ETV Bharat / bharat

ଅଙ୍ଗଦାନ କରି ଅମର ଓଡିଆ ପୁଅ ପ୍ରସନ୍ନଜିତ, ବଞ୍ଚିଗଲା ନାବାଳକର ଜୀବନ

author img

By

Published : Jul 2, 2023, 10:38 AM IST

ମୃତ୍ୟୁଶଯ୍ୟାରେ ପଡିଥିଲେ ପଶ୍ଚିମବଙ୍ଗର ୧୬ ବର୍ଷର ଛାତ୍ର । ନିଜର ଫୁସଫୁସ ଦେଇ ଜୀବନ ବଞ୍ଚାଇଲେ ଓଡ଼ିଆ ପୁଅ ପ୍ରସନ୍ନଜିତ ମହାନ୍ତି । ଅଧିକ ପଢନ୍ତୁ

୧୬ ବର୍ଷୀୟ ନାବାଳକର ଫୁସଫୁସ ପ୍ରତ୍ୟାରୋପଣ
୧୬ ବର୍ଷୀୟ ନାବାଳକର ଫୁସଫୁସ ପ୍ରତ୍ୟାରୋପଣ

କୋଲକାତା: କୁହାଯାଏ ଅଙ୍ଗଦାନ ମହାପୂଣ୍ୟ । ସେମତି ନିଜର ଅଙ୍ଗଦାନ କରି ମୃତ୍ୟୁ ପରେ ବି ଅମର ହୋଇଯାଇଛନ୍ତି ଓଡ଼ିଆ ପୁଅ ପ୍ରସନ୍ନଜିତ । ନିଜେ ସିନା ଚାଲିଗଲେ ହେଲେ ଅନ୍ୟମାନଙ୍କୁ ଦେଇଗଲେ ନୂଆ ଜୀବନ । ଫୁସଫୁସ ଦେଇ ମୃତ୍ୟୁଶଯ୍ୟାରେ ପଡିଥିବା ପିଲାର ଜୀବନ ବଞ୍ଚାଇଦେଲେ । ପ୍ରସନ୍ନଜିତଙ୍କ ପାଇଁ ପଶ୍ଚିମବଙ୍ଗର ଜଣେ ୧୬ ବର୍ଷୀୟ ନାବାଳକ ନୂଆ ଜୀବନ ପାଇଛନ୍ତି । ତାଙ୍କର ଫୁସଫୁସ ଉକ୍ତ ନାବାଳକ ଶରୀରରେ ସଫଳତାର ସହ ପ୍ରତିରୋପଣ କରାଯାଇଛି । କୋଲକାତାର ମେଡିକା ସୁପର ସ୍ପେଶିଆଲିଟି ହସ୍ପିଟାଲରେ ପ୍ରଥମ ଥର ଏପରି ସଫଳ ଫୁସଫୁସ ପ୍ରତ୍ୟାରୋପଣ ହୋଇଛି ।

ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଦଶମ ଶ୍ରେଣୀ ଛାତ୍ର ସ୍ବପ୍ନିଲ ବିଶ୍ବାସ । ଚଳିତ ମେ' ମାସରେ ସେ ମୃଦୁ ପାନୀୟ ଭାବି ଭୁଲବଶତଃ କୀଟନାଶକ ପିଇ ଦେଇଥିଲେ । ଫଳରେ ତାଙ୍କ ସ୍ବାସ୍ଥ୍ୟ ପୁରାପୁରି ବିଗିଡି ଯାଇଥିଲା । କୀଟନାଶକ ପ୍ରଭାବରେ ତାଙ୍କର ଶରୀରର ବିଭିନ୍ନ ଆଭ୍ୟନ୍ତରୀଣ ଅଙ୍ଗଗୁଡିକ ନଷ୍ଟ ହୋଇଯାଇଥିଲା । ସ୍ବପ୍ନିଲ ମୃତ୍ୟୁମୁଖରେ ପଡିଯାଇଥିଲେ । କିଡନୀ, ଯକୃତ ଏବଂ ଫୁସଫୁସ ପୁରାପୁରି ଅକାମି ହୋଇଯାଇଥିଲା । ତାଙ୍କର ଫୁସଫୁସକୁ କେହି ପୋଡି ଦେଇଥିବା ଭଳି ଦେଖାଯାଇଥିଲା । ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ହେବାରୁ ସାତ ଦିନ ପରେ ତାଙ୍କୁ ମେଡିକା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ନାବାଳକଙ୍କ ବଞ୍ଚାଇବା ପାଇଁ ଫୁସଫୁସ ପ୍ରତ୍ୟାରୋପଣ ଏକମାତ୍ର ଉପାୟ ବୋଲି ଡାକ୍ତର କହିଥିଲେ । ଫଳରେ ପରିବାର ଲୋକେ ଅଙ୍ଗଦାତା ସନ୍ଧାନରେ ଲାଗି ପଡିଥିଲେ ।

