ETV Bharat / bharat

Operation Kaveri: 278 ଭାରତୀୟଙ୍କୁ ଧରି ସୁଦାନ ପୋର୍ଟ ଛାଡିଲା ନୌସେନା ଜାହାଜ

author img

By

Published : Apr 25, 2023, 4:57 PM IST

ଜାରି ରହିଛି ଅପରେସନ କାବେରୀ । ପ୍ରଥମ ବ୍ୟାଚରେ 278 ଭାରତୀୟଙ୍କୁ ଧରି ସୁଦାନ ପୋର୍ଟ ଛାଡିଲା ନୌସେନା ଜାହାଜ ଆଇଏନଏସ ସୁମେଧା । ସାଉଦି ଆରବିଆର ଜିଦାହରେ ପହଞ୍ଚିବା ପରେ ବିମାନ ଯୋଗେ ଫେରିବେ ଭାରତ । ଅଧିକ ପଢନ୍ତୁ

278 ଭାରତୀୟଙ୍କ ଧରି ସୁଦାନ ପୋର୍ଟ ଛାଡିଲା ନୌସେନା ଜାହାଜ
278 ଭାରତୀୟଙ୍କ ଧରି ସୁଦାନ ପୋର୍ଟ ଛାଡିଲା ନୌସେନା ଜାହାଜ

ନୂଆଦିଲ୍ଲୀ: ଗୃହଯୁଦ୍ଧଗ୍ରସ୍ତ ସୁଦାନରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଜାରି ରହିଛି ‘ଅପରେସନ କାବେରୀ’ । ଆଜି ପ୍ରଥମ ପର୍ଯ୍ୟାୟରେ 278 ଭାରତୀୟଙ୍କୁ ଧରି ସୁଦାନ ବନ୍ଦରରୁ ସାଉଦି ଆରବିଆ ଉପକୂଳକୁ ଯାତ୍ରା ଆରମ୍ଭ କରିଛି ଭାରତୀୟ ନୌସେନା ଜାହାଜ ‘ଆଇଏନଏସ ସୁମେଧା’ । ଏହି ଭାରତୀୟଙ୍କୁ ସାଉଦି ଆରବିଆର ଜିଦାହରେ ପହଞ୍ଚାଯିବ । ପରେ ସେଠାରୁ ସେମାନେ ବାୟୁସେନା ବିମାନ ଯୋଗେ ଭାରତ ଅଭିମୁଖେ ଯାତ୍ରା କରିବେ ।

ସାଉଦି ଆରବିଆର ଜିଦାହରେ ଭାରତୀୟ ବାୟୁସେନା ବିମାନ ମୁତୟନ ହୋଇଛି । ସେହିପରି ଲୋହିତ ସାଗରରେ ଡେରା ପକାଇଛି ନୌସେନା ଜାହାଜ ଆଇଏନଏସ ସୁମେଧା । ପ୍ରଥମେ ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ସୁଦାନ ପୋର୍ଟକୁ ଅଣାଯାଉଛି । ସେଠାରୁ ତାଙ୍କୁ ନୌସେନା ଜାହାଜରେ ସାଉଦି ଆରବିଆକୁ ସ୍ଥାନାନ୍ତରିତ କରାଯିବା ପରେ ବିମାନରେ ଭାରତ ଅଣାଯିବ । ଗତକାଲି 5ଶହ ଭାରତୀୟଙ୍କୁ ସୁଦାନର ବିଭିନ୍ନ ସ୍ଥାନରୁ ଅଣାଯାଇ ସୁଦାନ ପୋର୍ଟରେ ପହଞ୍ଚାଯାଇଥିଲା । ଆଜି ସେମାନଙ୍କ ମଧ୍ୟରୁ 278 ଭାରତୀୟ ନୌସେନା ଜାହାଜରେ ସାଉଦି ଆରବିଆର ଜିଦାହକୁ ଅଣାଯାଇଛି ।

ଏହି ଅପରେସନରେ ନୌସେନା ହାଜାଜ ଆଇଏନଏସ ସୁମେଧା ସହ ବାୟୁସେନାର ଦୁଇଟି C-130J ବିଶାଳ ଟ୍ରାନ୍ସପୋର୍ଟ ବିମାନ ମଧ୍ୟ ନିୟୋଜିତ ହୋଇଛନ୍ତି । ଅନ୍ୟ ଦେଶମାନେ ମଧ୍ୟ ସେମାନଙ୍କ ନାଗରିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ରେସ୍କ୍ୟୁ ଅପରେସନ ଜାରି ରଖିଛନ୍ତି । ସୁଦାନର ବିଭିନ୍ନ ସ୍ଥାନରେ ଥିବା ଭାରତୀୟଙ୍କ ସମ୍ପର୍କରେ ଦୂତାବାସ ତଥ୍ୟ ସଂଗ୍ରହ କରୁଛି । ସେମାନଙ୍କୁ ଏକତ୍ରିତ କରି ସୁଦାନ ପୋର୍ଟ ଅଭିମୁଖେ ଅଣାଯାଉଛି । ବୈଦେଶିକ ମନ୍ତ୍ରଣାଳୟର ପ୍ରତ୍ୟେକ୍ଷ ତତ୍ବବଧାନରେ ଏହି ଅପରେସନ ଆରମ୍ଭ କରାଯାଇଥିବା ବେଳେ ସାଉଦି ଆରବିଆ ଏଥିରେ ସହଯୋଗ ମଧ୍ୟ କରୁଛି ।

କୌଣସି ସୂଚନା ପାଇଁ ଦୂତାବାସ ସହ ଯୋଗାଯୋଗ କରିବା ପାଇଁ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି । ଏବେ ସୁଦ୍ଧା ପ୍ରାୟ 5ଶହ ଭାରତୀୟ ସୁରକ୍ଷିତ ଭାବେ ସୁଦାନ ପୋର୍ଟରେ ପହଞ୍ଚି ସାରିଛନ୍ତି । ସେମାନଙ୍କ ମଧ୍ୟରୁ 278 ଜଣ ନୌସେନା ଜାହାଜରେ ସୁଦାନ ଛାଡି ସାରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଅବଶିଷ୍ଟଙ୍କୁ ଜିହାଦକୁ ଅଣାଯିବ । ଅନ୍ୟପଟେ କୌଣସି ଆକ୍ରମଣ ଆଶଙ୍କାରେ ସୁଦାନ ବାୟୁସୀମାରେ ଫ୍ଲାଇଟ ଅପରେସନକୁ ବନ୍ଦ ରଖାଯାଇଛି । ତେଣୁ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ନୌସେନା ଜାହାଜ ନିୟୋଜିତ ହୋଇଛି । ଭାରତ ତାର ସମସ୍ତ ନାଗରିକଙ୍କ ସୁରକ୍ଷା ପାଇଁ ତତ୍ପର ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.