Karnataka Rain: କର୍ଣ୍ଣାଟକରେ ବର୍ଷା ବିତ୍ପାତ, ବିଭିନ୍ନ ସ୍ଥାନରେ 7 ମୃତ

author img

By

Published : May 22, 2023, 5:27 PM IST

Updated : May 23, 2023, 6:17 AM IST

Karnataka rain: କର୍ଣ୍ଣାଟକରେ ବର୍ଷା ବିତ୍ପାତ, ବଜ୍ରାଘାତରେ 7 ମୃତ

କର୍ଣ୍ଣାଟକରେ ବର୍ଷା ବିତ୍ପାତ ଜାରି । ରାଜଧାନୀ ବେଙ୍ଗାଲୁରୁ ସମେତ ବିଭିନ୍ନ ସ୍ଥାନରେ ପାଣିରେ ବୁଡି ଓ ବଜ୍ରାଘାତରେ 7 ମୃତ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜାରି ରହିଥିବା ପ୍ରବଳ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ 7ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାଜଧାନୀ ବେଙ୍ଗାଲୁରୁ ସମେତ ଚିକାମୋଙ୍ଗୁଲୁର, କୋପ୍ପଲା, ମହୀଶୂର, ବେଲାରୀ ସମେତ ଅନ୍ୟ କିଛି ସ୍ଥାନରୁ ଏହି ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଅଧିକାଂଶ ମୃତ୍ୟୁ ବଜ୍ରାଘାତ କାରଣରୁ ହୋଇଥିବା ଜଣାପଡିଛି । ରାଜଧାନୀ ବେଙ୍ଗାଲୁରୁରେ ବର୍ଷା ଜଳରେ ରାସ୍ତା ବୁଡିଯାଇଥିବା କାରଣରୁ ଗତକାଲି(ରବିବାର) ଜଣେ ମହିଳା ସଫ୍ଟଓ୍ବେର ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିଲା ।

ଏହି ମହିଳା ଇଞ୍ଜିନିୟରଜଣଙ୍କ ନିଜ ପରିବାର ସଦସ୍ୟଙ୍କ ସହ ଏକ କାରରେ ଯାଉଥିବା ବେଳେ ସହରର କେ.ଆର ସର୍କଲ ଅଣ୍ଡରପାସରେ ତାଙ୍କ କାରଟି ବର୍ଷା ଜଳରେ ଫସି ଯାଇଥିଲା । ଅନ୍ୟମାନଙ୍କୁ ଉଦ୍ଧାର କରାଯିବାରେ ସଫଲତା ମିଳିଥିଲେ ସୁଦ୍ଧା ଏହି 22 ବର୍ଷୀୟା ଆନ୍ଧ୍ର ପ୍ରଦେଶର ମହିଳା ସଫ୍ଟଓ୍ବେର ଇଞ୍ଜିନିୟରଙ୍କୁ ଉଦ୍ଧାର କରାଯାଇ ପାରିନଥିଲା । ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପହଞ୍ଚି ମୃତକଙ୍କ ପରିବାରକୁ ସାନ୍ତ୍ବନା ଦେଇଥିଲେ ।

ଗତକାଲି (ରବିବାର) ସଂଧ୍ୟାରେ ବିଜୟ ନଗର ଜିଲ୍ଲାରେ ବଜ୍ରାଘାତରେ ଜଣେ ଗ୍ରାମ ପଞ୍ଚାୟତ ସଦସ୍ୟଙ୍କର ମଧ୍ୟ ମୃତ୍ୟୁ ଘଟିଛି । ମୃତକ 38 ବର୍ଷୀୟ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ମଲ୍ଲିକାର୍ଜୁନ ବୋଲି ଜଣାପଡିଛି । ଏହା ବ୍ୟତୀତ କେବଳ ମହୀଶୂରରେ 3ଜଣଙ୍କ ପ୍ରାଣହାନୀ ଘଟିଛି । ଏଠାରେ ଶନିବାର ଓ ରବିବାର ହୋଇଥିବା ବଜ୍ରାଘାତରେ ଭିନ୍ନ ଭିନ୍ନ ସ୍ଥାନରେ 3 ଚାଷୀଙ୍କ ମୃତ୍ୟୁ ଘଟିଛି । ସେହିପରି ବେତ୍ତାପୁରରେ ବର୍ଷାରେ ଛିଡି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହେବା ସହ ଅନ୍ୟ 2ଜଣ ଗୁରୁତର ହୋଇଛନ୍ତି । କୋପ୍ପାଲରେ 16 ବର୍ଷୀୟ ଜଣେ ନାବାଳକର ମୃତ୍ୟୁ ବଜ୍ରାଘାତ କାରଣରୁ ହୋଇଛି । ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେବା ପାଇଁ ପ୍ରୟାସ କରାଯାଇଥିଲେ ସୁଦ୍ଧା ଗଛ ପଡି ରାସ୍ତା ଅବରୋଧ ହୋଇଥିବା କାରଣରୁ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ରାଜ୍ୟବ୍ୟାପୀ ଜାରି ରହିଥିବା ବର୍ଷା ସ୍ଥିତିରେ ଏବେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଦୁର୍ଦ୍ଦଶା ଜାରି ରହିଛି । ଏବେ ମଧ୍ୟ ରାଜଧାନୀ ବେଙ୍ଗାଲୁରୁର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି । ଯାତାୟତ ବାଧାପ୍ରାପ୍ତ ହେବା ସହ ସାଧାରଣ ଜୀବନ ଯାତ୍ରା ମଧ୍ୟ ପ୍ରଭାବିତ ହୋଇଛି । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସ୍ଥିତି ସମୀକ୍ଷା କରିବା ସହ ଉଦ୍ଧାର ଓ ରିଲିଫ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗତବର୍ଷ ମଧ୍ୟ ବେଙ୍ଗାଲୁରୁରେ ପ୍ରବଳ ବର୍ଷାରେ ସାମୟିକ ବିପର୍ଯ୍ୟୟ ସ୍ଥିତି ସୃଷ୍ଟି ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :May 23, 2023, 6:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.