ETV Bharat / bharat

ସମୁଦ୍ରରେ ବୁଡିଲା ପ୍ରବାସୀ ଜାହାଜ, ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ !

author img

By

Published : Aug 17, 2023, 7:59 AM IST

କେପ ବର୍ଡେ ଉପକୂଳରେ ବୁଡିଲା ଜାହାଜ । ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା । ଅଧିକ ପଢନ୍ତୁ

ସମୁଦ୍ରରେ ବୁଡିଲା ପ୍ରବାସୀ ଜାହାଜ
ସମୁଦ୍ରରେ ବୁଡିଲା ପ୍ରବାସୀ ଜାହାଜ

କେପ ବର୍ଡେ: ପଶ୍ଚିମ ଆଫ୍ରିକୀୟ ଦେଶ କେପ ବର୍ଡେରେ ଏକ ବଡ ଅଘଟଣ ଘଟିଛି । କେପ ବର୍ଡେ ଉପକୂଳରେ ଏକ ପ୍ରବାସୀ ଜାହାଜ ସମୁଦ୍ରରେ ବୁଡି ଯିବାରୁ ଏଥିରେ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଏନେଇ ବୁଧବାର ଅନ୍ତର୍ଜାତୀୟ ପ୍ରବାସୀ ସଂଗଠନ(IOM) ସୂଚନା ଦେଇଛି । IOM ଅଧିକାରୀ କହିଛନ୍ତି, ଜାହାଜ ଦୁର୍ଘଟଣାରେ ୬୩ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ସମୁଦ୍ର ଭିତରୁ ୪ ଜଣ ପିଲାଙ୍କ ସମେତ ୩୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଗତ ଜୁଲାଇ ୧୦ରୁ ଜାହାଜଟି ସେନେଗଲରୁ ବାହାରି ଥିଲା । ଏଥିରେ ୧୦୦ରୁ ଅଧିକ ପ୍ରବାସୀ ଓ ଶରଣାର୍ଥୀ ଥିଲେ । ଜାହାଜ କେତେବେଳେ ବୁଡିଲା ତାହା ଜଣାପଡିନି । ଗତ ସୋମବାର ଦିନ କେପ ବର୍ଡେ ଦ୍ବୀପ ଠାରୁ ପ୍ରାୟ ୨୭୭ କିଲୋମିଟର ଦୂର ଆଟଲାଣ୍ଟିକ ମହାସାଗରରେ ଏହାକୁ ଠାବ କରାଯାଇଥିଲା । ସ୍ପେନର ଗୋଟିଏ ମାଛଧରା ଜାହାଜ ଉକ୍ତ ଦୁର୍ଘଟଣାଗ୍ରସ୍ତ ଜାହାଜକୁ ଦେଖିବା ପରେ କେପ ବର୍ଡେ ଅଧିକାରୀଙ୍କୁ ଜଣାଇଥିଲା ।

ଏହାମଧ୍ୟ ପଢନ୍ତୁ: ଗ୍ରୀସ ଉପକୂଳରେ ବୁଡିଲା ଜାହାଜ: 79 ମୃତ,ଏକାଧିକ ନିଖୋଜ

କେପ ବର୍ଡେ ଦ୍ବୀପ ୟୁରୋପୀୟ ୟୁନିୟନର ପ୍ରବେଶ ଦ୍ବାର କୁହାଯାଉଥିବା ସ୍ପେନିସ କେନେରୀ ଦ୍ବୀପ ସମୂହ ଠାରୁ ପାଖପାଖି ୬୦୦ କିଲୋମିଟର ଦୂରରେ ଅବସ୍ଥିତ । IOM ମୁଖପାତ୍ର କହିଛନ୍ତି ଯେ, ରେସ୍କ୍ୟୁ ଟିମ୍ କେବଳ ୭ଟି ମୃତଦେହ ଜବତ କରିଛନ୍ତି । ୩୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏବେ ବି ୫୬ ଜଣ ସମୁଦ୍ରରେ ନିଖୋଜ ଅଛନ୍ତି । ଜାହାଜ ଦୁର୍ଘଟଣା ପରେ କେହି ନିଖୋଜ ରହିଲେ ସେମାନଙ୍କୁ ମୃତ ବୋଲି ଧରି ନିଆଯାଏ । କହିରଖୁଛି କି, ପ୍ରତିବର୍ଷ ହଜାର ହଜାର ସଂଖ୍ୟକ ଆଫ୍ରିକୀୟ ପ୍ରବାସୀ ଦାରିଦ୍ର୍ୟ ଓ ଯୁଦ୍ଧ ସ୍ଥିତିରୁ ବର୍ତ୍ତିବା ପାଇଁ ଅବୈଧ ଭାବେ ୟୁରୋପୀୟ ୟୁନିୟନ ଯିବାକୁ ଉଦ୍ୟମ କରିଥାନ୍ତି । ସେମାନେ ଛୋଟ ଛୋଟ ଜାହାଜରେ ବିପଦପୂର୍ଣ୍ଣ ଭାବେ ଯାତ୍ରା କରିଥାନ୍ତି । ଯେଉଁଥିପାଇଁ ଅନେକ ସମୟରେ ବଡ ଅଘଟଣ ଘଟିଥାଏ ।

ପ୍ରକାଶ ଥାଉକି, ଦୁଇ ମାସ ତଳେ ଗ୍ରୀସ ଉପକୂଳରେ ଗୋଟିଏ ଜାହାଜ ବୁଡି ଯିବାରୁ ୭୯ ଜଣଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଥିଲେ । ଦୁର୍ଘଟଣାରେ ଆହୁରି ଅନେକ ଲୋକ ନିଖୋଜ ଥିଲେ । ଜାହାଜରେ ୭୫୦ରୁ ଅଧିକ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ମାତ୍ର ୧୦୪ ଜଣଙ୍କୁ ଉଦ୍ଧାର କରାଯାଇ ପାରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.