ରାଜସ୍ଥାନ ବିଧାନସଭାରେ ରାଇଟ୍ ଟୁ ହେଲଥ୍ ବିଲ୍ ପାରିତ, ଜାଣନ୍ତୁ କାହିଁକି ଡାକ୍ତରମାନେ କରୁଛନ୍ତି ବିରୋଧ ?

author img

By

Published : Mar 22, 2023, 3:33 PM IST

ରାଜସ୍ଥାନ ବିଧାନସଭାରେ ରାଇଟ୍ ଟୁ ହେଲଥ୍ ବିଲ୍ ପାରିତ

ଘରୋଇ ଡାକ୍ତରଙ୍କ ଆନ୍ଦୋଳନ ସତ୍ତ୍ବେ ରାଜସ୍ଥାନ ବିଧାନସଭାରେ ରାଇଟ୍ ଟୁ ହେଲଥ୍ ବିଲ୍ ପାରିତ । ଜରୁରୀ ପରିସ୍ଥିତିରେ ଘରୋଇ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା । ଅଧିକ ପଢନ୍ତୁ

ଜୟପୁର: ରାଜସ୍ଥାନ ବିଧାନସଭାରେ ପାରିତ ହେଲା ରାଇଟ ଟୁ ହେଲଥ୍ (ସ୍ବାସ୍ଥ୍ୟ ଅଧିକାର) ବିଲ୍ । ପ୍ରବଳ ବିରୋଧାଭାସ ମଧ୍ୟରେ ମଙ୍ଗଳବାର ଗୃହରେ ସ୍ବାସ୍ଥ୍ୟ ଅଧିକାର ବିଲ୍ ପାରିତ ହୋଇଛି । ଏହାକୁ ରାଜ୍ୟବ୍ୟାପୀ ଘରୋଇ ଡାକ୍ତରମାନେ ଜୋରଦାର ବିରୋଧ କରୁଛନ୍ତି । ଜୟପୁର ରାଜରସ୍ତାରେ ଦୁଇ ଦିନ ହେଲାଣି ଘରୋଇ ଡାକ୍ତରମାନେ ବିଲ୍ ବିରୋଧରେ ଆନ୍ଦୋଳନ ଚଳାଇଛନ୍ତି । ସୋମବାର ଆନ୍ଦୋଳନକାରୀ ବିଧାନସଭା ଆଡକୁ ପଶିବାକୁ ଚେଷ୍ଟା କରୁଥିବାବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଯାଇ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ଡାକ୍ତରଙ୍କ ଉପରେ ଲାଠିଚାର୍ଜ ଏବଂ ପାଣି ସ୍ପ୍ରେ କରିଥିଲା । ଡାକ୍ତରଙ୍କ ବିରୋଧ ସତ୍ତ୍ବେ ରାଇଟ ଟୁ ହେଲଥ୍ ପାରିତ ହୋଇଛି ।

ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୀଣା ବିଲ୍ ସପକ୍ଷରେ କହିଛନ୍ତି ଯେ, ଏହି ବିଲ୍ ସାଧାରଣ ଜନତାଙ୍କ ଅଧିକାର । ଅନେକ ବଡ ବଡ ହସ୍ପିଟାଲ ଅଛି ଯାହାକୁ ସରକାର କମ୍ ମୂଲ୍ୟରେ ଜମି ଯୋଗାଇ ଦେଇଛନ୍ତି । କିନ୍ତୁ ସେହି ହସ୍ପିଟାଲଗୁଡିକୁ ରୋଗୀଙ୍କୁ ଠକୁଛନ୍ତି । ଚିରଞ୍ଜୀବ କାର୍ଡ ଥାଇ ସୁଦ୍ଧା ସେମାନେ ଆଡଭାନ୍ସ ଟଙ୍କା ମାଗୁଛନ୍ତି । ହେଲେ ଏଣିକି ଏହି ବିଲ୍ ଆସିବା ପରେ ଚିରଞ୍ଜୀଜୀ କାର୍ଡ ହିତାଧିକାରୀଙ୍କୁ ମାଗଣାରେ ଚିକିତ୍ସା କରିବାକୁ ପଡିବ ।

