ETV Bharat / bharat

ହିମାଚଳରେ ନକଲି ପରିଚୟ ଦେଇ ରହୁଥିବା ଚୀନ ମହିଳା ଗିରଫ

author img

By

Published : Oct 26, 2022, 10:05 AM IST

ହିମାଚଳ ପ୍ରଦେଶରେ ନକଲି ପରିଚୟ ଦେଇ ରହୁଥିବା ଚୀନ ମହିଳା ଗିରଫ । ତାଙ୍କ ନିକଟରୁ ୬ ଲକ୍ଷ ୪୦ ହଜାର ଭାରତୀୟ ଟଙ୍କା ଏବଂ ୧ ଲକ୍ଷରୁ ଅଧିକ ନେପାଳ ମୁଦ୍ରା ଜବତ । ଅଧିକ ପଢନ୍ତୁ

ହିମାଚଳରେ ନକଲି ପରିଚୟ ଦେଇ ରହୁଥିବା ଚୀନ ମହିଳା ଗିରଫ
ହିମାଚଳରେ ନକଲି ପରିଚୟ ଦେଇ ରହୁଥିବା ଚୀନ ମହିଳା ଗିରଫ

ଶିମଲା: ନକଲି ପରିଚୟରେ ହିମାଚଳ ପ୍ରଦେଶରେ ରହୁଥିବା ଆଉ ଜଣେ ଚୀନ ମହିଳା ଗିରଫ । ମହିଳା ଜଣକ ନିଜକୁ ନେପାଳୀ ପରିଚୟ ଦେଇ ଏଠାରେ ରହିଆସୁଥିଲେ । ତାଙ୍କ ଉପରେ ସନ୍ଦେହ ହେବାରୁ ପୋଲିସ ଛାନଭିନ୍ କରିବା ପରେ ସେ ଚୀନ ନାଗରିକ ହୋଇଥିବା ଜଣାପଡିଥିଲା । ଏହାପରେ ପୋଲିସ ମହିଳାଙ୍କୁ ଗିରଫ କରିନେଇଛି(Chinese woman living as Nepali arrested) । ତେବେ ଗତ ୨୨ ତାରିଖରୁ ତାଙ୍କୁ ହିମାଚଳ ମଣ୍ଡି ଜିଲ୍ଲାରୁ ଗିରଫ କରାଯାଇଥିଲେ ମଧ୍ୟ ଏହାକୁ ଗୋପନ ରଖାଯାଇଥିଲା । ମଙ୍ଗଳବାର ମଣ୍ଡି ପୋଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ସୂଚନା ମୁତାବକ, ଗତ ୧୫ ଦିନ ଧରି ମହିଳା ଜଣକ ମଣ୍ଡି ଜିଲ୍ଲା ଚୌତଣ୍ଡା ଅଞ୍ଚଳରେ ରହିଆସୁଥିଲେ । ସେ ଏଠାକୁ ବୌଦ୍ଧ ଧର୍ମର ଶିକ୍ଷା ଗ୍ରହଣ କରିବାକୁ ଆସିଥିଲେ ଏବଂ ନିଜକୁ ନେପାଳୀ ବୋଲି ସମସ୍ତଙ୍କୁ ପରିଚୟ ଦେଉଥିଲେ । ହେଲେ ସେ ନେପାଳ ନାଗରିକ ପରି ନ ଲାଗୁଥିବାରୁ ସନ୍ଦେହ ହୋଇଥିଲା । ଏହାପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତନଘନା ଆରମ୍ଭ କରିଥିଲେ । ମହିଳା ରହୁଥିବା ରୁମର ଯାଞ୍ଚ କରାଯିବା ବେଳେ ସେଠାରୁ କିଛି ସନ୍ଦିଗ୍ଧ ଦସ୍ତାବିଜ୍ ଜବତ ହୋଇଥିଲେ ।

ମହିଳାଙ୍କ କିଛି ଦସ୍ତାବିଜ ଚୀନ ଓ କେତେକ ନେପାଳର ଥିଲା । ଦୁଇଟିଯାକ କାଗଜପତ୍ରରେ ତାଙ୍କର ବୟସ ଭିନ୍ନ ରହିଥିଲା । ଏହାସହିତ ସନ୍ଦିଗ୍ଧ ମହିଳାଙ୍କ ନିକଟରୁ ୬ ଲକ୍ଷ ୪୦ ହଜାର ଭାରତୀୟ ଟଙ୍କା ଏବଂ ୧ ଲକ୍ଷ ୧୦ ହଜାର ନେପାଳ ମୁଦ୍ରା ଜବତ କରାଯାଇଥିଲା । ପୋଲିସ ଏହିସବୁ ସନ୍ଦିଗ୍ଧ ବିଷୟକୁ ଦୃଷ୍ଟିରେ ରଖି ତାଙ୍କୁ ଗିରଫ କରିନେଇଛି । ସେହିପରି ତାଙ୍କ ନିକଟରୁ ଜବତ ଦୁଇଟି ମୋବାଇଲର ଯାଞ୍ଚ ପାଇଁ ପଠାଯାଇଛି ।

ଏହାମଧ୍ୟ ପଢନ୍ତୁ: ନକଲି ପରିଚୟ ଦେଇ ରାଜଧାନୀରେ ରହୁଥିଲେ ଚୀନ ମହିଳା, ବାନ୍ଧିଲା ପୋଲିସ

ଗତ ୨୩ ତାରିଖରେ ମହିଳାଙ୍କୁ ଯୋଗିନ୍ଦ୍ରନଗର କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କୁ ପୋଲିସ ରିମାଣ୍ଡରେ ପଠାଇଥିବା ସୂଚନା ମିଳିଛି । ମଣ୍ଡି ଏସପି ଶାଲିନି ଅଗ୍ନିହୋତ୍ରୀ ଏହି ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ମହିଳା ଜଣ କେଉଁ ଉଦ୍ଦେଶ୍ୟରେ ଏଠାରେ ରହୁଥିଲେ ସେନେଇ ତଦନ୍ତ ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କୁ ଏ ବାବଦରେ ସୂଚନା ଦିଆଯାଇଛି ।

ପ୍ରକାଶଥାଉକି, କିଛିଦିନ ପୂର୍ବରୁ ଦିଲ୍ଲୀରୁ ଜଣେ ଚୀନ ମହିଳା ଗିରଫ ହୋଇଥିଲେ । ତାଙ୍କ ଘର ଚୀନ ହାଇନାନ ପ୍ରଦେଶରେ ହୋଇଥିବାବେଳେ ସେ ଦିଲ୍ଲୀରେ ଜଣେ ବୌଦ୍ଧ ସନ୍ନ୍ୟାସିନୀ ଭାବେ ରହିଆସୁଥିଲେ । ନିଜକୁ ନେପାଳୀ ବୋଲି ପରିଚୟ ଦେଉଥିଲେ । ବୌଦ୍ଧ ଭିକ୍ଷୁଙ୍କ ଭଳି ବସବାସ କରିବା ସହ ଗାଢ ଲାଲ ରଙ୍ଗର ବସ୍ତ୍ର ପରିଧାନ କରୁଥିଲେ । ମୁଣ୍ଡ ଚୁଟି ଛୋଟ ଛୋଟ କରି ପରିଚୟ ଲୁଚାଇ ରଖିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.