ଭବାନୀପୁରର ଭାଗ୍ୟ ନିର୍ଦ୍ଧାରକ ଅଣବଙ୍ଗୀୟ ଭୋଟର, ସହଜ ହେବ କି ଦିଦିଙ୍କ ଦିଲ୍ଲୀ ମିଶନ ?

author img

By

Published : Oct 3, 2021, 7:20 PM IST

ଭବାନୀପୁରର ଭାଗ୍ୟ ନିର୍ଦ୍ଧାରକ ଅଣବଙ୍ଗୀୟ ଭୋଟର, ସହଜ ହେବ କି ଦିଦିଙ୍କ ଦିଲ୍ଲୀ ମିଶନ ?

ଭବାନୀପୁରର ମୁକୁଟ ପିନ୍ଧି ମୁଖ୍ୟମନ୍ତ୍ରୀ ଆସନ ବଞ୍ଚାଇବା ସହ ପୁନର୍ବାର ନିଜ ଗଡ ଦଖଲ କରିଛନ୍ତି ମମତା । ତେବେ ମମତାଙ୍କ ବୃହତ ବିଜୟରେ କାହାର ଭୂମିକା ଗୁରୁତ୍ବପୂର୍ଣ୍ଣ ? କେଉଁମାନେ ପିନ୍ଧାଇଛନ୍ତି ମମତାଙ୍କ ମୁଣ୍ଡରେ ବିଜୟ ମୁକୁଟ ? ଅଧିକ ପଢନ୍ତୁ...

କୋଲକାତା: ବଙ୍ଗ ମୈଦାନରେ ପୁଣି କ୍ଷମତାସୀନ ତୃଣମୂଳ କଂଗ୍ରେସର ଖେଲା । ଉପନିର୍ବାଚନରେ ହଟ୍‌ସିଟ୍‌ ପାଲଟିଥିବା ହାଇପ୍ରୋଫାଇଲ ଭବାନୀପୁର ବିଧାନସଭା ଆସନରେ ବିଜେପିକୁ ମାତ ଦେଇ ରେକର୍ଡ ବିଜୟ ହାସଲ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିଜ ନିକଟତର ପ୍ରତିଦ୍ବନ୍ଦୀ ବିଜେପିର ପ୍ରିୟଙ୍କା ଟିବରେୱାଲଙ୍କୁ 58 ହଜାର 832 ଭୋଟରେ ପରାସ୍ତ କରି ବାଜିରେ ଲାଗିଥିବା ପ୍ରତିଷ୍ଠାକୁ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି ଦିଦି ।

ଭବାନୀପୁରର ମୁକୁଟ ପିନ୍ଧି ମୁଖ୍ୟମନ୍ତ୍ରୀ ଆସନ ବଞ୍ଚାଇବା ସହ ପୁନର୍ବାର ନିଜ ଗଡ ଦଖଲ କରିଛନ୍ତି ମମତା । ତେବେ ମମତାଙ୍କ ବୃହତ ବିଜୟରେ କାହାର ଭୂମିକା ଗୁରୁତ୍ବପୂର୍ଣ୍ଣ ? କେଉଁମାନେ ପିନ୍ଧାଇଛନ୍ତି ମମତାଙ୍କ ମୁଣ୍ଡରେ ବିଜୟ ମୁକୁଟ ? କେଉଁମାନଙ୍କ ସହାୟତାରେ ଦିଦି ପାରିହୋଇଛନ୍ତି ନିର୍ବାଚନୀ ବୈତରଣୀ ? ତମାମ ପ୍ରଶ୍ନ ମଧ୍ୟରେ ସବୁଠୁ ବଡ କଥା ହେଉଛି ଦିଦିଙ୍କ ଭୋଟବ୍ୟାଙ୍କକୁ ମଜବୁତ କରିବା ପଛରେ ରହିଛି ଅଣବଙ୍ଗୀୟ ଭୋଟରଙ୍କ ହାତ ।

