ETV Bharat / bharat

ସାମ୍ବାଦିକମାନେ ଜଣେ ଶିକ୍ଷକଙ୍କ ଭଳି ସମାନ ସମ୍ମାନ ପାଇବା ଉଚିତ: ପ୍ରତିରକ୍ଷା ମନ୍ତ୍ରୀ

author img

By

Published : Jan 15, 2023, 6:09 PM IST

ଦେଶରେ ଗଣତନ୍ତ୍ର ବଜାୟ ରଖିବାରେ ସାମ୍ବିଦକମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଏଣୁ ଜଣେ ଶିକ୍ଷକଙ୍କୁ ଯେପରି ସମ୍ମାନ ଦିଆଯାଇଥାଏ, ସାମ୍ବାଦିକମାନଙ୍କୁ ମଧ୍ୟ ସେଭଳି ସମ୍ମାନ ଦେବା ଉଚିତ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

Rajnath Singh on Journalists
Rajnath Singh on Journalists

ନୂଆଦିଲ୍ଲୀ: ଗଣମାଧ୍ୟମ ପ୍ରତିନିଧି ବା ସାମ୍ବାଦିକମାନେ ଶିକ୍ଷକଙ୍କ ଭଳି ସମାନ ସମ୍ମାନର ଅଧିକାରୀ । ସମାଜ ପାଇଁ ସେମାନଙ୍କ ବଳିଷ୍ଠ ଭୂମିକା ରହିଛି । ଭାରତରେ ଗଣତନ୍ତ୍ରର ସୁରକ୍ଷା ଓ ଏହାକୁ ଦୃଢ କରିବାରେ ସାମ୍ବାଦିକମାନେ ହେଉଛନ୍ତି ପ୍ରମୁଖ୍ୟ ସ୍ତମ୍ଭ । କୋରୋନା ମହାମାରୀ ସମୟରେ ସାମ୍ବାଦିକମାନେ କର୍ମଯୋଗୀ ଭାବେ କାର୍ଯ୍ୟ କରୁଥିବା ବେଳେ ସ୍ବଚ୍ଛ ଭାରତର ଅଭିଯାନର ସଫଳତା ପଛରେ ସେମାନଙ୍କ ପ୍ରମୁଖ ଭୂମିକା ରହିଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆଜି ଜାତୀୟ ସାପ୍ତାହିକ ପତ୍ରିକା 'ପଞ୍ଚଜନ୍ୟ'ର ୭୫ବର୍ଷ ପୂର୍ତ୍ତିରେ ଏହା କହିଛନ୍ତି ରାଜନାଥ ।

ଆଜିର(ରବିବାର) ସାମ୍ବାଦିକମାନେ ସାମ୍ବାଦିକତାର ସ୍ବଚ୍ଛତା, ସଠିକତାକୁ ଅନୁସରଣ କରିବା ଉଚିତ । ଏହାସହ ସଚ୍ଚୋଟତା ଭାବେ ଖବର ପ୍ରସାରଣ କରିବା ଆବଶ୍ୟକ । ମିଥ୍ୟା ଖବର ପ୍ରସାରଣରୁ ଦୂରେଇ ରହିବା ଲାଗି କିଛି ସାମ୍ବାଦିକଙ୍କୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ଯେଉଁ ସାମ୍ବାଦିକ ଖବରକୁ ପ୍ରଭାବିତ କରନ୍ତି ସେମାନେ ବାସ୍ତବରେ ସାମ୍ବାଦିକ ନୁହଁନ୍ତି ବୋଲି ସେ କହିଛନ୍ତି । ଏନେଇ ସେ କହିଛନ୍ତି, "ଆମ ଦେଶରେ ଜଣେ ଶିକ୍ଷକଙ୍କୁ ଯେପରି ସମ୍ମାନ ଦିଆଯାଇଥାଏ, ସାମ୍ବାଦିକମାନଙ୍କୁ ମଧ୍ୟ ସେଭଳି ସମ୍ମାନ ଦେବା ଉଚିତ । ମାତ୍ର ଯେଉଁ ସାମ୍ବାଦିକ ମିଥ୍ୟା ବା ପ୍ରଭାବିତ ଖବର ପ୍ରସାରଣ କରନ୍ତି ମୁଁ ସେମାନଙ୍କୁ ସାମ୍ବାଦିକ ଭାବେ ବିବେଚନା କରିନଥାଏ ।"

