରେ ପ୍ରଭାବ ରହିଛି । ସେ କିଛି ପୋଲିସ ଅଧିକାରୀଙ୍କ ସହଯୋଗରେ ତାଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଦେହାଦ୍ରାଇ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.