ETV Bharat / bharat

Mukesh Ambani succession plan: ଇସ୍ତଫା ଦେବେ ପତ୍ନୀ ନୀତା, ରିଲିଆନ୍ସ ବୋର୍ଡରେ ଇଶା, ଆକାଶ ଓ ଅନନ୍ତଙ୍କ ଏଣ୍ଟ୍ରି

author img

By ETV Bharat Odisha Team

Published : Aug 28, 2023, 6:44 PM IST

ରିଲିଆନ୍ସ ବୋର୍ଡରେ ଏଣ୍ଟ୍ରିଂ କଲେ ଅମ୍ବାନୀ କିଡ୍ସ । ବୋର୍ଡ ଅଫ ଡାଇରେକ୍ଟର୍ସରୁ ନୀତାଙ୍କ ଇସ୍ତଫା । ଇଶା, ଆକାଶ ଏବଂ ଅନନ୍ତଙ୍କ ଏଣ୍ଟ୍ରି । ଅଧିକ ପଢନ୍ତୁ

Mukesh Ambani succession plan: ପତ୍ନୀ ନୀତା ଦେଲେ ଇସ୍ତଫା, ରିଲିଆନ୍ସ ବୋର୍ଡରେ ଇଶା, ଆକାଶ ଏବଂ ଅନନ୍ତଙ୍କ ଏଣ୍ଟ୍ରି
Mukesh Ambani succession plan: ପତ୍ନୀ ନୀତା ଦେଲେ ଇସ୍ତଫା, ରିଲିଆନ୍ସ ବୋର୍ଡରେ ଇଶା, ଆକାଶ ଏବଂ ଅନନ୍ତଙ୍କ ଏଣ୍ଟ୍ରି

ଇସ୍ତଫା ଦେବେ ପତ୍ନୀ ନୀତା, ରିଲିଆନ୍ସ ବୋର୍ଡରେ ଇଶା, ଆକାଶ ଓ ଅନନ୍ତଙ୍କ ଏଣ୍ଟ୍ରି

ମୁମ୍ବାଇ: ରିଲିଆନ୍ସ ଗ୍ରୁପର ପରିଚାଳନା ବୋର୍ଡରେ ପ୍ରବେଶ କଲା ଅମ୍ବାନୀ ପରିବାରର ପରପିଢି । ଆଜି ଗ୍ରୁପୁର ବାର୍ଷିକ ସାଧାରଣ ମିଟିଂକୁ ସମ୍ବୋଧିତ କରି ରିଲିଆନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହି ବଡ଼ ଘୋଷଣା କରିଛନ୍ତି । ଗ୍ରୁପର ପରିଚାଳନା ବୋର୍ଡରୁ ପତ୍ନୀ ନିତା ଅମ୍ବାନୀ ଇସ୍ତଫା ଦେଇଥିବା ବେଳେ ଏବେ ବୋର୍ଡରେ ପ୍ରବେଶ କରିଛନ୍ତି ଝିଅ ଇସା, ଦୁଇ ପୁଅ ଅନନ୍ତ ଓ ଆକାଶ । ଏବେ ନୀତା ଅମ୍ବାନୀ କେବଳ ରିଲିଆନ୍ସ ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ଭାବେ କାର୍ଯ୍ୟ ତୁଲାଇବେ । ଅନନ୍ତ ଅମ୍ବାନୀ, ଆକାଶ ଅମ୍ବାନୀ ଓ ଇଶା ଅମ୍ବାନୀ ଏବେ ରିଲିଆନ୍ସ ଲିମିଟେଡ୍‌ର ମୁଖ୍ୟ ପରିଚାଳନା ଅଙ୍ଗ ‘ବୋର୍ଡ ଅଫ୍‌ ଡାଇରେକ୍ଟର୍ସ’ରେ ନନ୍‌-ଏକ୍ସିକ୍ୟୁଟିଭ୍‌ ଡାଇରେକ୍ଟର ଭାବେ ଦାୟିତ୍ବ ଗ୍ରହଣ କରିବେ ।

