ETV Bharat / bharat

G20 summit: ଭାରତ ଆସିବେ ପୁଟିନ, ବିଚାର ବିମର୍ଶ କରୁଛି ମସ୍କୋ

author img

By

Published : Mar 13, 2023, 10:25 PM IST

ଜି 20 ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଆସିବେ ପୁଟିନ । ଭାରତ ଗସ୍ତ ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବନାହିଁ ବୋଲି କହିଲା ମସ୍କୋ । ଅଧିକ ପଢନ୍ତୁ

G20 summit: ଭାରତ ଆସିବ ପୁଟିନ, ଚାଲିଛି ବିଚାର ବିମର୍ଶ
G20 summit: ଭାରତ ଆସିବ ପୁଟିନ, ଚାଲିଛି ବିଚାର ବିମର୍ଶ

ହାଇଦ୍ରାବାଦ: ଚଳିତ ବର୍ଷ ଭାରତ ଗସ୍ତ କରିପାରନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଚଳିତବର୍ଷ ଭାରତ ଅଧ୍ୟକ୍ଷତାରେ ଆୟୋଜିତ ହେଉଥିବା ଜି 20 ସମ୍ମିଳନୀ ଅଂଶଗ୍ରହଣ କରିବା ପାଇଁ ପୁଟିନ ଭାରତ ଆସିବା ନେଇ ଚର୍ଚ୍ଚା ହେଉଛି । ଗସ୍ତ ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ ବୋଲି କହିବା ସହ ଏ ସମ୍ପର୍କରେ କୌଣସି ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ ହୋଇନଥିବା କ୍ରେମଲିନ ପ୍ରବକ୍ତା ସୂଚନା ଦେଇଛନ୍ତି । ଏହି ବର୍ଷ ଶେଷ ଭାଗରେ ଜି 20 ସମ୍ମିଳନୀର ଅନ୍ତିମ କାର୍ଯ୍ୟକ୍ରମ ଭାରତରେ ଆୟୋଜିତ ହେବାକୁ ଯାଉଛି । ସମସ୍ତ ଜି 20 ସଦସ୍ୟ ରାଷ୍ଟ୍ରମୁଖ୍ୟ ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ନୂଆଦିଲ୍ଲୀରେ ଚୂଡାନ୍ତ କାର୍ଯ୍ୟକ୍ରମ ରଖାଯାଇଛି ।

ଋଷ ଗଣମାଧ୍ୟରେ ପ୍ରକାଶିତ ଖବର ଅନୁସାରେ, ମସ୍କୋ ସ୍ଥିତ ପୁଟିନ ପ୍ରଶାସନର ମୁଖ୍ୟାଳୟ (କ୍ରେମଲିନ)ର ମୁଖପାତ୍ର ଡିମଟ୍ରି ପେସକୋଭଙ୍କୁ (Dmitry peskov) ପୁଟିନଙ୍କ ଭାରତ ଗସ୍ତ ନେଇ ପ୍ରଶ୍ନ କରିଥିଲେ ଗଣମାଧ୍ୟମ ପ୍ରତିନିଧି । ଭାରତରେ ହେବାକୁ ଥିବା ଶିଖର ସମ୍ମିଳନୀ (ଜି 20) ରେ ପୁଟିନଙ୍କ ଅଂଶଗ୍ରହଣକୁ ବିଚାର କରାଯାଉଛି କି ନାହିଁ ବୋଲି ପଚରାଯାଇଥିବା ପ୍ରଶ୍ନରେ ମୁଖପାତ୍ର ପେସକୋଭ କହିଛନ୍ତି, ‘‘ପୁଟିନଙ୍କ ଭାରତ ଗସ୍ତ ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । କିନ୍ତୁ ଏପର୍ଯ୍ୟନ୍ତ ସେ ସମ୍ପର୍କରେ କୌଣସି ନୀତିଗତ ନିଷ୍ପତ୍ତି ନିଆଯାଇ ନାହିଁ ।’’ ଅନ୍ୟପଟେ ୟୁକ୍ରେନରେ ସାମରିକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ପୁଟିନ ଏବେ ବିଦେଶ ଗସ୍ତ କରୁନାହାନ୍ତି । ସେହିକ୍ରମରେ ଏହି କାର୍ଯ୍ୟକ୍ରମରେ ଅନ୍ୟ ସମସ୍ତ ଜି 20 ସଦସ୍ୟ ରାଷ୍ଟ୍ରମୁଖ୍ୟ ଭାରତ ଗସ୍ତ କରୁଥିବା ବେଳେ ତାଙ୍କ ଗସ୍ତ ନେଇ ଅନିଶ୍ଚିତତା ଲାଗି ରହିଛି ।

