ETV Bharat / bharat

ହାଇଦ୍ରାବାଦରେ ବଢୁଛି ଅଗ୍ନିକାଣ୍ଡ; ଚଳିତ ବର୍ଷ ୧୩୨ ଅଘଟଣରେ ୩୭ ମୃତ

author img

By ETV Bharat Odisha Team

Published : Nov 14, 2023, 10:02 PM IST

Fire Incident in Hyderabad: ବେଆଇନ ଦୋକାନ ଓ କେମିକାଲ ଗୋଦାମରେ ଅଗ୍ନିକାଣ୍ଡ ଯୋଗୁଁ ହାଇଦ୍ରାବାଦରେ ବୃଦ୍ଧି ପାଉଛି ଅଘଟଣ । ଚଳିତ ବର୍ଷ ଏବେ ସୁଦ୍ଧା ଗଲାଣି ୩୭ ଜଣଙ୍କ ଜୀବନ । ଅଧିକ ପଢ଼ନ୍ତୁ

Illegal reserves are keys to fire
Illegal reserves are keys to fire

ହାଇଦ୍ରାବାଦ: ତେଲେଙ୍ଗାନାରେ ବୃଦ୍ଧି ପାଇବାରେ ଲାଗିଛି ଅଗ୍ନିକାଣ୍ଡ । ରାଜଧାନୀ ହାଇଦ୍ରାବାଦ ସ୍ଥିତ ଏକ କେମିକାଲ ଗୋଦାମରେ ସୋମବାର ଅଗ୍ନିକାଣ୍ଡ ଘଟି ଅକାଳରେ ଚାଲିଯାଇଛି ୯ ଜଣଙ୍କ ଜୀବନ । ଏହାପରେ ସାମ୍ନାକୁ ଆସିଛି ଏକ ରିପୋର୍ଟ । ରାଜ୍ୟରେ ଚଳିତ ବର୍ଷ ୧୩୨ ଅଗ୍ନିକାଣ୍ଡ ଘଟିଥିବା ବେଳେ ୩୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାପରେ ମଧ୍ୟ ଜନବସତି ଅଞ୍ଚଳରେ ବେଆଇନ ଭାବେ କେମିକାଲ ଗୋଦାମ ଖୋଲିବାକୁ ଅନୁମତି ଦିଆଯାଉଛି । ଏନେଇ ଅନେକ ଥର ଅଭିଯୋଗ ହେବା ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ସୋମବାର ହାଇଦ୍ରାବାଦ ନାମପଲ୍ଲୀ ବଜାରଘାଟରେ କେମିକାଲ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏହି ବେଆଇନ ଗୋଦାମକୁ ନେଇ ସେମାନେ ଅନେକ ଥର ଅଭିଯୋଗ କରିବା ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏପରିକି ଗୋଦାମକୁ ଆସି ଯାଞ୍ଚ ମଧ୍ୟ କରାଯାଉନାହିଁ । ଯେତେବେଳେ ଏଭଳି ଅଘଟଣ ଘଟୁଛି, ସେତେବେଳେ ବେଆଇନ ଗୋଦାମକୁ ନେଇ ଚର୍ଚ୍ଚା ହେଉଛି । ହାଇଦ୍ରାବାଦର ରିଙ୍ଗ ରୋଡର ରେଡ୍‌ ଓ ଅରେଞ୍ଜ ଜୋନରେ ରହିଥିବା ପ୍ରାୟ ୧୩୫୦ଟି ଇଣ୍ଡଷ୍ଟ୍ରିକୁ ସ୍ଥାନାନ୍ତରିତ କରାଯିବା ବୋଲି ପ୍ରସ୍ତାବ ଦିଆଯାଇଥିବା ବେଳେ ଏବେ ସୁଦ୍ଧା ଏହାକୁ ଲାଗୁ କରାଯାଇନାହିଁ ।

ଏହା ବି ପଢନ୍ତୁ- ହାଇଦ୍ରାବାଦରେ ଭୟାବହ ଅଗ୍ନିକାଣ୍ଡ, କେମିକାଲ ବିଲ୍ଡିଂରେ ନିଆଁ ଲାଗି 9 ଜୀବନ୍ତ ଦଗ୍ଧ

ରିପୋର୍ଟ ଅନୁସାରେ ନିୟମକୁ ଅବମାନନା କରି ଗୋଦାମରେ ବିଷାକ୍ତ ପଦାର୍ଥ ରଖାଯାଉଛି । ଏଥିଲାଗି ୨୦୨୧ରେ ୧୩୯ଟି ଅଗ୍ନିକାଣ୍ଡ ଘଟିଥିବା ବେଳେ ୨୦୨୨ରେ ୨୩୬ ଓ ୨୦୨୩ ଏବେ ସୁଦ୍ଧା ୧୩୨ଟି ଅଗ୍ନିକାଣ୍ଡ ଘଟିଛି । ହାଇଦ୍ରାବାଦରେ ଚଳିତ ବର୍ଷ ୫ଟି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୩୭ ଜଣଙ୍କ ଜୀବନ ମଧ୍ୟ ଗଲାଣି । ୨୦୨୨ ମାର୍ଚ୍ଚରେ ଘଟିଥିବା ଅଗ୍ନିକାଣ୍ଡରେ ୧୧ଜଣ ବିହାରୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ସେହିପରି ସେପ୍ଟେମ୍ବରରେ ସିକନ୍ଦରାବାଦ ରୁବି ହୋଟେଲରେ ଘଟିଥିବା ଅଗ୍ନିକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଥିଲେ । ଶୋ' ରୁମରେ ବିଦ୍ୟୁତ ବାଇକରେ ସର୍ଟସର୍କିଟ ଯୋଗୁଁ ଏହି ଅଘଟଣ ଘଟିଥିଲା ।

ସେହିପରି ଚଳିତ ବର୍ଷ ଜାନୁଆରୀରେ ସିକନ୍ଦରାବାଦ ନଲ୍ଲାଗୁଟ୍ଟା ସ୍ଥିତ ଡେକାନ ନିଟୱିର ସ୍ପୋର୍ଟ୍ସସପରେ ଅଗ୍ନିକାଣ୍ଡ ଘଟି ୩ ଜଣ ବିହାରୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଅଗ୍ନିଶମ ବାହିନୀ ଦୀର୍ଘ ୧୦ ଘଣ୍ଟା ଉଦ୍ୟମ କରିବା ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ଏହାପରେ ଏହି ବେଆଇନ ଭାବେ ନିର୍ମାଣ ହୋଇଥିବା ଦୋକାନକୁ ଭଙ୍ଗାଯାଇଥିଲା । ସେହିପରି ୨୦୧୭ ମାର୍ଚ୍ଚ ୧୭ ତାରିଖରେ ସିକନ୍ଦରାବାଦ ସ୍ବପ୍ନାଲୋକ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ ୬ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.