ETV Bharat / bharat

ବିରୋଧୀ କହୁଛନ୍ତି ମୋ କବର ଖୋଳିବେ: ପ୍ରଧାନମନ୍ତ୍ରୀ ମୋଦି

author img

By

Published : Apr 6, 2023, 6:17 PM IST

Etv Bharat
Etv Bharat

ବିଜେପି ନେତୃତ୍ବାଧୀନ ସରକାର ବିରୋଧୀମାନଙ୍କ ବିପକ୍ଷରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏଣୁ ବିରୋଧୀମାନେ କହୁଛନ୍ତି ମୋର କବର ଖୋଳିବେ । ବିରୋଧୀଙ୍କ ଉପରେ ବର୍ଷି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବିଜେପିର ୪୪ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ସରକାର ସିଧାସଳଖ ବିରୋଧୀଙ୍କ ବିରୋଧରେ କଡ଼ା ନିୟମ ତଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏଥିଲାଗି ସେମାନେ ମୋ କବର ଖୋଳିବେ ବୋଲି କହୁଛନ୍ତି । ଯାହାକି ସେମାନଙ୍କର ହୀନ ମାନସିକତାକୁ ପଦାରେ ପକାଇଛି ବୋଲି ମୋଦି କହିଛନ୍ତି ।

ମୋଦି ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳ ଉପରେ ମଧ୍ୟ ବର୍ଷିଛନ୍ତି । ବିଜେପି ଗୋଟିଏ ପଟେ ସମସ୍ତଙ୍କୁ ସାଥୀରେ ନେଇ ଆଗକୁ ବଢିବା ପ୍ରଥା ଆରମ୍ଭ କରିଥିବା ବେଳେ ଏପଟେ ବିରୋଧୀ ବିଭାଜନ କରୁଛନ୍ତି । ସେମାନେ ପରିବାରବାଦ, ବଂଶବାଦ, ଜାତିବାଦ ଏବଂ ଆଞ୍ଚଳିକତାବାଦ ସଂସ୍କୃତିକୁ ପ୍ରଚଳିତ କରିବା ଲାଗି ଉଦ୍ୟମ କରୁଛନ୍ତି । ଏହାସହ ଶାସକ ଦଳ ବିରୋଧରେ ଲଗାତାର ଭାବେ ଷଡ଼ଯନ୍ତ୍ର କରୁଛନ୍ତି । ମାତ୍ର ବିଜେପି ନେତୃତ୍ବାଧୀନ ସରକାର ଭ୍ରଷ୍ଟାଚାର, ପରିବାରବାଦରୁ ଭାରତକୁ ମୁକ୍ତ କରିବା ଲାଗି ନ୍ୟାୟ ବ୍ୟବସ୍ଥା ସହିତ କଡ଼ା ପଦକ୍ଷେପ ଗ୍ରହଣ କରିବା ଲାଗି ପ୍ରତିଶୃତିବଦ୍ଧ ବୋଲି ମୋଦି କହିଛନ୍ତି ।

ଏହା ବି ପଢନ୍ତୁ- BJP 44th Foundation Day: ଲୋକଙ୍କ ଆଶାର କିରଣ ବିଜେପି କହିଲେ ପ୍ରଧାନମନ୍ତ୍ରୀ

ମୋଦି ଆହୁରି କହିଛନ୍ତି, "ବିରୋଧୀ ଦଳଗୁଡ଼ିକ ଏତେ ନିରାଶ ରହିଛନ୍ତି ଯେ ଶେଷରେ କହିଛନ୍ତି ମୋର କବର ଖୋଳିବେ । ହେଲେ ଗରିବ ଭାଇ ଭଉଣୀ, ଆଦିବାସୀ ଓ ପଛୁଆ ବର୍ଗ ମୋ ସହିତ ରହିଛନ୍ତି । ଦଳିତ ବର୍ଗ ଓ ମହିଳାମାନେ ଆଗକୁ ମଧ୍ୟ ପଦ୍ମର ସୁରକ୍ଷା କରିବେ ଏବଂ ଏହାକୁ ଫୁଟାଇବାରେ ସହଯୋଗ କରିବେ । ପଦ୍ମ ହେଉଛି ବିଜେପିର ଚିହ୍ନ । ବିରୋଧୀ ଦଳଗୁଡ଼ିକ ବାଦଶାହ ମନୋଭାବ ରଖିଥିବା ବେଳେ ଗରିବ ଓ ପଛୁଆବର୍ଗଙ୍କ ସହିତ ସେହିପରି ବ୍ୟବହାର କରୁଛନ୍ତି । ମାତ୍ର ଗତ ୨୦୧୪ ମସିହାରୁ ଏହି ବର୍ଗ ବିଜେପି ଦ୍ବାରା ଶକ୍ତିଶାଳୀ ହୋଇଛନ୍ତି ।"

ଏହି ସମାରୋହରେ ଯୋଗ ଦେଇ ବିଜେପି ଓ ପ୍ରଭୁ ହନୁମାନଙ୍କ ମଧ୍ୟରେ ଥିବା ସମାନତା ସମ୍ପର୍କରେ ମୋଦି ଆଲୋଚନା କରିଥିଲେ । ସେ କହିଥିଲେ, "ଦଳ ନିସ୍ବାର୍ଥ ସେବା ଉପରେ ବିଶ୍ବାସ ରଖେ । ଯଦି ଆମ ପ୍ରଭୁ ରାମଚନ୍ଦ୍ରଙ୍କ ଜୀବନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ତେବେ ସେ ସବୁବେଳେ 'ସବୁ କିଛି କରିବାକୁ ସକ୍ଷମ' ମନୋଭାବ ନେଇ ଆଗକୁ ବଢୁଥିଲେ । ଏଥିଲାଗି ତାଙ୍କୁ ବଡ଼ ସଫଳତା ମିଳିଥିଲା ।" ଆଜି ଦେଶରେ ହନୁମାନ ଜୟନ୍ତୀ ପାଳନ ହେଉଥିବା ବେଳେ ବିଜେପି ଓ ବଜରଙ୍ଗ ବଲ୍ଲୀଙ୍କ ମଧ୍ୟରେ ଥିବା ସମାନତା ସମ୍ପର୍କରେ ମୋଦି ଆଲୋଚନା କରିଥିଲେ । କେବଳ ନିର୍ବାଚନ ଜିତିବା ଲକ୍ଷ୍ୟ ନ ନେଇ ବରଂ କୋଟି କୋଟି ଲୋକଙ୍କ ହୃଦୟ ଜିତିବା ଲାଗି ଉଦ୍ୟମ କରିବା ଲାଗି ଦଳୀୟ କର୍ମକର୍ତ୍ତାଙ୍କୁ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.