ଏହି ବିଲ୍ ଜରିଆରେ ଜରୁରୀ ପରିସ୍ଥିତିରେ ଲୋକେ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲେ ମାଗଣା ସ୍ବାସ୍ଥ୍ୟ ସେବା ପାଇପାରିବେ । ରୋଗୀଙ୍କ ପାଖରେ ଯଦି ଟଙ୍କା ନଥାଏ ତାହାହେଲେ ମଧ୍ୟ ଘରୋଇ ହସ୍ପିଟାଲ ଚିକିତ୍ସା ପାଇଁ ମନା କରିପାରିବେ ନାହିଁ । ରାଜ୍ୟ ଓ ଜିଲ୍ଲାସ୍ତରରେ ଏହି ନିୟମର ଅନୁପାଳନ ପାଇଁ ପ୍ରାଧିକରଣ ଗଠନ କରାଯିବ । ସେହିପରି ରାଇଟ ଟୁ ହେଲଥ୍ ବିଲ୍‌ ଅନୁସାରେ, ଗମ୍ଭୀର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯିବା ସ୍ଥିତିରେ ହସ୍ପିଟାଲଗୁଡିକ ଆମ୍ବୁଲାନ୍ସ ବ୍ୟବସ୍ଥା କରିବା ବାଧ୍ୟତାମୂଳକ କରାଯାଇଛି । ତେବେ ଆମ୍ବୁଲାନ୍ସ ଜନିତ ଖର୍ଚ୍ଚ ବହନ ସରକାର ବହନ କରିବେ ନା ନାହିଁ ସେନେଇ ନୂତନ ବିଲ୍‌ରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।

ରାଇଟ ଟୁ ବିଲ୍ ଅନୁସାରେ ଘରୋଇ ହସ୍ପିଟାଲକୁ ସରକାରୀ ଯୋଜନା ମୁତାବକ ସବୁ ରୋଗର ନିଶୁଳ୍କ ଚିକିତ୍ସା କରିବକୁ ପଡିବ । ତେବେ ସରକାର ଜୋର ଜବରଦସ୍ତି ନିଜର ନିଷ୍ପତ୍ତି ଘରୋଇ ହସ୍ପିଟାଲ ଡାକ୍ତରଙ୍କ ଉପରେ ଲଦି ଦେଉଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି । ସରକାର ଏହି ଯୋଜନା ସରକାରୀ ହସ୍ପିଟାଲରେ ବି ଲାଗୁ କରିପାରିବେ । ଦୁର୍ଘଟଣାରେ ଆହତଙ୍କ ବ୍ରେନ ହାମରେଜ ଏବଂ ହୃଦଘାତରେ ଶିକାର ରୋଗୀଙ୍କୁ ସବୁ ଘରୋଇ ହସ୍ପିଟାଲରେ ଚିକିତ୍ସା କରିବା ସମ୍ଭବପର ନୁହେଁ । କିନ୍ତୁ ଏସବୁ ଏମରଜେନ୍ସି ପରିସରରେ ଆସୁଛି । ତେଣୁ ଏ ଦିଗରେ ସରକାର ସ୍ପଷ୍ଟ ସୂଚନା ଦିଅନ୍ତୁ ବୋଲି ଆନ୍ଦୋଳନକାରୀ ଦାବି କରିଛନ୍ତି ।

ସ୍ବାସ୍ଥ୍ୟ ଅଧିକାର ବିଲ୍‌ ଅନୁସାରେ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲ ପହଞ୍ଚାଉଥିବା ଗାଡିକୁ ୫୦୦୦ ଟଙ୍କା ପ୍ରୋତ୍ସାହନ ରାଶି ଭାବେ ପ୍ରଦାନ କରାଯିବ । କିନ୍ତୁ ହସ୍ପିଟାଲମାନଙ୍କୁ ସମ୍ପୃକ୍ତ ବ୍ୟକ୍ତିଙ୍କ ମାଗଣା ଚିକିତ୍ସା କରିବାକୁ ପଡିବ । ଏହା କେମିତି ସମ୍ଭବ ବୋଲି ଆନ୍ଦୋଳନକାରୀ ପ୍ରଶ୍ନ କରିଛନ୍ତି ଏବଂ ଏହାଦ୍ବାରା ଚିକିତ୍ସା ଗୁଣାବତ୍ତା ପ୍ରଭାବିତ ହେବ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.