ETV Bharat / bharat

ଶ୍ରମିକଙ୍କ ଉପରେ ଖସିଲା ମକା ବସ୍ତା; ୭ ଜଣଙ୍କ ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି

author img

By ETV Bharat Odisha Team

Published : Dec 5, 2023, 1:37 PM IST

Workers Trapped Under Maize Sacks: ଗୋଦାମରେ କାମ କରୁଥିବା ବେଳେ ଶ୍ରମିକଙ୍କ ଉପରେ ଖସିଲା ମକା ବସ୍ତା । ୭ ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ମକା ବସ୍ତା ତଳେ ଚାପି ହୋଇ ଶ୍ରମିକ ମୃତ
ମକା ବସ୍ତା ତଳେ ଚାପି ହୋଇ ଶ୍ରମିକ ମୃତ

ବେଙ୍ଗାଲୁରୁ: କର୍ଣ୍ଣାଟକର ବିଜୟପୁରା ସହରରେ ଥିବା ଗୋଟିଏ ଖାଦ୍ୟ ଗୋଦାମରେ ବଡ଼ ଧରଣର ଅଘଟଣ ଘଟିଛି । ଗୋଦାମରେ କାମ କରୁଥିବା ବେଳେ ଶ୍ରମିକମାନଙ୍କ ଉପରେ ମକା ବସ୍ତା ଖସି ପଡ଼ିବାରୁ ଅତିକମରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକମାନେ ବିହାରର ଅଧିବାସୀ । ଏବେ ବି ବସ୍ତା ତଳେ ଆହୁରି ଅନେକ ଶ୍ରମିକ ଫସି ରହିଛନ୍ତି । ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତ ସୋମବାର ରାତିରେ ବିଜୟପୁରା ସହରର ଏକ ଘରୋଇ ଖାଦ୍ୟ ଗୋଦାମରେ ଏହି ଅଘଟଣ ଘଟିଛି ।

ପୋଲିସ ସୂଚନା ଦେଇଛି ଯେ, ସୋମବାର ରାତିରେ ରାଜଗୁରୁ ଇଣ୍ଡଷ୍ଟ୍ରୀଜ ଗୋଦାମର ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟରେ କାମ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏଠାରେ କାମ କରୁଥିବା ଅତିକମରେ ୧୧ ଜଣ ଶ୍ରମିକଙ୍କ ଉପରେ ମକା ବସ୍ତା ଖସି ପଡ଼ିଥିଲା । ଫଳରେ ବସ୍ତା ତଳେ ଦବି ଯାଇ ଅଣନିଶ୍ବାସୀ ହେବା ଯୋଗୁଁ ଶ୍ରମିକମାନଙ୍କ ମୃତ୍ୟୁ ଘଟିଛି । ଏଥିରେ ଏବେ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ମୃତକମାନେ ହେଲେ ରାଜେଶ ମୁଖିଆ, ଶମ୍ଭୁ ମୁଖିଆ, ଲୁଖୋ ଯାଦବ, ରାମ ବଲାକ । ଅନ୍ୟ ଜଣଙ୍କ ପରିଚୟ ମିଳିପାରିନି । ଏସଡିଆରଏଫ ଟିମ୍ ଓ ଅଗ୍ନିଶମ ବାହିନୀ ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ ଚଳାଇଛି । ଉଦ୍ଧାର କାର୍ଯ୍ୟରେ ୪ରୁ ୫ଟି ଜେସିବି ମଧ୍ୟ ନିୟୋଜିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଚେନ୍ନାଇରେ ବର୍ଷା ବିତ୍ପାତ; ଗଲାଣି ୫ ଜୀବନ, ଉବୁଟୁବୁ ହେଉଛି ସହର

କର୍ଣ୍ଣାଟକ କ୍ୟାବିନେଟ ମନ୍ତ୍ରୀ ଏମବି ପାଟିଲ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଉଦ୍ଧାର କାର୍ଯ୍ୟରେ ମୁତୟନ ଥିବା ଟିମ୍ ଏବଂ ଶ୍ରମିକମାନଙ୍କୁ ଭେଟିଛନ୍ତି । ଗଣମାଧ୍ୟମ ସହ ଆଲୋଚନା ବେଳେ ମନ୍ତ୍ରୀ କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ଏଥିରେ ଅତିକମରେ ୭ ଜଣ ବିହାର ଶ୍ରମିକଙ୍କ ମୃତ୍ୟୁ ଘଟିଛି । ବସ୍ତା ତଳେ ଫସିଥିବା ଅନ୍ୟ ଶ୍ରମିକମାନଙ୍କୁ ବାହାର କରିବାକୁ ରେସ୍କ୍ୟୁ ଅପରେସନ ଜାରି ରହିଛି । ବସ୍ତା ତଳୁ ଏବେ ସୁଦ୍ଧା କେବଳ ୩ଟି ମୃତଦେହ ଉଦ୍ଧାର କରାଯାଇ ପାରିଛି । ଶ୍ରମିକମାନଙ୍କ ପରିବାରକୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ସମ୍ପର୍କୀୟଙ୍କୁ ମୃତଦେହ ହସ୍ତାନ୍ତର ପାଇଁ ବ୍ୟବସ୍ଥା କରାଯାଉଛି । ମୁଁ ଏ ବିଷୟରେ ଜିଲ୍ଲାପାଳ, ଏସପି ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛି । ମୃତାହତମାନଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.