ETV Bharat / bharat

ମାଟ୍ରିକ ଡ୍ରପଆଉଟ ତାଲିକାରେ ଦେଶରେ ନଂ ୧ ଓଡ଼ିଶା

author img

By ETV Bharat Odisha Team

Published : Dec 19, 2023, 1:46 PM IST

Updated : Dec 19, 2023, 2:11 PM IST

Class 10 Dropout Rate: ଦଶମ ଶ୍ରେଣୀ ଡ୍ରପଆଉଟ ରେସିଓରେ ଦେଶରେ ନମ୍ବର ୧ ଓଡ଼ିଶା । ଦ୍ବିତୀୟରେ ରହିଛି ବିହାର । ଅଧିକ ପଢ଼ନ୍ତୁ

ମାଟ୍ରିକ ଡ୍ରପଆଉଟ ତାଲିକା
ମାଟ୍ରିକ ଡ୍ରପଆଉଟ ତାଲିକା

ନୂଆଦିଲ୍ଲୀ: ଦେଶରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଡ୍ରପ୍‌ଆଉଟ ରେଟ୍ ଚିନ୍ତାଜନକ ରହିଛି । ୨୦୨୧-୨୨ ଶିକ୍ଷାବର୍ଷରେ ୨୦.୬ ପ୍ରତିଶତ ଛାତ୍ରଛାତ୍ରୀ ଦଶମରେ ପାଠପଢା ଛାଡିଛନ୍ତି (ଡ୍ରପଆଉଟ) । ବଡ଼ କଥା ହେଉଛି, ଦଶମ ଡ୍ରପଆଉଟ ତାଲିକାରେ ଶୀର୍ଷମଣ୍ଡନ କରିଛି ଓଡ଼ିଶା । ଅର୍ଥାତ୍ ଓଡ଼ିଶାରେ ସର୍ବାଧିକ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଡ୍ରପଆଉଟ୍ ହୋଇଛନ୍ତି । ୪୯.୯ ପ୍ରତିଶତ ଡ୍ରପଆଉଟ୍ ହାର ସହ ଓଡ଼ିଶା ନମ୍ବର ୧ରେ ଥିବାବେଳେ ଏହା ପଛକୁ ରହିଛି ବିହାର । ବିହାରରେ ଦଶମ ଡ୍ରପଆଉଟ ରେଟ୍ ୪୨.୧ ପ୍ରତିଶତ ଅଛି । ଏନେଇ ଲୋକସଭାରେ ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଶାରେ ଦଶମ ଶ୍ରେଣୀ ଡ୍ରପଆଉଟ୍ ହାର ପୂର୍ବାପେକ୍ଷା ବୃଦ୍ଧି ପାଇଛି । ୨୦୨୨ ଶିକ୍ଷାବର୍ଷରେ ରାଜ୍ୟର ଦଶମ ଡ୍ରପଆଉଟ ହାର ୧୨.୮ ପ୍ରତିଶତ ବଢି ୪୯.୯ରେ ପହଞ୍ଚିଛି । ଏହାର ଅର୍ଥ ୪୯.୯ ପ୍ରତିଶତ ପିଲା ଦଶମ ଶ୍ରେଣୀ ପରେ ଆଉ ପାଠ ପଢିନାହାନ୍ତି । ରାଜ୍ୟର ଶିକ୍ଷା ଭିତ୍ତିଭୂମିର ବିକାଶ ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ରାଜ୍ୟରେ ଡ୍ରପଆଉଟ୍ ସଂଖ୍ୟା କମିବା ବଦଳରେ ବଢ଼ି ଚାଲିଛି । ଯାହାକି ଉଦବେଗଜନକ ବିଷୟ ।

ଓଡ଼ିଶା ଏବଂ ବିହାର ପରେ ମେଘାଳୟରେ ଦଶମ ଡ୍ରପଆଉଟ ରେଟ୍ ୩୩.୫ ପ୍ରତିଶତ, କର୍ଣ୍ଣାଟକରେ ୨୮.୫ ପ୍ରତିଶତ, ଆନ୍ଧ୍ରପ୍ରଦେଶ ଓ ଆସାମରେ ୨୮.୩ ପ୍ରତିଶତ, ଗୁଜୁରାଟରେ ୨୮.୨ ପ୍ରତିଶତ, ତେଲଙ୍ଗାନାରେ ୨୭.୪ ପ୍ରତିଶତ ରହିଛି । ୧୦ ପ୍ରତିଶତରୁ କମ୍ ଡ୍ରପଆଉଟ ରେଡ୍ ଥିବା ରାଜ୍ୟଗୁଡିକ ହେଲେ ଉତ୍ତରପ୍ରଦେଶରେ ୯.୨ ପ୍ରତିଶତ, ତ୍ରିପୁରାରେ ୩.୮ ପ୍ରତିଶତ, ତାମିଲନାଡୁରେ ୯ ପ୍ରତିଶତ, ମଧ୍ୟପ୍ରଦେଶରେ ୯.୮ ପ୍ରତିଶତ, ହିମାଚଳରେ ୨.୫, ହରିୟାଣାରେ ୭.୪ ପ୍ରତିଶତ, ଦିଲ୍ଲୀରେ ୧.୩ ପ୍ରତିଶତ ଥିବାବେଳେ ମଣିପୁରରେ ଏହି ରେଟ୍ ଶୂନ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ ହ୍ରାସ ପାଉଛି ପ୍ରଜନନ ହାର, ବଢ଼ିଚାଲିଛି ଯୁବକ ଓ ବୟସ୍କଙ୍କ ସଂଖ୍ୟା

ଡିଏମ୍‌କେ ସାଂସଦ କାଲାନିଧି ବୀରାସ୍ବାମୀଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷା ମନ୍ତ୍ରଣାଳୟର ସର୍ଭେ ଅନୁସାରେ ପାଖାପାଖି ୩.୫ ମିଲିୟନ ଛାତ୍ର ଦଶମ ଶ୍ରେଣୀରେ ପାଠପଢ଼ା ଛାଡିଛନ୍ତି । ୨୦୨୨ରେ ସମୁଦାୟ ୧କୋଟି ୮୯ ଲକ୍ଷ ୯୦ ହଜାର ୮୦୯ ଜଣ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୨୯ ଲକ୍ଷ ୫୬ ହଜାର ୧୩୮ ଜଣ ଛାତ୍ରଛାତ୍ରୀ ପରବର୍ତ୍ତୀ ଶ୍ରେଣୀକୁ ଯାଇନାହାନ୍ତି । ଛାତ୍ରଛାତ୍ରୀଙ୍କ ପରୀକ୍ଷାରେ ବିଫଳ ହେବାର କାରଣ ଭିନ୍ନ ଭିନ୍ନ ହୋଇପାରେ । ଯେମିତିକି ନିୟମିତ ଭାବେ ସ୍କୁଲ ନଯିବା, ସ୍କୁଲରେ ନିର୍ଦ୍ଦେଶ ଅନୁସରଣ ନକରିବା, ପାଠପଢ଼ାରେ ଅନାଗ୍ରହ, ଗୁଣାତ୍ମକ ଶିକ୍ଷକ ଅଭାବ, ଅଭିଭାବକ, ଶିକ୍ଷକ ଓ ବିଦ୍ୟାଳୟର ସମର୍ଥନର ଅଭାବ ଇତ୍ୟାଦି ।

Last Updated :Dec 19, 2023, 2:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.