ସଂସଦ ଭବନ ଲୋକାର୍ପଣ ପାଇଁ ସୁରକ୍ଷା କଡାକଡି: ଦିଲ୍ଲୀରେ ପୋଲିସ ଛାଉଣୀ, ୩ଟା ଯାଏଁ ଗଡିବନି ଗାଡି

author img

By

Published : May 28, 2023, 8:15 AM IST

ନୂଆ ସଂସଦ ଭବନ ଲୋକାର୍ପଣ

ଆଜି ନୂତନ ସଂସଦ ଭବନର ଉଦଘାଟନ ପାଇଁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି । ଅପରାହ୍ନ ୩ଟା ଯାଏଁ ନୂଆ ଦିଲ୍ଲୀ ଜିଲ୍ଲାରେ ଗାଡି ଚଳାଚଳ ଉପରେ ପ୍ରତିବନ୍ଧକ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ଭାରତକୁ ମିଳିବ ଏକ ଭବ୍ୟ, ବିଶାଳ ଏବଂ ଅତ୍ୟାଧୁନିକ ସଂସଦ ଭବନ । ପୂଜାର୍ଚ୍ଚନା ସହ ନୂତନ ସଂସଦର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ସକାଳ ସାଢେ ୭ଟାରୁ ଉଦଘାଟନୀ ସମାରୋହ ଆରମ୍ଭ ହୋଇଯାଇଛି । ଏହି ଭବ୍ୟ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଆଜି ସକାଳ ସାଢେ ୫ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନୂଆ ଦିଲ୍ଲୀ ଜିଲ୍ଲାର ସମସ୍ତ ମାର୍ଗକୁ ଜନସାଧାରଣଙ୍କ ପାଇଁ ବନ୍ଦ କରାଯାଇଛି । କେବଳ ସାଧାରଣ ପରିବହନ, ପ୍ରଶାସନିକ ସେବା ପରୀକ୍ଷାର୍ଥୀ, ସ୍ଥାନୀୟ ବାସିନ୍ଦା ଏବଂ ଜରୁରୀକାଳୀନ ଯାନବାହନ ଯାତାୟତ ପାଇଁ ଅନୁମତି ମିଳିଛି ।

ଆଜି ରାଜଧାନୀରେ ସମସ୍ତ ପ୍ରକାର ବିକ୍ଷୋଭକୁ ବାରଣ କରାଯାଇଛି । ସଂସଦ ଲୋକାର୍ପଣ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଖାପ୍ ପଞ୍ଚାୟତ ନେତାମାନେ ଆଜି ଦିଲ୍ଲୀର ଯନ୍ତରମନ୍ତରରେ ପହଞ୍ଚି ରେସଲରମାନଙ୍କ ଆନ୍ଦୋଳନକୁ ସମର୍ଥନ କରିବାକୁ ଥିବାବେଳେ ଦିଲ୍ଲୀ ପୋଲିସ ଏହାକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଛି । ଖାପ୍ ପଞ୍ଚାୟତ ଆୟୋଜନ ପାଇଁ ଅନୁମତି ଦିଆଯାଇନାହିଁ । କଡା ସୁରକ୍ଷା ସୁନିଶ୍ଚିତ କରିବାକୁ ୧୦ରୁ ଅଧିକ ମହିଳା କମ୍ପାନୀ ସମେତ ୨୦ଟି କମ୍ପାନୀ ନୂଆ ଦିଲ୍ଲୀ ଜିଲ୍ଲାରେ ମୁତୟନ କରାଯାଇଛି । ସେହିପରି ଆଜି ସଂସଦ ନିକଟସ୍ଥ ସମସ୍ତ ମେଟ୍ରୋ ଷ୍ଟେସନ ବନ୍ଦ ରଖିବାକୁ ଦିଲ୍ଲୀ ମେଟ୍ରୋକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଭିତରେ ମହିଳା ଖାପ୍ ପଞ୍ଚାୟତର ସମାର୍ଥନ ପାଇଁ ଉତ୍ତରପ୍ରଦେଶ ଓ ହରିୟାଣାର ଚାଷୀମାନେ ଦିଲ୍ଲୀ ଆସିବାର ସମ୍ଭାବନା ପୋଲିସ ପାଇଁ ବଡ ଚିନ୍ତାର ବିଷୟ ହୋଇଛି ।

ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ଖାପ୍ ପଞ୍ଚାୟତଗୁଡିକ ସହ ଜଡିତ ପାଖାପାଖି ୫ ହଜାର ବ୍ୟକ୍ତି ଆନ୍ଦୋଳନରେ ସାମିଲ ହେବାକୁ ଯୋଜନା କରୁଛନ୍ତି । ସେମାନଙ୍କୁ ରୋକିବା ଲାଗି ଗୁରୁବାର ଦିନ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା । ଏଥିରେ କୃଷକମାନଙ୍କୁ ଅଟକାଇବାକୁ ରାଜଧାନୀର ସମସ୍ତ ସୀମାରେ ବ୍ୟାରିକେଡ ବ୍ୟବସ୍ଥା ଓ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ ଲାଗି ନିଷ୍ପତ୍ତି ହୋଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ସଂସଦ ଭବନର ଉଦଘାଟନ ସମାରୋହ ସମୟରେ ଦିଲ୍ଲୀର ମଦର ଟେରେସା କ୍ରିସସେଣ୍ଟ ରୋଡ, ତାଲକୋଟରା ଗୋଲ ଚକ୍କର, ବାବା ଖରକ ସିଂ ରୋଡ, ଗୋଲ ଡାକ ଖାନା, ଅଶୋକ ରୋଡ, ପଟେଲ ଛକ, ଉଇଣ୍ଡିସୋର ପ୍ଲେସ, ଜନପଥ, ଆକବର ରୋଡ, ତିନ ମୂର୍ତ୍ତି ମାର୍ଗ ପ୍ରମୁଖ ରୋଡ ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେବ ନାହିଁ ।

ବିଜେପି ସାଂସଦ ବ୍ରିଜଭୂଷଣଙ୍କ ବିରୋଧରେ ଆନ୍ଦୋଳରତ ରେସଲର ଓ ସମର୍ଥକମାନେ ଆଜିର ସମାରୋହ ସମୟରେ ସଂସଦ ଭବନ ସମ୍ମୁଖରେ ମହାପଞ୍ଚାୟତ କରିବାର ଯୋଜନା କରିଛନ୍ତି । ରେସଲରଙ୍କ ସମେତ କଂଗ୍ରେସ ଓ ଅନ୍ୟ ବିରୋଧି ଦଳଗୁଡିକ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ନୂତନ ସଂସଦ ଭବନ ଉଦଘାଟନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବାର ଅଛି । ଫଳସୂରୂପ, ଉଦଘାଟନୀ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳା ଓ ସଫଳତାର ସହ ଆୟୋଜିତ କରିବା ଦାୟିତ୍ବ ଦିଲ୍ଲୀ ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ଏହି ଦୃଷ୍ଟିରୁ ପୋଲିସ ପ୍ରଶାସନ ଟ୍ରାଫିକ ପୋଲିସ ସହ ଯୋଗାଯୋଗ ରଖି ବିକ୍ଷୋଭକାରୀଙ୍କୁ ରୋକିବାକୁ ବ୍ୟାପକ ଯୋଜନା ପ୍ରସ୍ତୁତ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.