ETV Bharat / bharat

ସାକ୍ଷୀ ଖବରକାଗଜକୁ ଆନ୍ଧ୍ର ସରକାରଙ୍କ ପ୍ରୋତ୍ସାହନ ମାମଲା, ହାଇକୋର୍ଟ ଉପରେ ସୁପ୍ରିମକୋର୍ଟ କ୍ଷୁବ୍ଧ

author img

By

Published : Apr 11, 2023, 7:42 AM IST

Updated : Apr 11, 2023, 7:50 AM IST

ସାକ୍ଷୀ ଖବରକାଗଜକୁ ଆନ୍ଧ୍ର ସରକାରଙ୍କ ପ୍ରୋତ୍ସାହନ ମାମଲା । ଆନ୍ଧ୍ର ହାଇକୋର୍ଟ ଉପରେ କ୍ଷୁବ୍ଧ ହେଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ଆନ୍ଧ୍ର ହାଇକୋର୍ଟ ଉପରେ କ୍ଷୁବ୍ଧ ହେଲେ ସୁପ୍ରିମକୋର୍ଟ
ଆନ୍ଧ୍ର ହାଇକୋର୍ଟ ଉପରେ କ୍ଷୁବ୍ଧ ହେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର 'ସାକ୍ଷୀ ଖବରକାଗଜ' ପ୍ରସଙ୍ଗରେ ଆନ୍ଧ୍ର ହାଇକୋର୍ଟ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ । ସାକ୍ଷୀ ଖବରକାଗଜକୁ ପ୍ରୋତ୍ସାହନ ଲାଗି ଆନ୍ଧ୍ର ସରକାରଙ୍କ ଆଦେଶନାମା(GO) ବିରୋଧରେ ତେଲୁଗୁ ଦୈନିକ ଖବରକାଗଜ ଇନାଡୁ ପକ୍ଷରୁ ଦାୟର ମାମଲାକୁ ହାଇକୋର୍ଟ ଯେଉଁଭଳି ଭାବେ ପରିଚାଳନା କରିଛନ୍ତି ତାହାକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଛନ୍ତି । 'ସାକ୍ଷୀ' ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମାଲିକାନାଧୀନ ତଥା ତାଙ୍କ ଦ୍ବାରା ନିୟନ୍ତ୍ରିତ ହେଉଥିବା ନେଇ ଇନାଡୁ ଖବରକାଗଜ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲା । ମାତ୍ର ଏହି ମାମଲାରେ ଅନ୍ତରୀଣ ଆଦେଶ ଦେବାକୁ କୋର୍ଟ ମନା କରିଦେଇଥିଲେ । ଯାହାଫଳରେ ଇନାଡୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ।

ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଆନ୍ଧ୍ର ହାଇକୋର୍ଟ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ଦିଲ୍ଲୀ ହାଇକୋର୍ଟକୁ ମାମଲା ସ୍ଥାନାନ୍ତରିତ ପାଇଁ କହିଛନ୍ତି । ଦିଲ୍ଲୀ ହାଇକୋର୍ଟ ଖଣ୍ଡପୀଠ ଏହି ମାମଲାରେ ଚୂଡାନ୍ତ ନିଷ୍ପତ୍ତି ନେବେ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନିର୍ଦ୍ଦେଶ ପରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଶୁକ୍ରବାର ଯାଏଁ ସମୟ ମାଗିଛନ୍ତି । ସୂଚନା ମୁତାବକ, ୨୦୨୦ ସେପ୍ଟେମ୍ବରରେ ଆନ୍ଧ୍ରପ୍ରଦେଶର ଜଗନ ମୋହନ ରେଡ୍ଡୀଙ୍କ ସରକାର ସରକାରୀ ଯୋଜନାର ପ୍ରଚାରପ୍ରସାର ପାଇଁ କିଛି ସ୍ବେଚ୍ଛାସେବୀ ନିଯୁକ୍ତ କରିଥିଲେ । ପ୍ରାୟ ୨.୫୬ ଲକ୍ଷ ସ୍ବେଚ୍ଛାସେବୀ ନିଯୁକ୍ତ କରାଯାଇଥିଲା ।

