ETV Bharat / bharat

ସ୍କୁଲରେ ଶୌଚାଳୟ ଟାଙ୍କି ସଫା କଲେ ଛାତ୍ର, ପ୍ରିନ୍ସିପାଲଙ୍କ ସମେତ ୪ ନିଲମ୍ବିତ

author img

By ETV Bharat Odisha Team

Published : Dec 17, 2023, 9:42 PM IST

Updated : Dec 17, 2023, 9:57 PM IST

Students forced to clean toilets: କର୍ଣ୍ଣାଟକରେ ସ୍କୁଲ ଛାତ୍ରଙ୍କୁ ଶୌଚାଳୟ ଟାଙ୍କି ସଫାରେ ଲଗାଇଲେ ସ୍କୁଲ କର୍ତ୍ତୃପକ୍ଷ । ସ୍କୁଲ ପ୍ରିନ୍ସିପାଲଙ୍କ ସମେତ ୪ ଜଣ ନିଲମ୍ବିତ । ଅଧିକ ପଢନ୍ତୁ

ନାବାଳକ ଛାତ୍ରମାନଙ୍କୁ କରାଇଲେ ମଳ ସଫା ,ପ୍ରିନ୍ସିପାଲଙ୍କ ସମେତ ୪ ନିଲମ୍ବିତ
ନାବାଳକ ଛାତ୍ରମାନଙ୍କୁ କରାଇଲେ ମଳ ସଫା ,ପ୍ରିନ୍ସିପାଲଙ୍କ ସମେତ ୪ ନିଲମ୍ବିତ

ବେଙ୍ଗାଲୁରୁ: କର୍ଣ୍ଣାଟକର କୋଲାର ଜିଲ୍ଲାରେ ଏକ ଅମାନବୀୟ ଘଟଣା ସାମନାକୁ ଆସିଛି । ମାଲୁର ସବଡିଭିଜନର ମୋରାରଜୀ ଆବାସିକ ବିଦ୍ୟାଳୟରେ ଛାତ୍ରଙ୍କୁ ଶୌଚାଳୟ ଟାଙ୍କି ସଫା କରାଇବାର ଘଟଣା ଦେଖିବାକୁ ମିଳିଛି । ଅଭିଯୋଗ ଅନୁସାରେ ବରିଷ୍ଠ ଶିକ୍ଷକଙ୍କ ଉପସ୍ଥିତିରେ ସ୍କୁଲର ଛାତ୍ର ମାନଙ୍କୁ ଶୌଚାଳୟ ଟାଙ୍କି ସଫେଇ କାମରେ ନିୟୋଜିତ କରାଯାଇଥିଲା । ଏହି ମାମଲାରେ ବିଦ୍ୟାଳୟର ପ୍ରିନ୍ସିପାଲ ଭରତମ୍ମା, ୱାଡେନ ମଞ୍ଜୁନାଥ ଏବଂ ଅନ୍ୟ ଦୁଇ ଶିକ୍ଷକ ମୁନିଅପ୍ପା ଏବଂ ଅଭିଷେକଙ୍କୁ ନିଲମ୍ବିତ କରାଯାଇଛି ।