ଏହାମଧ୍ୟ ପଢନ୍ତୁ: ବ୍ରେନଡେଡ ବ୍ୟକ୍ତିଙ୍କ ଅଙ୍ଗଦାନ, ମୃତ୍ୟୁ ପରେ 4 ଜଣଙ୍କୁ ଦେଇଗଲେ ନୂଆ ଜୀବନ

ଏହି ସମୟରେ ଦୁର୍ଘଟଣାରେ ଓଡ଼ିଶାର ଜଣେ ବ୍ୟକ୍ତିଙ୍କ ବ୍ରେନ ଡେଡ ଖବର ଡାକ୍ତରଙ୍କୁ ମିଳିଥିଲା । ସେହି ବ୍ରେନ ଡେଡ୍ ବ୍ୟକ୍ତି ଥିଲେ ପ୍ରସନ୍ନଜିତ ମହାନ୍ତି । ତାଙ୍କର ଫୁସଫୁସ ସ୍ବପ୍ନିଲଙ୍କ ସହ ମେଳ ଖାଉଥିବାରୁ ଏକ ଡାକ୍ତରୀ ଟିମ୍ ଫୁସଫୁସ ଆଣିବାକୁ ଓଡ଼ିଶା ଆସିଥିଲେ । ହେଲେ ଏଥିପାଇଁ ଅଧିକ ଟଙ୍କାର ଆବଶ୍ୟକତା ଥିଲା । ପରେ ଘରୋଇ ଡାକ୍ତରଙ୍କ ଆବେଦନ କ୍ରମେ ପଶ୍ଚିମବଙ୍ଗ ସରକାର ନାବାଳକଙ୍କୁ ଆର୍ଥିକ ସହାୟତା ପାଇଁ ୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ଏହାପରେ ହେଲଥ କାର୍ଡ ଜରିଆରେ ଗତ ଶନିବାର ମଧ୍ୟରାତ୍ରିରେ ସ୍ବପ୍ନିଲଙ୍କ ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା । ପ୍ରସନ୍ନଜିତଙ୍କ ଫୁସଫୁସ ତାଙ୍କ ଶରୀରରେ ସଫଳତାର ସହ ପ୍ରତ୍ୟାରୋପଣ ହୋଇଥିଲା । ଡାକ୍ତର କୁନାଲ ସରକାର ଓ ଡାକ୍ତର ସୌମ୍ୟଜିତ ବୋଷଙ୍କ ଦ୍ବାରା ଦୀର୍ଘ ୮ ଘଣ୍ଟା ଧରି ଏହି ଅସ୍ତ୍ରୋପଚାର ଚାଲିଥିଲା । ଏବେ ପିଲାଟି ସୁସ୍ଥ ଥିବା ଜଣାପଡିଛି । ତେବେ ବ୍ରେନଡେଡ୍ ପ୍ରସନ୍ନଜିତ କେବଳ ସ୍ବପ୍ନିଲ ନୁହଁନ୍ତି, ଆଉ ୩ ଜଣଙ୍କୁ ଅଙ୍ଗଦାନ କରି ନୂଆ ଜୀବନ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.