ETV Bharat / bharat

Parliament Special Session: ଆଜି ରାଜ୍ୟସଭାରେ ଆଗତ ହେବ ମହିଳା ସଂରକ୍ଷଣ ବିଲ୍‌

author img

By ETV Bharat Odisha Team

Published : Sep 21, 2023, 7:21 AM IST

Updated : Sep 21, 2023, 11:24 AM IST

ଲୋକସଭାରେ ମଞ୍ଜୁରି ପରେ ଆଜି ରାଜ୍ୟସଭାରେ ଆଗତ ହେବ ମହିଳା ସଂରକ୍ଷଣ ବିଲ । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ସଂସଦର ସ୍ବତନ୍ତ୍ର ଅଧିବେଶନର ଚତୁର୍ଥ ଦିବସ ଅର୍ଥାତ ଆଜି ରାଜ୍ୟସଭାରେ ଆଗତ ହେବ ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ । ବୁଧବାର ସନ୍ଧ୍ୟାରେ ଏହି ବିଲ୍‌ ବହୁମତରେ ଲୋକସଭାରେ ପାରିତ ହୋଇଥିଲା । 'ନାରୀଶକ୍ତି ବନ୍ଦନ ଅଧିନିମୟ' ଭୋଟିଂ ମାଧ୍ୟମରେ ପାରିତ ଏହି ବିଲ୍‌ ସପକ୍ଷରେ ମୋଟ 454 ଭୋଟ ଓ ବିପକ୍ଷରେ ମାତ୍ର 2ଟି ଭୋଟ ପଡ଼ିଥିଲା । ଆଜି ରାଜ୍ୟସଭାରେ ଉପସ୍ଥାପନ ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ । ଅନୁମୋଦନ ପରେ ଏହି ବିଲ୍‌ ଆଇନରେ ପରିଣତ ହେବ । ମଙ୍ଗଳବାର ସଂସଦର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍‌ ଆଗତ ହେବା ପରେ ଗତକାଲି ଦିନ ତମାମ ବିଲକୁ ନେଇ ଚର୍ଚ୍ଚା ହେଇଥିଲା । ସନ୍ଧ୍ୟାରେ ଭୋଟିଂ ପ୍ରକ୍ରିୟା ହୋଇଥିଲା ।

ମଙ୍ଗଳବାର ଲୋକସଭାରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ 128ତମ ସମ୍ବିଧାନ ସଂଶୋଧନ ବିଲ୍‌ ଭାବେ ଏହାକୁ ଆଗତ କରିଥିଲେ । ଏହି ଆଇନ କାର୍ଯ୍ୟକାରୀ ହେଲେ ସଂସଦର ନିର୍ବାଚିତ ସଦନ ‘ଲୋକସଭା’ ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ମୋଟ ଆସନର 33 ପ୍ରତିଶତ ଆସନ ସଂରକ୍ଷିତ ରହିବ । ଏହା ଆଇନରେ କାର୍ଯ୍ୟକାରୀ ହେବା ପରେ 15 ବର୍ଷ ଅର୍ଥାତ 3 ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଏହା ମଧ୍ୟ ପଢନ୍ତୁ-Women's Reservation Bill: ଲୋକସଭାରେ ପାରିତ, ସପକ୍ଷରେ 454 ଓ ବିପକ୍ଷରେ 2 ଭୋଟ

ଲୋକସଭାରେ ବିଲ ଆଗତ ହେବା ପରେ ବହୁ ଦଳ ସମର୍ଥନ କରିଥିବା ବେଳେ କଂଗ୍ରେସ ମଧ୍ୟ ସମର୍ଥନ କରିଥିଲା । ଓବିସିଙ୍କ ପାଇଁ ମଧ୍ୟ ଏହି ବିଲ୍‌ରେ ସଂରକ୍ଷଣ ରହିବା ଉଚିତ ବୋଲି ମତ ରଖିଥିଲେ ରାହୁଲ ଗାନ୍ଧୀ । ଏଥି ସହ ଜାତି ଜନଗଣନା କରାଇବା ପାଇଁ ମଧ୍ୟ ଜୋର ଦେଇଥିଲେ । ଅନ୍ୟପଟେ ଏହି ବିଲ୍‌ ଆଗତ କରିବା ଭାରତୀୟ ଜନତା ପାର୍ଟିର ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ଏହା ସମୟର ଆହ୍ବାନ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମତ ରଖିଥିଲେ । 2024 ନିର୍ବାଚନ ପରେ ଦେଶର ଜନଗଣନା କରାଯିବ । ଏହି ରିପୋର୍ଟ ଆଧାରରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ପୁନଃସୀମା ନିର୍ଦ୍ଧାରଣ କରାଯିବ । ଏହାପରେ ମହିଳା ସଂରକ୍ଷଣ ବିଲ୍‌ ଆଇନ ଭାବେ ଲାଗୁ କରାଯିବ ବୋଲି କହିଥିଲେ ଅମିତ ଶାହ ।

ଆଜି ରାଜ୍ୟସଭାରେ ମଧ୍ୟ ଏହା ଏକାଧିକ ବିରୋଧୀ ଦଳଙ୍କ ସମର୍ଥନରେ ଏହି ବିଲ୍‌ ପାସ୍‌ ହେବାର ପ୍ରାୟତଃ ପୂର୍ଣ୍ଣ ସମ୍ଭାବନା ମଧ୍ୟ ରହିଛି । ଏହି ଆଇନ 2027 ମସିହା ପରେ କାର୍ଯ୍ୟକାରୀ ହୋଇପାରେ । କାରଣ ନୂତନ ଜନଗଣନା ରିପୋର୍ଟ ଓ ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରିତ ହେବା ପର୍ଯ୍ୟନ୍ତ ଏହି ଆଇନକୁ ଲାଗୁ କରିବାକୁ ସରକାରଙ୍କୁ ଅପେକ୍ଷା କରିବାକୁ ହେବ ।

Last Updated : Sep 21, 2023, 11:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.