ଅନ୍ୟପଟେ ଭାରତ ସହ ଋଷର ଦୀର୍ଘକାଳୀନ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ରହିଛି । ଋଷ-ୟୁକ୍ରେନ ସଙ୍କଟ ମଧ୍ୟରେ ଋଷର ସାମରିକ କାର୍ଯ୍ୟାନୁଷ୍ଠାନକୁ ଏକାଧିକ ରାଷ୍ଟ୍ର ପ୍ରତ୍ୟେକ୍ଷ ନିନ୍ଦା କରିଥିବା ବେଳେ ଭାରତ ଭାରସାମ୍ୟ ରଖି ଆଭିମୁଖ୍ୟ ଗ୍ରହଣ କରିଥିଲା । ଋଷ ବିରୋଧରେ ମନ୍ତବ୍ୟ ନରଖି ଭାରତ କେବଳ ଶାନ୍ତି ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦୁଇ ଦେଶକୁ ପ୍ରସ୍ତାବ ଦେଇଥିଲା । ଅନ୍ୟପଟେ ଏହି ପ୍ରସଙ୍ଗରେ ଜାତିସଂଘରେ ଋଷ ବିରୋଧରେ ଏକାଧିକ ଥର ଭୋଟିଂ ହୋଇଥିବା ବେଳେ ପ୍ରତ୍ୟେକ ଥର ଭାରତ ଏହି ଭୋଟିଂରୁ ବିରତ ରହି ଋଷ ପ୍ରତି ଥିବା ଦୀର୍ଘକାଳୀନ ବନ୍ଧୁତ୍ବର ଭୂମିକା ଲିଭାଇଛି ।

ଏପରି ସମୟରେ ଅନ୍ୟ ଦେଶମାନଙ୍କ ଅପେକ୍ଷା ଭାରତ ସହ ଋଷର ସମ୍ପର୍କ ଅପେକ୍ଷାକୃତ ବେଶ ଭଲ ରହିଛି । ତେବେ ରାଷ୍ଟ୍ରପତି ପୁଟିନ ଭାରତ ଗସ୍ତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସମୟ ନିକଟବର୍ତ୍ତୀ ହେଲେ ମସ୍କୋ ଏନେଇ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବା ନେଇ ଅନୁମାନ କରାଯାଉଛି । ହେଲେ କ୍ରେମଲିନର ଏପରି ସୂଚନା ପରେ ପୁଟିନଙ୍କ ଗସ୍ତକୁ ସମ୍ପୂର୍ଣ୍ଣ ଅସମ୍ଭବ ବୋଲି ମଧ୍ୟ ବିଚାର କରାଯାଇନପାରେ ।

ଗତବର୍ଷ (2022) ଜି-20 ସମ୍ମିଳନୀ ଇଣ୍ଡୋନେସିଆରେ ଆୟୋଜିତ ହୋଇଥିଲା । ବାଲିରେ ଆୟୋଜିତ ଉଦଯାପନୀ ସମାରୋହରେ ସମସ୍ତ ସଦସ୍ୟ ରାଷ୍ଟ୍ରମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଂଶଗ୍ରହଣ କରିଥିଲେ । ପରେ ସେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ଠାରୁ ଜି 20 ସମ୍ମିଳନୀ-2023 ପାଇଁ ଅଧ୍ୟକ୍ଷତା ଭାର ଗ୍ରହଣ କରି ନୂଆଦିଲ୍ଲୀ ପ୍ରସ୍ଥାନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.