ETV Bharat / bharat

Parliament Special Session: ଇଣ୍ଡିଆ ନାଁ ପରିବର୍ତ୍ତନ କରି ‘ଭାରତ’ କରିବାକୁ ଆସିବ ସଙ୍କଳ୍ପ !

author img

By ETV Bharat Odisha Team

Published : Sep 5, 2023, 5:15 PM IST

ସଂସଦ ସ୍ବତନ୍ତ୍ର ଅଧିବେଶନରେ ଆସିପାରେ ଦେଶର ନାମ ପରିବର୍ତ୍ତନ ସଙ୍କଳ୍ପ । ରାଷ୍ଟ୍ରପତିଙ୍କ ଜି20 ନୈଶ୍ଯଭୋଜି ନିମନ୍ତ୍ରଣ ପତ୍ର ବଢାଇଲା ଚର୍ଚ୍ଚା । ଅଧିକ ପଢନ୍ତୁ

ଇଣ୍ଡିଆ ନାମକୁ ପରିବର୍ତ୍ତନ କରି ଭାରତ କରିବାକୁ ଆସିବ ସଙ୍କଳ୍ପ
ଇଣ୍ଡିଆ ନାମକୁ ପରିବର୍ତ୍ତନ କରି ଭାରତ କରିବାକୁ ଆସିବ ସଙ୍କଳ୍ପ

ନୂଆଦିଲ୍ଲୀ: ବଦଳିବାକୁ ଯାଉଛି ଦେଶର ନାମ । ‘ଇଣ୍ଡିଆ’ ନୁହେଁ ବରଂ ଦେଶର ସରକାରୀ ନାମ ହେବ ‘ଭାରତ’ । ଜି20 ସମ୍ମିଳନୀ ପାଇଁ ରାଷ୍ଟ୍ରପତିଙ୍କ ପକ୍ଷରୁ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କୁ ପଠାଯାଇଥିବା ନୈଶ୍ୟଭୋଜି ନିମନ୍ତ୍ରଣ ପତ୍ରରେ ‘ପ୍ରସିଡେଣ୍ଟ ଅଫ ଭାରତ’ ଲେଖାଯିବା ପରେ ଆରମ୍ଭ ହୋଇଥିବା ଏହି ଚର୍ଚ୍ଚା ସଂସଦରେ ଆନୁଷ୍ଠାନିକ ପରିଣାମରେ ପହଞ୍ଚିପାରେ । କାରଣ ଚଳିତ ମାସ 18 ତାରିଖରେ ସରକାର ଆହୁତ କରିଥିବା 5 ଦିନିଆ ସ୍ବତନ୍ତ୍ର ସଂସଦ ଅଧିବେଶନରେ ଦେଶର ନାମ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ କରିବା ପାଇଁ ସଙ୍କଳ୍ପ ପାରିତ କରିବାକୁ ଯାଉଥିବା ଏବେ ସରକାରୀ ସୂତ୍ରରୁ ସୂଚନା ମିଳିଛି ।

ରାଷ୍ଟ୍ରପତି ଭବନର କୌଣସି କାର୍ଯ୍ୟକ୍ରମର ନିମନ୍ତ୍ରଣ ପତ୍ର କିମ୍ବା ବିଜ୍ଞପ୍ତିରେ ପୂର୍ବରୁ ସାଧାରଣତଃ ‘ପ୍ରସିଡେଣ୍ଟ ଅଫ ଇଣ୍ଡିଆ’ ଲେଖାଯାଇଥାଏ । ତେବେ ଚଳିତ 9 ତାରିଖରେ ଜି20 ରାଷ୍ଟ୍ରମୁଖ୍ୟଙ୍କୁ ନୈଶ୍ୟଭୋଜି ପାଇଁ କରାଯାଇଥିବା ନିମନ୍ତ୍ରଣ ପତ୍ରରେ ‘ପ୍ରସିଡେଣ୍ଡ ଅଫ ଭାରତ’ ଲେଖାଯାଇଛି । ତେଣୁ ସରକାର ଦେଶର ସରକାରୀ ନାମ ଇଣ୍ଡିଆ ପରିବର୍ତ୍ତେ ଭାରତ କରିବାକୁ ଯୋଜନା ରଖିଥିବା ଚର୍ଚ୍ଚା ହେଉଛି । ଅବଶ୍ୟ ଏହି ପରିବର୍ତ୍ତନ କେବଳ ରାଷ୍ଟ୍ରପତି ଭବନ ନିମନ୍ତ୍ରଣ ପତ୍ରରେ ଦେଖାଯାଇଛି । ଅନ୍ୟ କୌଣସି ମନ୍ତ୍ରଣାଳୟ ଏବେ ସୁଦ୍ଧା ଭାରତ ଶବ୍ଦ ବ୍ୟବହାର କରିନାହାନ୍ତି । ଚଳିତ 18 ତାରିଖରୁ 22 ତାରିଖ ମଧ୍ୟରେ ହେବାକୁ ଯାଉଥିବା ସଂସଦ ସ୍ବତନ୍ତ୍ର ଅଧିବେଶନରେ ଏହି ନାମ ପରିବର୍ତ୍ତନ ପାଇଁ ସରକାର ସଙ୍କଳ୍ପ ଆଗତ କରିପାରନ୍ତି ।

