ETV Bharat / bharat

ଲିଙ୍ଗ ପରିବର୍ତ୍ତନ ପାଇଁ DGPଙ୍କୁ ମହିଳା କନେଷ୍ଟବଳଙ୍କ ଚିଠି, ଲୋଡିଲେ ଅନୁମତି

author img

By ETV Bharat Odisha Team

Published : Sep 23, 2023, 9:50 PM IST

ଲିଙ୍ଗ ପରିବର୍ତ୍ତନ କରିବା ଲାଗି ଡିଜିପିଙ୍କୁ ଚିଠି ଲେଖିଲେ ଉତ୍ତରପ୍ରଦେଶର ଜଣେ ମହିଳା କନେଷ୍ଟବଳ । କହିଲେ ଅନୁମତି ନ ମିଳିଲେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବି । ଅଧିକ ପଢନ୍ତୁ

female police gender change
female police gender change

ଲକ୍ଷ୍ନୌ: ଲିଙ୍ଗ ପରିବର୍ତ୍ତନ କରିବା ଲାଗି ଡିଜିପିଙ୍କୁ ଚିଠି ଲେଖିଲେ ମହିଳା କନେଷ୍ଟବଳ । ଚିଠି ଲେଖି ଡିଜିପିଙ୍କଠାରୁ ଲୋଡ଼ିଲେ ଅନୁମତି । ଏଭଳି ଏକ ଘଟଣା ଉତ୍ତରପ୍ରଦେଶ ଗୋରଖପୁରରେ ଦେଖିବାକୁ ମିଳିଛି । ସ୍କୁଲରେ ପାଠପଢା ସମୟରୁ ସେ ଲିଙ୍ଗ ପରିବର୍ତ୍ତନ କରିବା ଲାଗି ଚାହୁଁଥିବା ବେଳେ ଅନୁମତି ମିଳିଲେ ସେ ଲିଙ୍ଗ ପରିବର୍ତ୍ତନ ଲାଗି ଅସ୍ତ୍ରୋପଚାର କରିବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ।

ଏହି ମହିଳା କନଷ୍ଟେବଳ ଜଣକ ଅଯୋଧ୍ୟାର ଅଧିବାସୀ ବୋଲି ଜଣାପଡ଼ିଛି । ସେ ଗୋରଖପୁର ଲୋକାଲ ଇଣ୍ଟେଲିଜେନ୍ସି ୟୁନିଟ (LIU)ରେ କନେଷ୍ଟବଳ ଭାବେ କାର୍ଯ୍ୟରତ । ସେ ଲିଙ୍ଗ ପରିବର୍ତ୍ତନ କରିବା ଲାଗି ଚିଠି ଲେଖି ଡିଜିପିଙ୍କୁ ଅନୁମତି ମାଗିଛନ୍ତି । ଏଥିଲାଗି ସେ ଦିଲ୍ଲୀରେ ଜଣେ ଡାକ୍ତରଙ୍କ ସହିତ ବିଚାର ବିମର୍ଷ କରିସାରିଥିବା ନେଇ ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି । ଏହି ମହିଳା କନଷ୍ଟେବଳ ଜଣକ ଗତ 2019 ମସିହାରେ ଉତ୍ତର ପ୍ରଦେଶ ପୋଲିସରେ ଯୋଗ ଦେଇଥିଲେ ।

ଏହା ବି ପଢନ୍ତୁ- ଶୁଣିଲେ ମନ କଥା, ଲିଙ୍ଗ ପରିବର୍ତ୍ତନ କରି 'ଦୀପକ' ହେଲେ 'ଦୀପିକା'

ମହିଳା କନେଷ୍ଟବଳ ଜଣକ କହିଛନ୍ତି ଯେ ସେ ସଦାସର୍ବଦା ପୁରୁଷଙ୍କ ବ୍ୟକ୍ତିତ୍ବ ପ୍ରତି ଆକର୍ଷିତ ହୋଇଥାନ୍ତି । ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ବ୍ୟକ୍ତିତ୍ବ ତାଙ୍କୁ ଅଧିକ ପସନ୍ଦ । ଏଣୁ ସେ ଜଣେ ପୁରୁଷ ହୋଇ ଜୀବନ ଅତିବାହିତ କରିବାକୁ ଚାହୁଁଛନ୍ତି । ସେ ଛୋଟ କେଶ ସହିତ ପ୍ୟାଣ୍ଟ ସାର୍ଟ ପିନ୍ଧି ଅଫିସ ଯାଇଥାନ୍ତି । ତାଙ୍କୁ କ୍ରିକେଟ ଖେଳିବା ବେଶ ପସନ୍ଦ ବୋଲି ମଧ୍ୟ ସେ ଚିଠିରେ ଲେଖିଛନ୍ତି । ସ୍କୁଲ ସମୟରୁ ସେ ଜେଣ୍ଡର ଡାଇସଫୋରିଆ ରୋଗରେ ପୀଡ଼ିତ । ସେ ପୋଲିସ ସର୍ଭିସରେ ଯୋଗ ଦେବା ପରେ ଲିଙ୍ଗ ପରିବର୍ତ୍ତନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ।

ଏଥିଲାଗି ସେ ଦିଲ୍ଲୀର ଜଣେ ଡାକ୍ତରଙ୍କ ସହିତ ଆଲୋଚନା କରିଛନ୍ତି । ହେଲେ ଏଥିଲାଗି ତାଙ୍କୁ ଡିଜିପିଙ୍କ ଅନୁମତି ଆବଶ୍ୟକ ବୋଲି ଡାକ୍ତର କହିବା ପରେ ସେ ଏହି ଚିଠି ଲେଖିଥିବା କହିଛନ୍ତି । ମହିଳା କନେଷ୍ଟବଳଙ୍କଠୁ ଚିଠି ପାଇଭା ପରେ ଡିଜିପି ଅଫିସ ପକ୍ଷରୁ ଗୋରଖପୁର ପୋଲିସକୁ ସୂଚିତ କରାଯାଇଛି । ମହିଳା ଜଣକ କାହିଁକି ଲିଙ୍ଗ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ସେ ନେଇ ତାଙ୍କ ସହ ଆଲୋଚନା କରିବା ଲାଗି ଗୋରଖପୁର ପୋଲିସକୁ ଡିଜିପି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ତେବେ ଏ ନେଇ ଲକ୍ଷ୍ନୌ ହେଡକ୍ବାର୍ଟରରୁ କୌଣସି ଅନୁମତି ଦିଆଯାଇନାହିଁ ।

ଅନ୍ୟପଟେ ମହିଳା କନେଷ୍ଟବଳ ଜଣକ କହିଛନ୍ତି, "ଯଦି ମୋତେ ଏହି ଚିଠିର କୌଣସି ସକରାତ୍ମକ ପ୍ରତିକ୍ରିୟା ନ ମିଳେ, ତେବେ ମୁଁ ନିଶ୍ଚିତ ଭାବେ ଏଥିଲାଗି ହାଇକୋର୍ଟଙ୍କ ଦ୍ବାରସ୍ଥ ହେବି । ଜଣେ ମହିଳା ଭାବେ ମୁଁ ନିଜକୁ ଗ୍ରହଣ କରିପାରୁନାହିଁ । ମୁଁ ସର୍ବଦା ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ କ୍ରୀଡା ପ୍ରତି ବେଶୀ ଆଗ୍ରହୀ ରହିଥାଏ । ତେବେ ହାଇକୋର୍ଟ ମଧ୍ୟ ଲିଙ୍ଗ ପରିବର୍ତ୍ତନ ଲାଗି ଅନୁମତି ଦେଇଛନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.