ବଙ୍ଗ ଉପନିର୍ବାଚନରେ ଭୋଟରଙ୍କ ପୂର୍ବରୁ ଯଦି ବିଧାନସଭା ଆସନର ଭୌଗୋଳିକ ସ୍ଥିତି କଥା କହିବା, ତାହେଲେ ରାଜଧାନୀ କୋଲକାତାରେ ହାଜରା ରୋଡ୍‌ରୁ କାଳିଘାଟ ଆଡକୁ ମୋଡ ନେଲେ ସେହିଠାରୁ ଆରମ୍ଭ ହୁଏ ଭବାନୀପୁର । ଏଥର ଉପନିର୍ବାଚନରେ ଏହି ହାଇପ୍ରୋଫାଇଲ ବିଧାନସଭା ଆସନକୁ ନେଇ ସରଗରମ ରହିଥିଲା ରାଜ୍ୟ ରାଜନୀତି । ଗତ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରୁ ମାତ୍‌ ଖାଇବା ପରେ ଏହିଠାରୁ ହିଁ ନିଜ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ମୈଦାନକୁ ଓହ୍ଲାଇଥିଲେ ଦିଦି ।

ଭବାନୀପୁରରେ ବାଜି ଜିତିବାକୁ ହିନ୍ଦୀ ଭାଷାଭାଷୀ ମତଦାତାଙ୍କ ଉପରେ ରହିଥିଲା ଦିଦିଙ୍କ ଫୋକସ । କାରଣ ଭବାନୀପୁର ବିଧାନସଭା ଆସନରେ ଅଣବଙ୍ଗୀୟ ଭୋଟର ବଡ ଫ୍ୟାକ୍ଟର ବୋଲି କୁହାଯାଇପାରେ । ଏଠାରେ ମୋଟ୍‌ ମତଦାତାଙ୍କ ୪୦ ପ୍ରତିଶତ ଅଣବଙ୍ଗୀୟ । ଭବାନୀପୁର ବିଧାନସଭାରେ ପାଖାପାଖି ୪୦ ପ୍ରତିଶତ ଗୁଜୁରାଟୀ, ପଞ୍ଜାବୀ ଓ ବିହାର ଭାଷାଭାଷୀଙ୍କ ଭୋଟ୍‌ ବେଶ ମହତ୍ବ ରଖେ । ଆଉ ଏମାନଙ୍କକୁ ନିଜ ପକ୍ଷକୁ ନେଇ ହୃଦୟ ଜିତିବାରେ ସକ୍ଷମ ହୋଇଥିଲେ ଦିଦି ।

ରାଜନୀତିରେ ଭବାନୀପୁରକୁ ମିନି ଭାରତ (Mini India)ର ଆଖ୍ୟା ଦିଆଯାଏ । କାରଣ ଗୁଜୁରାଟୀଙ୍କ ଠାରୁ ଆରମ୍ଭ କରି ପଞ୍ଜାବୀ, ସିନ୍ଧି, ମାରୱାଡି ଆଦି ସମସ୍ତ ସମ୍ପ୍ରଦାୟର ଲୋକେ ଏଠାରେ ବାସ କରନ୍ତି । ଏହି ୪୦ ପ୍ରତିଶତ ଅଣବଙ୍ଗୀୟ ଭବାନୀପୁର ଆସନରେ ବିବିଧତା ମଧ୍ୟରେ ଏକତାର ଉଦାହରଣ କହିଲେ ଚଳେ ।

ଭବାନୀପୁର ବିଧାନସଭା ଉପନିର୍ବାଚନକୁ ଦେଖି ୧୪ ସେପ୍ଟେମ୍ବର ହିନ୍ଦୀ ଦିବସ ଅବସରରେ ହିନ୍ଦୀ ଭାଷାରେ ହିଁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗତ ବିଧାନସଭା ନିର୍ବାଚନରେ ଭବାନୀପୁର ଆସନରୁ 28,507 ଭୋଟ ମାର୍ଜିନରେ ବିଜୟ ହାସଲ କରିଥିଲେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଶୋଭନଦେବ ଚଟ୍ଟୋପାଧ୍ୟାୟ । ହେଲେ 70 ଓ 74 ନମ୍ବର ୱାର୍ଡରେ ପଛାଇଯାଇଥିଲେ ଶୋଭନ । ଏହିସବୁ ୱାର୍ଡରେ ମୁଖ୍ୟତଃ ହିନ୍ଦୀ ଭାଷାଭାଷୀ ମତଦାତା ବାସ କରନ୍ତି । ପରମ୍ପରାଗତ ରୂପେ ହିନ୍ଦୀ ଭାଷାଭାଷୀଙ୍କ ଏକ ବଡ ବର୍ଗର ଭୋଟ୍‌ ବିଜେପି ପକ୍ଷକୁ ଯାଇଥାଏ ।

