ଚିନ୍ତା ବଢାଉଛି ଦରଦାମ୍, ୬ ଦିନରେ ୫ ଥର ବଢିଲା ପେଟ୍ରୋଲ-ଡିଜେଲ ରେଟ୍

author img

By

Published : Oct 6, 2021, 10:19 AM IST

ବଢି ଚାଲିଛି ପେଟ୍ରୋଲ-ଡିଜେଲ ଦର, ଚିନ୍ତାରେ ଖାଉଟି

ଦେଶରେ ପୁଣି ମହଙ୍ଗା ହେଲା ତୈଳ । ଗତ ୬ ଦିନରେ ପାଞ୍ଚ ଥର ବଢିଲା ପେଟ୍ରୋଲ ଡିଜେଲ ରେଟ୍ । ଭୁବନେଶ୍ବରରେ ସେଞ୍ଚୁରୀ ମୁହାଁ ଡିଜେଲ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଦେଶବାସୀଙ୍କୁ ଅତିଷ୍ଠ କଲାଣି ମହଙ୍ଗା ମାଡ । ରନ୍ଧନ ଗ୍ୟାସ ସହ ବେଲଗାମ୍ ତୈଳ ଦର ମଧ୍ୟରେ ଅଣନିଶ୍ବାସୀ ଖାଉଟି । ଲଗାତାର ତୈଳ ଦର ବୃଦ୍ଧି ପରେ ଏବେ ରେକର୍ଡ ସ୍ତରରେ ପହଞ୍ଚିଛି ପେଟ୍ରୋଲ-ଡିଜେଲ ରେଟ୍ । ଅନ୍ତରାଷ୍ଟ୍ରୀୟ ସ୍ତରରେ ତୈଳ ଦର ୨୦୧୪ ପରଠାରୁ ଉଚ୍ଚା ରହିଛି । ବିଶ୍ବ ବଜାରରେ ବେଞ୍ଚମାର୍କ ବ୍ରେଣ୍ଟ ପ୍ରତି ଲିଟର ପିଛା ୮୧ ଡଲାରରେ ପହଞ୍ଚି ଯାଇଛି । ଯାହାପରେ ବର୍ତ୍ତମାନ ଦେଶରେ ଇନ୍ଧନ ଦାମରେ ଅହେତୁକ ବୃଦ୍ଧି ସହ ପେଟ୍ରୋଲ-ଡିଜେଲ ଉପରେ ମହଙ୍ଗା ମାଡ ଥମିବାର ନାଁ ନେଉନି ।

ତାଜା ଅପଡେଟ ଅନୁସାରେ, ଆଜି ପେଟ୍ରୋଲ ଲିଟର ପିଛା ୩୦ ପଇସା ଏବଂ ଡିଜେଲ ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି । ଏହି ବୃଦ୍ଧି ସହ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ରେଟ୍ ୧୦୨.୯୪ ଟଙ୍କା ଏବଂ ମୁମ୍ବାଇରେ ୧୦୮.୯୬ ଟଙ୍କାକୁ ବଢିଛି । ଯଦି ଡିଜେଲ ଦର କଥା କୁହାଯାଏ, ତେବେ ଦୁଇ ସହରରେ ଦର ଯଥାକ୍ରମେ ୯୧.୪୨ ଟଙ୍କା ଏବଂ ୯୯.୧୭ ଟଙ୍କା ପ୍ରତି ଲିଟର ପିଛା ବିକ୍ରି ହେଉଛି ।

ସେହିପରି ଭୁବନେଶ୍ବରରେ ସେଞ୍ଚୁରୀ ମୁହାଁ ହୋଇଛି ଡିଜେଲ ଦର । ଆଜି ଭୁବନେଶ୍ବରରେ ପେଟ୍ରୋଲ ୧୭ ପଇସା ମହଙ୍ଗା ହୋଇଥିବାବେଳେ ଡିଜେଲ ଦାମ୍ ୨୬ ପଇସା ବଢିଛି । ଆଜିର ନୂଆ ଦର ପରେ ରାଜଧାନୀରେ ପେଟ୍ରୋଲ ୧୦୩.୬୯ ଟଙ୍କା ଏବଂ ଡିଜେଲ ୯୯.୫୭ ଟଙ୍କାରେ ବିକ୍ରି ହେଉଛି ।

ଉଲ୍ଳେଖଯୋଗ୍ୟ, ଅକ୍ଟୋବର ଆରମ୍ଭରୁ ଏଯାବତ୍ ତୈଳ ଦର ଏହା ପଞ୍ଚମ ଥର ପାଇଁ ମହଙ୍ଗା ହୋଇଛି । ଚଳିତ ମାସରେ କେବଳ ଗୋଟିଏ ଦିନ ପେଟ୍ରୋଲ-ଡିଜେଲ ଦର ଅପରିବର୍ତ୍ତିତ ଥିବାବେଳେ ବାକି ୫ ଦିନ ଧରି ଦର ବଢିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.