ETV Bharat / bharat

Manipur Violence: ଆଜିଠୁ ଦୁଇ ଦିନିଆ ମଣିପୁର ଗସ୍ତରେ ରାହୁଲ ଗାନ୍ଧୀ

author img

By

Published : Jun 29, 2023, 9:13 AM IST

ଆଜିଠୁ ରାହୁଲ ଗାନ୍ଧୀଙ୍କ ଦୁଇ ଦିନିଆ ମଣିପୁର ଗସ୍ତ । ରିଲିଫ କ୍ୟାମ୍ପରେ ହିଂସାରେ ପ୍ରଭାବିତ ହୋଇ ଆଶ୍ରୟ ନେଇଥିବା ପୀଡିତଙ୍କୁ ଭେଟିବେ ରାହୁଲ । ଅଧିକ ପଢନ୍ତୁ

Rahul Gandhis two days visit of Manipur
Rahul Gandhis two days visit of Manipur

ନୂଆଦିଲ୍ଲୀ: ଆଜି ହିଂସା ପ୍ରବଣ ମଣିପୁର ଗସ୍ତ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦୁଇ ଦିନିଆ ମଣିପୁର ଗସ୍ତରେ ରହିବେ ରାହୁଲ । ମଣିପୁରରେ ପହଞ୍ଚିବା ପରେ ରିଲିଫ କ୍ୟାମ୍ପରେ ହିଂସାରେ ପ୍ରଭାବିତ ହୋଇ ଆଶ୍ରୟ ନେଇଥିବା ପୀଡିତଙ୍କୁ ସାକ୍ଷାତ କରିବେ । ଏଥିସହ ରାଜଧାନୀ ଇମ୍ଫାଲରେ ସିଭିଲ ସୋସାଇଟ ସଦସ୍ୟଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ କଂଗ୍ରେସ ଦଳର ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଲ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଗତ ମେ’ ମାସ 3 ତାରିଖରେ ମଣିପୁରରେ ଚୋରାଚାନ୍ଦପୁର ଜିଲ୍ଲାରେ ଅଲ୍ ଟ୍ରାଇବାଲ ଷ୍ଟୁଡେଣ୍ଟ ୟୁନିୟନ ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି ସମୟରେ ଅନୁସୂଚିତ ଜନଜାତି ମାନ୍ୟତା ଦାବିକୁ ନେଇ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ସାମ୍ପ୍ରଦାୟିକ ହିଂସା ସମଗ୍ର ରାଜ୍ୟକୁ ବ୍ୟାପି ଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ହିଂସା ଥମିବାର ନା ଧରୁନି । ହିଂସାକାଣ୍ଡରେ ପ୍ରାୟ ଶତାଧିକ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ 50 ହଜାରରୁ ଅଧିକ ପ୍ରଭାବିତ ଲୋକଙ୍କୁ ବିଭିନ୍ନ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି ।

ଏହି ହିଂସାକାଣ୍ଡ ନେଇ ପ୍ରଧାନମନ୍ତ୍ରୀ ମୁହଁ ଖୋଲୁନଥିବା ବେଳେ ହିଂସା ରୋକିବାରେ ମୁଖ୍ୟମନ୍ତ୍ରୀ ଏନ ବିରେନ ବିଫଳ ହୋଇଥିବା କହି ତାଙ୍କୁ ଶାସନ ଗାଦିରୁ ହଟାଇବାକୁ ବିରୋଧି ଦାବି କରିଛନ୍ତି । ଗତ ଦୁଇ ମାସ ହେଲା ହିଂସା ଲାଗି ରହିଥିବା ବେଳେ ଯନ୍ତ୍ରଣା ଭୋଗୁଛନ୍ତି ମଣିପୁରବାସୀ । ରାହୁଲ ଗାନ୍ଧୀଙ୍କ ଗସ୍ତ ମଣିପୁରବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ଦେବ ବୋଲି କହିଛନ୍ତି କେ.ସି ବେଣୁଗୋପାଲ ।

ବେଣୁଗୋପାଲ ଟ୍ବିଟ କରି କହିଛନ୍ତି ଯେ, ମଣିପୁର ଗତ 2 ଦୁଇ ମାସ ହେଲା ଜଳୁଛି । ବର୍ତ୍ତମାନ ଲୋକଙ୍କୁ ଏକ ଆଶ୍ବସନାର ଆବଶ୍ୟକତା ରହିଛି । ଯାହା ଦ୍ବାରା ସମାଜ ହିଂସା ପରିବର୍ତ୍ତେ ଶାନ୍ତି ଦିଗକୁ ଗତି କରିବ । ଏହା ଏକ ମାନବବାଦୀ ଦୁଃଖଦ ଘଟଣା । ଏହି ସମୟରେ ଘୃଣା ନୁହଁ ବରଂ ପ୍ରେମ ବାଣ୍ଟିବା ଆମର ଦାୟିତ୍ବ ।

ଏହା ମଧ୍ୟ ପଢନ୍ତୁ-Manipur Violence: 24 ଘଣ୍ଟାରେ 12 ସୁଡଙ୍ଗ ଧ୍ବଂସ, 30 ଯାଏ ଇଣ୍ଟରନେଟ ବନ୍ଦ

ଗତ ସପ୍ତାହରେ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ବସିଥିଲା । ଯେଉଁଥିରେ ମଣିପୁରର ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିରୋଧୀ ମଧ୍ୟ ଏକ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ମଣିପୁର ପଠାଇବା ପାଇଁ ଶାହଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ । ହେଲେ କେନ୍ଦ୍ର ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ଓ ଅନ୍ୟ ରାଜନୈତିକ ଦଳମାନେ ଭରସା ରଖିବାକୁ କହିଥିଲେ ଶାହ । ଏହି ବୈଠକରେ ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଓକ୍ରାମ ଅବୋବି ସିଂ ଯୋଗ ଦେଇଥିଲେ । ରାହୁଲ ଗାନ୍ଧୀଙ୍କ ଦୁଇ ଦିନିଆ ମଣିପୁର ଗସ୍ତ ସମୟରେ ଶାନ୍ତି ବଜାୟ ରଖିବାକୁ ମଣିପୁରବାସୀଙ୍କୁ ନିବେଦନ କରିଛନ୍ତି ଓକ୍ରାମ ଅବୋବି ସିଂ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.