ସୂଚନା ମୁତାବକ ଏହି ଘଟଣା ପରେ ଶିକ୍ଷାର୍ଥୀ ମାନଙ୍କ ଶରୀର, ହାତ ଏବଂ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ପୀଡିତ ଛାତ୍ରମାନେ କାନ୍ଦି କାନ୍ଦି ନିଜର ଅଭିଭାବକଙ୍କୁ ସେମାନଙ୍କୁ ବିଦ୍ୟାଳୟରେ ହଇରାଣ କରାଯାଉଛି ବୋଲି ଜଣାଇଥିଲେ । ଏହି ଘଟଣାର ଭିଡିଓ ମଧ୍ୟ ଭାଇରାଲ ହେବା କଥା ମଧ୍ୟ ସାମନାକୁ ଆସିଛି । ସୂଚନା ଥାଉକି ଏହି ଆବାସିକ ବିଦ୍ୟାଳୟରେ ୨୫୦ରୁ ଊର୍ଦ୍ଧ୍ବ ପିଲା ପାଠ ପଢୁଛନ୍ତି । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସମସ୍ତ ଘଟଣା ସମ୍ପର୍କରେ ଅବଗତ ହେବା ସହ ଆକ୍ସନ ମୋଡକୁ ଆସିଛନ୍ତି । ହୁବଲିରେ ଏ ସମ୍ପର୍କରେ ମିଡିଆରେ ସେ କହିଛନ୍ତି ଯେ ସେ ମାଲୁରର ସ୍କୁଲ ବିଷୟରେ ଜାଣିଛନ୍ତି । ଏହା ଉପରେ ସେ ଏକ ରିପୋର୍ଟ ନେବେ ଏବଂ ଦୋଷୀମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବେ ।

ଏହା ମଧ୍ୟ ପଢନ୍ତୁ ... ମହିଳାଙ୍କୁ ଉଲଗ୍ନ କରି ପରେଡକୁ ନେଇ ପ୍ରତିବାଦ, ବେଙ୍ଗାଲୁରୁରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

ଉକ୍ତ ଘଟଣାକୁ ନେଇ ସମାଜ କଲ୍ୟାଣ ବିଭାଗର ସଂଯୁକ୍ତ ନିର୍ଦେଶକ ଶ୍ରୀନିବାସ ଘଟଣା ସ୍ଥଳରେ ପହଞ୍ଚି ନିରୀକ୍ଷଣ କରିଛନ୍ତି । ଏହା ବ୍ୟତୀତ ସମାଜ କଲ୍ୟାଣ ବିଭାଗର ମନ୍ତ୍ରୀ ଏଚସି ମହାଦେବପ୍ପା ସମ୍ପୃକ୍ତ ଷ୍ଟାଫମାନଙ୍କୁ ନିଲମ୍ବିତ କରିବା ସହ ଯାଞ୍ଚର ଆଦେଶ ଦେଇଥିଲେ । ବିଭାଗୀୟ ମନ୍ତ୍ରୀ ଏନେଇ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ପିଲା ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି ।

ଏହାକୁ ନେଇ ବିରେଧୀ ବିଜେପିର ପ୍ରଦେଶ ଅଧ୍ୟକ୍ଷ ବି ୱାଇ ବିଜୟେନ୍ଦ୍ର ମାମଲାକୁ ନେଇ ସରକାରଙ୍କୁ ନିନ୍ଦା କରିବା ସହ ରାଜ୍ୟରେ କଂଗ୍ରେସ ସରକାର ଶାସନରେ ମହିଳା ଓ ଶିଶୁ ମାନେ ସୁରକ୍ଷିତ ନୁହଁନ୍ତି ବୋଲି କହିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସେ ଲେଖିଛନ୍ତି ଯେ ଏହା ଏକ ଚିନ୍ତାଜନକ ଘଟଣା । ଅନୁସୂଚିତ ବର୍ଗର ଲୋକ ମାନଙ୍କୁ ଶୋଷଣର ଶିକାର ହେବାକୁ ପଡୁଛି । ମାଲୁରରେ ପିଲା ମାନଙ୍କୁ ମଳ ଖାଲରେ ପଠାଯିବା ସହ ସେମାନଙ୍କ ସହ ମାରପିଟ ମଧ୍ୟ କରାଯାଇଛି । ବିଜେପି ଏହାର କଡା ନିନ୍ଦା କରିବା ସହ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଏହା ସହ ସମାଜ କଲ୍ୟାଣ ମନ୍ତ୍ରୀ ଏହି ଘଟଣା ପାଇଁ ନୈତିକ ଭାବେ ଉତ୍ତରଦାୟୀ ବୋଲି ବିଜେପି କହିଛି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

Last Updated : Dec 17, 2023, 9:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.