ଏଥର ମମତାଙ୍କୁ ପୁଣି ଥରେ ମାତ ଦେବା ପାଇଁ ପ୍ରିୟଙ୍କା ଟିବରେୱାଲଙ୍କୁ ପ୍ରାର୍ଥୀ କରି ହିନ୍ଦୀ ଭାଷାଭାଷୀ ଭୋଟରଙ୍କୁ ନିଜ ପକ୍ଷକୁ ନେବାକୁ ପ୍ରୟାସ କରିଥିଲା ବିଜେପି । ବଙ୍ଗରେ ଅଣବଙ୍ଗୀୟ ଭୋଟରଙ୍କ ଟ୍ରେଣ୍ଡ ଆରମ୍ଭରୁ ଜାତୀୟ ରାଜନୀତିରୁ ପ୍ରଭାବିତ ହୋଇଆସୁଛି । ଏହାର ଏକ ବଡ଼ ଅଂଶ ସାଧାରଣତଃ ଜାତୀୟ ଦଳ ସପକ୍ଷରେ ମତଦାନ କରିଆସିଥିଲା ।

2021 ମସିହାରେ ଟିଏମସିର ଶୋଭନଦେବ ଚାଟୋପାଧ୍ୟାୟ ଭବାନୀପୁର ଆସନରେ ପ୍ରତିଦ୍ବନ୍ଦିତା କରିଥିଲେ। ଶୋଭନଦେବଙ୍କୁ ମିଳିଥିଲା 73,505 ଭୋଟ । ମୋଟ ମତଦାତାଙ୍କର ଏହା 57.71 ପ୍ରତିଶତ ଥିଲା। ଅନ୍ୟପକ୍ଷରେ ବିଜେପିର ରୁଦ୍ରାଣୀ ଘୋଷ ହାତେଇଥିଲେ 44,786 ଭୋଟ, ଯାହାକି 35.16 ପ୍ରତିଶତ ଥିଲା। କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। କଂଗ୍ରେସ ପ୍ରାର୍ଥୀ ଶାଦାବ ଖାନଙ୍କୁ ମାତ୍ର 5,211 ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଏଥର ସର୍ବାଧିକ 1,570 ଭୋଟ ନୋଟାରେ ପଡିଥିଲା | ଏହି ନିର୍ବାଚନରେ ​​ଟିଏମସି ଗତ ନିର୍ବାଚନ ତୁଳନାରେ 10.4 ପ୍ରତିଶତ ଅଧିକ ଭୋଟ୍ ପାଇବାରେ ସଫଳ ହୋଇଥିଲେସୁଦ୍ଧା ବିଜେପିର ଭୋଟ ପ୍ରତିଶତ 16.3 ପ୍ରତିଶତ ବୃଦ୍ଧି ପାଇଥିଲା ।

2011 ବିଧାନସଭା ନିର୍ବାଚନରେ ​​ମମତା ବାନାର୍ଜୀଙ୍କ ନେତୃତ୍ବାଧିନ ତୃଣମୂଳ କଂଗ୍ରେସ ବାମପନ୍ଥୀର 34 ବର୍ଷ ପୁରୁଣା ଦୁର୍ଗକୁ ଭାଙ୍ଗି ଦେଇଥିଲା। କଂଗ୍ରେସ ସହିତ ମିଳିତ ଭାବେ, ଟିଏମସି 226ଟି ଆସନ (ଟିଏମସି 184, କଂଗ୍ରେସ 42) ଜିତି ବାମପନ୍ଥୀ ଦୁର୍ଗକୁ କରିଥିଲା କବଜା ।

ଭବାନୀପୁର ଆସନରୁ ଟିଏମସିର ସୁବ୍ରତ ବକ୍ସି ବିଜୟ ହାସଲ କରିଥିଲେ। ସୁବ୍ରତଙ୍କୁ 87,903 (64.77 ପ୍ରତିଶତ ଭୋଟ୍) ମିଳିଥିଲା । 49,936 ଭୋଟରେ ସୁବ୍ରତ ନିର୍ବାଚନରେ ​​ଜିତିଥିଲେ | ଏହି ଆସନରୁ ଉପ-ନିର୍ବାଚନରେ ​​ମମତା ପ୍ରତିଦ୍ବନ୍ଦିତା କରିଥିଲେ। ଉପନିର୍ବାଚନରେ ​​ମମତା ବାନାର୍ଜୀ ସିପିଏମର ନନ୍ଦିନୀ ମୁଖାର୍ଜୀଙ୍କୁ ପ୍ରାୟ 95 ହଜାର ଭୋଟରେ ପରାସ୍ତ କରିଥିଲେ, କିନ୍ତୁ ଏହାର 5 ବର୍ଷ ପରେ ଯଦି ଆମେ 2016 ବିଧାନସଭା ନିର୍ବାଚନକୁ ଦେଖିବା ତେବେ ମମତାଙ୍କ ବିଜୟର ବ୍ୟବଧାନ ବହୁତ କମ୍ ହୋଇଯାଇଥିଲା । ମମତା 65,520 ଭୋଟ ପାଇଲେ । ତାହା ହେଉଛି 2011ରେ ବିଜୟର ମାର୍ଜିନ ଠାରୁ 30 ହଜାର କମ ଭୋଟ । ଏହି ନିର୍ବାଚନରେ ​​ବିଜେପିର ଚନ୍ଦ୍ର କୁମାର ବୋଷ 26291 ଭୋଟ୍ ମିଳିଥିଲା ।

