Anti-Terrorism Day 2023: ଦେଶ ପାଳୁଛି ରାଷ୍ଟ୍ରୀୟ ଆତଙ୍କବାଦ ନିରୋଧ ଦିବସ, ଜାଣନ୍ତୁ ଏହା ପଛର ଇତିହାସ

author img

By

Published : May 21, 2023, 12:28 PM IST

ରାଷ୍ଟ୍ରିୟ ଆତଙ୍କବାଦ ନିରୋଧ ଦିବସ

ମେ ୨୧ରେ ପାଳନ ହୋଇଆସୁଛି ରାଷ୍ଟ୍ରୀୟ ଆତଙ୍କବାଦ ନିରୋଧ ଦିବସ । ଏହା ପଛର ଇତିହାସ କ'ଣ ? ଜାଣିବା ପାଇଁ ଅଧିକ ପଢନ୍ତୁ ।

ନୂଆଦିଲ୍ଲୀ: ପ୍ରତ୍ୟେକ ବର୍ଷ ମେ’ ମାସ ୨୧ ତାରିଖକୁ ରାଷ୍ଟ୍ରୀୟ ଆତଙ୍କବାଦ ନିରୋଧ ଦିବସ ରୂପେ ପାଳନ କରିଆସୁଛି ଭାରତ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ସମ୍ମାନ ଜଣାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ପାଳନ ହୋଇଆସୁଛି ଏହି ଦିବସ । ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ରାଷ୍ଟ୍ରୀୟ ସଦ୍ଦଭାବନା ବଢାଇବା, ଲୋକଙ୍କ ମଧ୍ୟରେ ଏକତା ବଢାଇବା । ଏହାର ଅନ୍ୟ ଏକ ମହତ ଉଦ୍ଦେଶ୍ୟ ହେଉଛି, ଆତଙ୍କବାଦ କିଭଳି ଦେଶର କ୍ଷତି କରେ ସେ ସମ୍ପର୍କରେ ଲୋକଙ୍କୁ ସଚେତନା କରାଇବା ।

ଦିବସ ପାଳନର ଉଦ୍ଦେଶ୍ୟ: ୧୯୯୧ ମସିହା ମେ ମାସ ୨୧ ତାରିଖରେ ଏକ ଜନସଭାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ସମ୍ବାଧନ କରୁଥିବା ସମୟରେ ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରାଯାଇଥିଲା । ଘଟଣାଟି ଥିଲା କିଛି ଏମିତି । ତାମିଲନାଡୁରେ ସାଧାରଣ ନିର୍ବାଚନ ସମୟରେ ରାଜୀବ ଗାନ୍ଧୀ ଏକ ଜନସଭାକୁ ସମ୍ବୋଧିତ କରୁଥିଲେ । ସେହି ସମୟରେ ଜଣେ ମହିଳା ଆସିଥିଲେ, ଯାହାଙ୍କ ଦେହରେ ବିସ୍ଫୋରକ ଖଞ୍ଜା ଯାଇଥିଲା । ମହିଳା ଜଣକ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବା ସମୟରେ ହଠାତ୍ ହୋଇଥିଲା ବିସ୍ଫୋରଣ । ଆଖି ପିଛୁଳାକେ ଚାରିଆଡ଼େ ଧୁଆଁମୟ ପରିବେଶ ସୃଷ୍ଟି ହୋଇଥିଲା । ଏହି ଛାତିଥରା ବିସ୍ଫୋରଣ ଯୋଗୁ ସଭାରେ ଉପସ୍ଥିତ ଥିବା ୨୫ଜଣଙ୍କ ଜୀବନ ମଧ୍ୟ ଚାଲିଯାଇଥିଲା । ରାଜନୈତିକ ଦୃଶ୍ୟପଟକୁ ଓଲଟାଇ ଦେଇଥିଲା ଏହି ଛାତିଥରା ଘଟଣା ।

ତାମିଲନାଡ଼ୁର ଶ୍ରୀପେରଂବୁଦୁର ଠାରେ ଆତଙ୍କବାଦୀ ସଂଗଠନ ଲିବେସରନ ଅଫ୍ ତାମିଲ ଟାଇଗର୍ସ ଇଲମ ଦ୍ବାରା କରାଯାଇଥିଲା ଏହି ଆତ୍ମଘାତୀ ବିସ୍ଫୋରଣ । ଆଉ ଏହି ବିସ୍ଫୋରଣରେ ମାତ୍ର ୪୦ବର୍ଷ ବୟସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନିଧନ ହୋଇଥିଲା । ତେବେ ଏଲଟିଟି ପକ୍ଷରୁ କରାଯାଇଥିବା ଆତ୍ମଘାତୀ ଆକ୍ରମଣ ପଛର କାରଣ ଏବେବି ରହସ୍ୟ ଘେରରେ ରହିଛି । ସେହିପରି ୩୧ ଅକ୍ଟୋବର ୧୯୮୪ରେ ରାଜୀବ ଗାନ୍ଧୀଙ୍କ ମାଆ ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ମଧ୍ୟ ଷଡ଼ଯନ୍ତ୍ର ରଚାଯାଇ ହତ୍ୟା କରାଯାଇଥିଲା । ଯାହା ପରେ ଶାସନ ଭାର ସମ୍ଭାଳୁଥିଲେ ରାଜୀବ । ରାଜୀବଙ୍କ ଦେହାନ୍ତ ପରେ ଶାସନକୁ ଆସିଥିବା ଭି.ପି. ସିଂ ସରକାର ରାଜୀବଙ୍କ ତିରୋଧାନ ଦିବସରେ ଅର୍ଥାତ୍ ମେ ୨୧ ତାରିଖକୁ ରାଷ୍ଟ୍ରୀୟ ଆତଙ୍କବାଦ ନିରୋଧ ଦିବସ ଭାବେ ଘୋଷଣା କରିଥିଲେ ।

ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତ ଶହୀଦଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଆଜିର ଦିନଟି ସମର୍ପିତ । ଦେଶ ପାଇଁ ବଳିଦାନ ଦେଇଥିବା ଯବାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥାଏ । ଏହାସହ ଦେଶରେ ବଢୁଥିବା ଆତଙ୍କବାଦୀ କାର୍ଯ୍ୟକଳାପରେ କିପରି ରୋକ୍ ଲଗାଯାଇପାରିବ, ସେନେଇ ପ୍ରଶିକ୍ଷଣ ଦିଆଯିବା ସହ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଇଆସୁଛି । ତେବେ ଆତଙ୍କୀଙ୍କୁ ମୂଳୋତ୍ପାଟନ କରିବା ସହ ଏହାକୁ ପ୍ରୋତ୍ସାହନ ଯୋଗାଉଥିବା ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.