ମାଳଦ୍ବୀପ ରାଷ୍ଟ୍ରପତି ଭାବେ ଶପଥ ନେଲେ ମହମ୍ମଦ ମୁଇଜୁ, ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତକୁ କଲେ ନିବେଦନ

ମାଳଦ୍ବୀପ ରାଷ୍ଟ୍ରପତି ଭାବେ ଶପଥ ନେଲେ ମହମ୍ମଦ ମୁଇଜୁ, ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତକୁ କଲେ ନିବେଦନ
ମହମ୍ମଦ ମୁଇଜୁ ମାଳଦ୍ବୀପର ନୂଆ ରାଷ୍ଟ୍ରପତି । ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତକୁ କଲେ ନିବେଦନ । ଶପଥ ଗ୍ରହଣ ସମାରୋହରେ ଭାରତକୁ ପ୍ରତିନିଧିତ୍ବ କରିଥିଲେ କେନ୍ଦ୍ର ମନ୍ତ୍ରୀ ରିଜିଜୁ । ଅଧିକ ପଢନ୍ତୁ
ନୂଆଦିଲ୍ଲୀ: ମହମ୍ମଦ ମୁଇଜୁ ଆଜି (ଶନିବାର) ମାଲଦ୍ୱୀପର ନୂତନ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ସମାରୋହରେ ଭାରତ ପକ୍ଷରୁ କେନ୍ଦ୍ରମନ୍ତ୍ରୀ କିରଣ ରିଜଜୁ ଯୋଗ ଦେଇଥିଲେ । ଭାରତୀୟ ପ୍ରତିନିଧି ଭାବେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ମୁଇଜୁଙ୍କ ସହ ସାକ୍ଷାତ କରିଥିଲେ । ଉଭୟଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଥିଲା । ମାଲଦ୍ୱୀପ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ମାଳଦ୍ୱୀପରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ମାଲଦ୍ୱୀପ ସରକାର ଆନୁଷ୍ଠାନିକ ଭାବେ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି । ରାଷ୍ଟ୍ରପତି ମୁଇଜୁ ଆଜି (ଶନିବାର) ଏ ବାବଦରେ କିରଣ ରିଜିଜୁଙ୍କ ଆଲୋଚନା କରିବା ସହ ଆନୁଷ୍ଠାନିକ ଭାବେ ଅନୁରୋଧ ମଧ୍ୟ କରିଛନ୍ତି ।
-
Privileged to call on President H.E. Dr. Mohamed Muizzu.
— Kiren Rijiju (@KirenRijiju) November 18, 2023
Conveyed greetings from Hon’ble PM @NarendraModi and reiterated India’s commitment to further strengthen the substantive bilateral cooperation and robust people-to-people ties. pic.twitter.com/nFa95QD9ES
ନୂତନ ରାଷ୍ଟ୍ରପତି ମୁଇଜୁ ମାଳଦ୍ୱୀପର ନାଗରିକମାନଙ୍କୁ ଭାରତୀୟ ହେଲିକପ୍ଟର ଓ ବିମାନ ଯୋଗାଇ ଆସୁଥିବା ଚିକିତ୍ସା ସହାୟତାକୁ ସ୍ୱୀକାର କରିଛନ୍ତି । ସେହିପରି ଦେଶରେ ଜାରି ରହିଥିବା ଡ୍ରଗ୍ କାରବାର ଉପରେ ନଜର ରଖିବା ଓ ନିଶା କାରବାରକୁ ପ୍ରତିହତ କରିବା ଦିଗରେ ସେ ସେଠାରେ ନିୟୋଜିତ ଭାରତୀୟ ସୈନିକଙ୍କ ଭୂମିକାକୁ ମଧ୍ୟ ପ୍ରଶଂସା କରିଥିଲେ । ତଥାପି ମାଳଦ୍ବୀପ ଭାରତକୁ ସୈନ୍ୟ ଅପସାରଣ ପାଇଁ ନିବେଦନ କରିଛି ।
ସୂଚନାଯୋଗ୍ୟ ଯେ, ପ୍ରାୟ 70 ଭାରତୀୟ ସୈନିକ ମାଳଦ୍ୱୀପରେ ରାଡାର ଷ୍ଟେସନ ଓ ସର୍ଭିଲାନ୍ସ ବିମାନରେ ନିୟୋଜିତ ରହିଛନ୍ତି । ନିର୍ବାଚନ ପ୍ରଚାର ସମୟରେ ମହମ୍ମଦ ମୁଇଜୁ ଦେଶବାସୀଙ୍କୁ ପ୍ରତିଶୃତି ଦେଇଥିଲେ ଯେ ସେ ମାଳଦ୍ବୀପରୁ ଭାରତୀୟ ସେନାକୁ ପ୍ରତ୍ୟାହାର କରିବେ । ତେବେ ଅନ୍ୟ ଏକ କୂଟନୈତିକ ସୂଚନା ଆଧାରରେ ଏବେ ମାଳଦ୍ବୀପ କମାଣ ସମ୍ଭାଳିଥିବା ମୁଇଜୁ ଚୀନ୍ର ନିକଟବର୍ତ୍ତୀ ବୋଲି ବିବେଚନା ମଧ୍ୟ କରାଯାଏ । ସେ ଦୃଷ୍ଟିରେ ସେ ଭାରତ ପ୍ରତି ଏପରି ଆଭିମୁଖ୍ୟ ଗ୍ରହଣ କରିଥାଇ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ମଧ୍ୟ ହୁଏ । ତେବେ ନିକଟରେ ଏପରି ଚର୍ଚ୍ଚାକୁ ନେଇ ସେ ଏକ ସ୍ପଷ୍ଟୀକରଣ ମଧ୍ୟ ରଖିଥିଲେ । ଭାରତୀୟ ସୈନ୍ୟ ପ୍ରତ୍ୟାହାର ହେବା ପରେ ସେ ଚୀନ କିମ୍ବା ଅନ୍ୟ କୌଣସି ଦେଶଠାରୁ ସାମରିକ ସାହାଯ୍ୟ ମାଗିବେ ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଥିଲେ । ଆଜି ସେ ବିଧିବଦ୍ଧ ଭାବେ ଶପଥ ନେଇଛନ୍ତି । ଏହି ବସରରେ ସେ ଭାରତୀୟ ପ୍ରତିନିଧି ତଥା କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ସହ ଆଲୋଚନା କରିବା ସହ ପ୍ରଥମେ ଏହି ପ୍ରସଙ୍ଗ ଉଠାଇଛନ୍ତି । ଯାହା ସେ ନିର୍ବାଚନ ସମୟରେ ପ୍ରତିଶୃତି ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