ଯଦି ୨୦୧୯ ଲୋକସଭା ନିର୍ବାଚନ ଉପରେ ନଜର ପକାଇବା, ତାହେଲେ ତୃଣମୂଳ କଂଗ୍ରେସର ପ୍ରଦର୍ଶନ ସେତେଟା ଭଲ ନଥିଲା । ମାତ୍ର ୩୦୦୦ ଭୋଟରେ ଆଗୁଆ ରହିଥିଲା ତୃଣମୂଳ କଂଗ୍ରେସ ଯାହା ପରାଜୟ ସତ୍ତ୍ବେ ବିଜେପିକୁ ଏକ ଉତ୍ସାହ ପ୍ରଦାନ କରିଥିଲା । ହେଲେ ଏଥର ଉପନିର୍ବାଚନରେ ମମତାଙ୍କ ଭବାନୀପୁର ବିଜୟ ବିଜେପିର ଉତ୍ସାହକୁ ବଡ ଝଟକା ଦେଇଛି ।

ମମତାଙ୍କ ଭବାନୀପୁର ବିଜୟକୁ ବିଭିନ୍ନ ଦିଗରୁ ଦେଖାଯାଇପାରେ । ପ୍ରଥମରେ ମମତା ଉପନିର୍ବାଚନରେ ବିଜୟ ହାସଲ କରି ମୁଖ୍ୟମନ୍ତ୍ରୀ ପଦ ବଞ୍ଚାଇବା ସହ ନିଜ ଗଡକୁ ପୁନଃଦଖଲ କରିବାରେ ସକ୍ଷମ ହୋଇଛନ୍ତି । ଦ୍ବିତୀୟରେ ହିନ୍ଦୀ ଭାଷାଭାଷୀ ଭୋଟ ହାତେଇବା ଦିଦିଙ୍କ ଦିଲ୍ଲୀ ମିଶନକୁ ଆହୁରି ସହଜ କରିଦେଇଛି । କାରଣ ବିଜେପିର ବିକଳ୍ପ ଭାବରେ ଉଭା ହୋଇଛନ୍ତି ମମତା । ଆଗାମୀ ଲୋକସଭା ନିର୍ବାଚନରେ ଦିଦି ଜାତୀୟ ସ୍ତରରେ ନିର୍ବାଚନ ଲଢିବା ସହ ବିରୋଧୀ ଦଳର ବଡ ଚେହେରା ହେବେ ବୋଲି ଚର୍ଚ୍ଚା ଜୋର ଧରିଛି । ବଙ୍ଗ ରଣରେ ବିଜେପିକୁ ଧରାଶାୟୀ କରିବା ପରେ ଏବେ କ୍ଷେତ୍ରୀୟ ସ୍ଥରରେ ହିନ୍ଦୀ ଭାଷାଭାଷୀ ଭୋଟରଙ୍କ ଉପରେ ରହିପାରେ ଦିଦିଙ୍କ ଫୋକସ । ନିକଟରେ ଦିଲ୍ଲୀ ଗସ୍ତ କରିଥିବା ଦିଦି ଗୋଟିଏ ତୀରରେ ତମାମ ଲକ୍ଷ୍ୟ ଭେଦ କରୁଛନ୍ତି । ଏଭଳି ସ୍ଥିତିରେ ବଙ୍ଗ ମୈଦାନରେ ବିଜେପିର ଅଣବଙ୍ଗୀୟ ଭୋଟକୁ ନିଜ ପକ୍ଷରେ ନେବା ତାଙ୍କ ପାଇଁ କୌଣସି ଅସ୍ତ୍ରଠାରୁ କମ ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.