ଗତବର୍ଷ ଏହି 66 ବର୍ଷୀୟ ବିଜିନେସ୍‌ ଟାଇକୁନ୍‌ ପ୍ରଥମ ଥର ନିଜ ବଡ଼ ପୁଅ ଆକାଶ ଅମ୍ବାନୀଙ୍କୁ ରିଲିଆନ୍ସ ଗ୍ରୁପରେ ବଡ଼ ଦାୟିତ୍ବରେ ଅବସ୍ଥାପିତ କରିଥିଲେ । ଦେଶର ସର୍ବବୃହତ୍ତ ମୋବାଇଲ ଫାର୍ମ ‘ରିଲିଆନ୍ସ ଜିଓ’ର ଅଧ୍ୟକ୍ଷ ହୋଇଥିଲେ ଆକାଶ ଅମ୍ବାନୀ । ଆକାଶ ଏବେ ‘ରିଲିଆନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌’ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ଏହାପରେ 31 ବର୍ଷୀୟା ଝିଅ ଇଶାଙ୍କୁ ରିଲିଆନ୍ସ ରିଟେଲ୍ସର ଦାୟିତ୍ବ ସହ ସାନ ପୁଅ ଅନନ୍ତ ଅମ୍ବାନୀଙ୍କୁ ରିଲିଆନ୍ସ ନ୍ୟୁ-ଏନର୍ଜି ବ୍ୟାପାରରେ ବଡ଼ ଦାୟିତ୍ବ ମିଳିଥିଲା । ଏବେ ଏହି 3 ଜଣ ରିଲିଆନ୍ସ ଗ୍ରୁପର ମୁଖ୍ୟ ପରିଚାଳନା ଅଙ୍ଗ ବୋର୍ଡ ଅଫ ଡିରେକ୍ଟର୍ସରେ ନନ୍‌-ଏକ୍ସିକ୍ଯୁଟିଭ୍‌ ଡିରେକ୍ଟର ଭାବେ ସ୍ଥାନ ପାଇବାକୁ ଯାଉଛନ୍ତି ।

ଆଜି ମୁମ୍ବାଇରେ କମ୍ପାନୀର 46ତମ ବାର୍ଷିକ ସାଧାରଣ ବୈଠକ (AGM)କୁ ସମ୍ବୋଧିତ କରି ଭାରତର ଚନ୍ଦ୍ରଯାନ-3 ସଫଳ ଲ୍ୟାଣ୍ଡିଂକୁ ପ୍ରଶଂସା କରିଥିଲେ ମୁକେଶ । ସଂସ୍ଥା ମୁଖ୍ୟ ଭାବେ ରିଲିଆନ୍ସ ଗ୍ରୁପ୍‌ ପକ୍ଷରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’କୁ ମଧ୍ୟ ଧନ୍ୟବାଦ ଦେଇଥିଲେ । ପରେ ମୁକେଶ ରିଲିଆନ୍ସ କମ୍ପାନୀ ଓ ଏହାର ଲୋକପ୍ରିୟ ଟେଲିକମ୍‌ ଶାଖା ‘ଜିଓ’ର ସଫଳତା କଥା ଉଲ୍ଲେଖ କରିଥିଲେ । କହିଥିଲେ, ଗତ 10 ବର୍ଷ ମଧ୍ୟରେ ରିଲିଆନ୍ସ 150 ବିଲିୟନ ଡଲାର ବିନିଯୋଗ କରି ଏକ ରେକର୍ଡ ସୃଷ୍ଟି କରିଛି । ଏହି ପରିମାଣର ନିବେଶ ଦେଶର ଯେକୌଣସି କର୍ପୋରେଟ୍ ଅପେକ୍ଷା ବହୁତ ଅଧିକ । କେବଳ ଏତିକି ନୁହେଁ, ଜିଓର ଗ୍ରାହକଙ୍କ ସଂଖ୍ୟା ମଧ୍ୟ 45 କୋଟିରୁ ଅଧିକରେ ପହଞ୍ଚି ପାରିଛି ବୋଲି ମୁକେଶ କହିଥିଲେ ।

ଏହା ମଧ୍ୟ ପଢନ୍ତୁ :-Reliance AGM 2023: ଆଜି ଆରମ୍ଭ ହେବ RILର AGM ବୈଠକ, ଏହି ସବୁ ହୋଇପାରେ ଲଞ୍ଚ

2047 ମସିହା ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ରରେ ପରିଣତ ହେବା ନେଇ ମଧ୍ୟ ମୁକେଶ ଆଶାବ୍ୟକ୍ତ କରିଛନ୍ତି । କହିଛନ୍ତି, "ଆମ ସମସ୍ତଙ୍କୁ ଦେଶ ପାଇଁ ଏକାଠି କାମ କରିବାକୁ ପଡ଼ିବ । 2047 ସୁଦ୍ଧା ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବାକୁ ଆଗକୁ ଆସିବାକୁ ପଡ଼ିବ । ଏଥିରେ କେହି ପଛଘୁଞ୍ଚା ଦେବା ମଧ୍ୟ ଉଚିତ ନୁହେଁ ।" ବର୍ତ୍ତମାନ ବୈଶ୍ୱିକ ଆହ୍ୱାନଗୁଡ଼ିକୁ ସମ୍ପର୍କରେ ଉଲ୍ଲେଖ କରି ଅମ୍ବାନୀ କହିଛନ୍ତି, ସମଗ୍ର ବିଶ୍ବରେ ଭାରତ ଏକ ଆଶାର କିରଣ ଭାବରେ ଉଭା ହେଉଛି । ଏହି ନୂଆ ଭାରତ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.