ରାଷ୍ଟ୍ରପତିଙ୍କ ନିମନ୍ତ୍ରଣରେ ପତ୍ରରେ ଏପରି ଅଚାନକ ପରିବର୍ତ୍ତନକୁ ବିଜେପି ନେତାଏଁ ସ୍ବାଗତ କରିଥିବା ବେଳେ କଂଗ୍ରେସ ଓ ଅନ୍ୟ ବିରୋଧୀମାନେ ବିରୋଧ କରିବା ଆରମ୍ଭ କଲେଣି । ସମ୍ବିଧାନରେ ଅନୁଚ୍ଛେଦ 52ରେ ‘କନଷ୍ଟିଚ୍ୟୁସନ ଅଫ ଇଣ୍ଡିଆ’ ନାମ ବ୍ୟବହାର ହୋଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ମନୀଷ ତିଓ୍ବାରୀ କହିଛନ୍ତି । ସେହିପରି ଏହି ସମ୍ଭାବିତ ନାମ ପରିବର୍ତ୍ତନକୁ ‘ଇଣ୍ଡିଆ’ ମେଣ୍ଟର ନାମକରଣ ସହ ମଧ୍ୟ ଯୋଡାଯାଉଛି । ମିଳିତ ବିରୋଧୀ ମେଣ୍ଟର ନାମ ‘ଇଣ୍ଡିଆ’ ରଖାଯିବା ପରେ ଏପରି ପରିବର୍ତ୍ତନ କରିବାକୁ ସରକାର ଚାହୁଁଥିବା କେହି କେହି କହିଲେଣି ।

ଏହା ମଧ୍ୟ ପଢନ୍ତୁ:- G20 Summit: ସମ୍ପୂର୍ଣ୍ଣ ପ୍ରସ୍ତୁତ ଇଣ୍ଟରନ୍ୟାସନାଲ ମିଡିଆ ସେଣ୍ଟର, 2ଦିନ ଚାଲିବ ପ୍ରେସ୍ ବ୍ରିଫିଂ

ସରକାର ଡାକିଥିବା ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ବିରୋଧୀ ଦଳମାନେ ବିଭିନ୍ନ ଆଶଙ୍କା ପ୍ରକାଶ କରୁଛନ୍ତି । କେତେବେଳେ ଏକକ ନିର୍ବାଚନ, କେତେବେଳେ ଲୋକସଭା ଭଙ୍ଗ, କିମ୍ବା ଜମ୍ମୁ କାଶ୍ମୀରରେ ନିର୍ବାଚନ ଘୋଷଣା କରିବା ପାଇଁ କେନ୍ଦ୍ର ସରକାର ଏହି ଅଧିବେଶନରେ ଯୋଜନା ରଖିଥିବା ବିରୋଧୀ ଅନୁମାନ କରୁଛନ୍ତି । ଏହାରି ମଧ୍ୟରେ ଏକକ ନିର୍ବାଚନ ପାଇଁ କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ଏକ 8ଜଣିଆ କମିଟି ମଧ୍ୟ ଗଠନ କରିସାରିଛନ୍ତି । ଏବେ ପୁଣି ଦେଶର ନାମ ପରିବର୍ତ୍ତନ ସଙ୍କଳ୍ପ ଚର୍ଚ୍ଚା ମଧ୍ୟ ଏହି ଅଧିବେଶନ ସହ ଯୋଡି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.