ଏହା ବି ପଢନ୍ତୁ- Nepal Plane Crash: ମୃତକ 15 ବିଦେଶୀ ନାଗରିକଙ୍କ ମଧ୍ୟରେ 5 ଭାରତୀୟ

ସାମ୍ବାଦିକ ହେଉଛନ୍ତି ଦେଶ ଓ ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ସଦୃଶ । ଗତ କିଛି ବର୍ଷ ମଧ୍ୟରେ ସକରାତ୍ମକ ଭାବନା ଓ ଦେଶକୁ ଗଢିବାରେ ସାମ୍ବାଦିକଙ୍କ ବଳିଷ୍ଠ ଭୂମିକା ରହିଛି । ସ୍ୱାଧୀନତା ସଂଗ୍ରାମ ବେଳେ ଲୋକମାନଙ୍କ ନିକଟକୁ ଖବର ପହଞ୍ଚାଇବାରେ ଏମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମହାମାରୀ ସମୟରେ ଲୋକେ ସଂକ୍ରମଣ ଭୟରେ ଘରେ ରହୁଥିବା ବେଳେ ଜଣେ ସାମ୍ବାଦିକଟିଏ ଦେଶ ଦୁନିଆର ଖବର ସଂଗ୍ରହ ଲାଗି ନିର୍ଭୀକତାର ସହିତ ବାହାରକୁ ବାହାରୁଥିଲା । ଘାତକ ଭୂତାଣୁକୁ ସାମନା କରୁଥିଲା ସାମ୍ବାଦିକ । ମହାମାରୀ ସମୟରେ ସାମ୍ବିଦିକମାନେ କର୍ମଯୋଗୀ ଭାବେ କାର୍ଯ୍ୟ କରୁଥିଲେ । ଯାହାକୁ ପ୍ରତିରକ୍ଷା ମନ୍ତ୍ରୀ ବେଶ ପ୍ରଶଂସା କରିଛନ୍ତି ।

ମାତ୍ର ଏବେର କିଛି ସାମ୍ବାଦିକ ଖବରକୁ ବେଶ ପ୍ରଭାବିତ କରି ଲୋକଙ୍କ ନିକଟରେ ପହଞ୍ଚାଉଛନ୍ତି । ଯାହାକୁ ଭୁଲ ବୋଲି କହିଛନ୍ତି ରାଜନାଥ । ଜଣେ ସାମ୍ବାଦିକକୁ ସର୍ବଦା ସାମ୍ବାଦିକତାର ନିୟମକୁ ପାଳନ କରିବା ଦରକାର । ଏପରି କରୁଥିବା ସାମ୍ବାଦିକଙ୍କୁ ସେ ଜଣେ ଗଣମାଧ୍ୟମ ପ୍ରତିନିଧି ଭାବେ ବିବେଚନା କରନ୍ତି ନାହିଁ ବୋଲି କହିଛନ୍ତି । ଖବରର ସତ୍ୟତା ଯେତେ କଟୁ ହୋଇଥାଉ ନା କାହିଁକି ଲୋକଙ୍କ ନିକଟରେ ତାହା ପହଞ୍ଚାଇବା ସାମ୍ବାଦିକତାର ଧର୍ମ ହୋଇଥାଏ । ସର୍ବଦା ସତ୍ୟତାକୁ ବଜାୟ ରଖି ଖବର ପ୍ରସାରଣ କରିବାକୁ ସେ ଆଜିର ସାମ୍ବାଦିକଙ୍କୁ ପରାମର୍ଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.