ଏହାପରେ ୨୦୨୨ ଜୁନରେ ଆନ୍ଧ୍ରପ୍ରଦେଶ ସରକାର ଦୁଇଟି ସରକାରୀ ନିର୍ଦ୍ଦେଶ(GO) ପାରିତ କରିଥିଲେ । ଯେଉଁଥିରେ ଗ୍ରାମ ତଥା ୱାର୍ଡର ସେହି ୨.୫୬ ଲକ୍ଷ ସ୍ବେଚ୍ଛାସେବୀଙ୍କୁ ସେମାନଙ୍କର ମାସିକ ୫୦୦୦ ହଜାର ଦରମା ବ୍ୟତୀତ ଗୋଟିଏ ନିର୍ଦ୍ଧିଷ୍ଟ ଖବରକାଗଜ କିଣିବା ପାଇଁ ଅତିରିକ୍ତ ୨୦୦ ଟଙ୍କା ପ୍ରଦାନ କରାଯିବାକୁ ବ୍ୟବସ୍ଥା ଥିଲା । ଏହାପରେ ଗତବର୍ଷ ଡିସେମ୍ବରରେ ୧.୪୫ ଲକ୍ଷ ସ୍ବେଚ୍ଛାସେବୀଙ୍କୁ ୨୦୦ ଟଙ୍କା ଅର୍ଥରାଶି ପ୍ରଦାନ ମଞ୍ଜୁର କରିବାକୁ ଅନ୍ୟ ଏକ GO ପାରିତ ହୋଇଥିଲା । ରାଜ୍ୟ ସରକାରଙ୍କ ଏହି ଦୁଇଟି ଆଦେଶକୁ ଚଳିତ ବର୍ଷ ଫେବୃଆରୀରେ ଇନାଡୁ ଖବରକାଗଜ ଆନ୍ଧ୍ର ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ।

ଯଦିଓ ସରକାରୀ ନିର୍ଦ୍ଦେଶରେ 'ସାକ୍ଷୀ ଖବରକାଗଜ' ନାମ ନିର୍ଦ୍ଧିଷ୍ଟ ରୂପେ ଉଲ୍ଲେଖ ନଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ମାଲିକାନାରେ ଏହି ଖବରକାଗଜ ଥିବା ଏବଂ ଏହାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଉପରୋକ୍ତ ଦୁଇଟି ଆଦେଶ ପାରିତ କରିଥିବା ଇନାଡୁ ଦର୍ଶାଇଥିଲା । ଏହାସହିତ ଇନାଡୁ ଅଭିଯୋଗ କରିଥିଲା ଯେ, ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ଇନାଡୁକୁ କାମଳ ମିଡିଆ କହିବା ସହ ଏହାକୁ ନପଢିବା ପାଇଁ ଲୋକଙ୍କୁ ଆହ୍ବାନ କରିଥିଲେ ।

ଆନ୍ଧ୍ର ହାଇକୋର୍ଟ ମୁଖ୍ୟ ବିଚାରପତି ଇନାଡୁ ଆବେଦନକୁ ବିଚାରକୁ ନେଇ ଅନ୍ତରୀଣ ଆଦେଶ ଦେବାକୁ ମନା କରିଦେଇଥିଲେ ଏବଂ ୨୦୨୦ର ଅନ୍ୟ ଏକ ଜନସ୍ବାର୍ଥ ମାମଲା ସହିତ ଏହାର ଶୁଣାଣି ପାଇଁ ରଖିଥିଲେ । ଏହା ବିରୋଧରେ ଇନାଡୁ ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍ ପିଟିସନ ଦାଖଲ କରିଥିଲା । ଏହାକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ଗତ ମାର୍ଚ୍ଚ ୨୯ରେ ପ୍ରତିପକ୍ଷକୁ ନୋଟିସ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ଗତକାଲି(ସୋମବାର) ଆନ୍ଧ୍ର ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସିଏସ ବିଦ୍ୟାନାଥନ ଓ ରଞ୍ଜିତ କୁମାର କୋର୍ଟରେ ହାଜର ହୋଇଥିଲେ ।

ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତ ସ୍ବେଚ୍ଛାସେବୀମାନେ କିଏ ଏବଂ କେଉଁ ପରିପ୍ରେକ୍ଷୀରେ ସେମାନଙ୍କୁ ନିଯୁକ୍ତି ଦିଆଗଲା ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଥିଲେ । ସମ୍ପୃକ୍ତ ସ୍ବେଚ୍ଛାସେବୀମାନେ ଦଳୀୟ କର୍ମୀ ହୋଇଥିବା ଏବଂ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ସେମାନଙ୍କୁ ନିଯୁକ୍ତ କରାଯାଇଥିବା ପିଟିସନରଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା । ଫଳରେ ଏନେଇ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ଏହାସହିତ ଦିଲ୍ଲୀ ହାଇକୋର୍ଟ ଖଣ୍ଡପୀଠରେ ମାମଲାର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏପ୍ରିଲ ୧୭ରେ ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି ।

Last Updated :Apr 11, 2023, 7:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.