ଏୟାର ଇଣ୍ଡିଆ ଆକ୍ରମଣ ଧମକ ମାମଲା, ଖଲିସ୍ତାନୀ ଆତଙ୍କୀ ପନ୍ନୁନ ବିରୋଧରେ ମାମଲା ରୁଜୁ

ଏୟାର ଇଣ୍ଡିଆ ଆକ୍ରମଣ ଧମକ ମାମଲା, ଖଲିସ୍ତାନୀ ଆତଙ୍କୀ ପନ୍ନୁନ ବିରୋଧରେ ମାମଲା ରୁଜୁ
ଏୟାର ଇଣ୍ଡିଆ ବିମାନରେ ଆକ୍ରମଣ ଧମକ ଦେଇଥିବା ଖଲିସ୍ତାନୀ ଆତଙ୍କୀ ଗୁରୁପତଓ୍ବନ୍ତ ପନ୍ନୁନ ବିରୋଧରେ ମାମଲା ରୁଜୁ କଲା ଏନଆଇଏ । 19 ତାରିଖରେ ବିସ୍ଫୋରଣ କରିବାକୁ ଭିିଡିଓରେ ଦେଇଥିଲା ଧମକ । ଅଧିକ ପଢନ୍ତୁ
ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ବିସ୍ଫୋରଣ କରିବାକୁ ଧମକ ଦେଇଥିବା ଖଲିସ୍ତାନୀ ଆତଙ୍କବାଦୀ ତଥା ପ୍ରତିବନ୍ଧିତ ସଂଗଠନ ‘ଶିଖ ଫର ଜଷ୍ଟିସ’ (SFJ) ମୁଖ୍ୟ ଗୁରୁପତଓ୍ବନ୍ତ ପନ୍ନୁନ ବିରୋଧରେ ମାମଲା ରୁଜୁ କଲା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) । ଭାରତରେ ଆତଙ୍କବାଦୀ ଘୋଷିତ ପନ୍ନୁନ ଏବେ କାନାଡାରେ ଆତ୍ମଗୋପନ କରିଛି । ସେହିଠାରୁ ସେ ଚଳିତ ମାସ 9 ତାରିଖରେ ଏକ ଭିଡିଓ ଜାରି କରି ଭାରତରେ ନଭେମ୍ବର 19 ତାରିଖରେ ଏୟାର ଇଣ୍ଡିଆ ବିମାନରେ ବିସ୍ଫୋରଣ କରିବା ନେଇ ଧମକ ଦେଇଥିଲା । ନଭେମ୍ବର 4 ତାରିଖରେ ଏହି ଧମକ ଭିଡିଓଟି ସୋସିଆଲ ମିଡିଆର ସମସ୍ତ ପ୍ଲାଟଫର୍ମରେ ସର୍କୁଲେଟ କରାଯାଇଥିଲା । ଏବେ ଉପା ଆକ୍ଟ ଓ ଆଇପିସି ଅଧୀନରେ ତା’ ବିରୋଧରେ ମାମଲା ଦାଏର କରାଯାଇଥିବା ଜାତୀୟ ତଦନ୍ତକାରୀ ସଂସ୍ଥା ସୂଚନା ଦେଇଛି ।
-
NIA Registers Case Against ‘Listed Terrorist’ Pannun over Video Threat to Passengers Flying Air India pic.twitter.com/FjEBTCV0Bj
— NIA India (@NIA_India) November 20, 2023
ତେବେ ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା ଏକ ପ୍ରେସରିଲିଜ ‘ଏକ୍ସ’ରେ ସେୟାର କରି ପନ୍ନୁନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ସୂଚନା ଦେଇଛି । ବେଆଇନ କାର୍ଯ୍ୟକଳାପ ନିରୋଧୀ ଆକ୍ଟ (UAPA) ଓ ଆଇପିସିର ଏକାଧିକ ଧାରାରେ ଏହି ମାମଲା ରୁଜୁ ହୋଇଛି ।
ଏହା ପୂର୍ବରୁ ଭାରତରେ ଆତଙ୍କବାଦୀ ଭାବେ ଘୋଷଣା ହୋଇଛି ପନ୍ନୁନ ଓ ସେ ସଞ୍ଚାଳିତ କରୁଥୁବା ଶିଖ ଫର ଜଷ୍ଟିସ ସଂଗଠନ । ଏହି ସଂଗଠନର ବହୁ ସଦସ୍ୟ କାନାଡା ଓ ବ୍ରିଟେନ ପରି ଦେଶରେ ଆତ୍ମଗୋପନ କରିଛନ୍ତି । ସେମାନଙ୍କ ମଧ୍ୟରେ ଅନ୍ୟ ଜଣେ ପ୍ରମୁଖ ଆତଙ୍କବାଦୀ ହେଉଛି ଅର୍ଶଦ୍ବୀପ ସିଂ ଡାଲା । ସେ ମଧ୍ୟ ଭାରତରେ ଆତଙ୍କୀ ହମଲା କରିବା ପାଇଁ ପଞ୍ଜାବୀ ରାପ ସିଙ୍ଗର ଓ ବ୍ୟବସାୟୀଙ୍କଠାରୁ ଅର୍ଥ ଯୋଗାଡରେ ଲାଗିଥିବା ଭାରତୀୟ ଗୁଇନ୍ଦା ସଂସ୍ଥା ନିକଟରେ ସୂଚନା ରହିଛି ।
2019 ମସିହା ପରଠାରୁ ପନ୍ନୁନ ଏନଆଇଏ ତଦନ୍ତ ପରିସରରେ ରହିଛି । ସେ କାନାଡାରେ ଆତ୍ମଗୋପନ କରି ଶିଖ ଫର ଜଷ୍ଟିସ ସଂଗଠନର ନେତୃତ୍ବ ନେଉଛି । ଏହା ପୂର୍ବରୁ ମଧ୍ୟ ସେ ଭାରତରେ ଆକ୍ରମଣ କରିବା ନେଇ ଧମକ ଦେଇସାରିଛି । ‘ହମାସ’ ଆତଙ୍କୀ ସଂଗଠନ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ପନ୍ନୁନ ଏକ ଭାରତକୁ ଧମକପୂର୍ଣ୍ଣ ଭିଡିଓ ଜାରି କରିଥିଲା । ଯେଉଁଥିରେ ଇସ୍ରାଏଲ ଉପରେ ଆକ୍ରମଣ ହେବା ପରି ଭାରତରେ ଆକ୍ରମଣ କରି ପଞ୍ଜାବକୁ ମୁକ୍ତ କରିବାକୁ ଧମକ ଦେଇଥିବା ଦେଖିବାକୁ ମିଳିଥିଲା । ଉକ୍ତ ଭିଡିଓରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ନେଇଥିଲା । ଏହା ପରେ ଗତମାସ 9 ତାରିଖରେ ଏୟାର ଇଣ୍ଡିଆ ବିମାନରେ ଆକ୍ରମଣ କରାଯିବା ନେଇ ମଧ୍ୟ ଧମକପୂର୍ଣ୍ଣ ଭିଡିଓ ଜାରି କରିଥିଲା । ଏବେ ଜାତୀୟ ତଦନ୍ତକାରୀ ସଂସ୍ଥା ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
