ETV Bharat / bharat

ଇଣ୍ଡିଆ ବିଶ୍ବକପ୍ ହାରିବାରୁ ସାନଭାଇକୁ ହତ୍ୟା କଲା ବଡଭାଇ

author img

By ETV Bharat Odisha Team

Published : Nov 22, 2023, 11:18 AM IST

ଇଣ୍ଡିଆ ବିଶ୍ବକପ୍ ହାରିବା ପଛରେ ସାନଭାଇକୁ ଦାୟୀ କରି ହତ୍ୟା କଲା ବଡଭାଇ । ମହାରାଷ୍ଟ୍ରରେ ଘଟିଛି ଏହି ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

ଇଣ୍ଡିଆ ବିଶ୍ବକପ୍ ହାରିବାରୁ ସାନଭାଇକୁ ହତ୍ୟା
ଇଣ୍ଡିଆ ବିଶ୍ବକପ୍ ହାରିବାରୁ ସାନଭାଇକୁ ହତ୍ୟା

ମୁମ୍ବାଇ: 'ତୁ ମଟନ ଖାଇଲୁ ବୋଲି ଇଣ୍ଡିଆ ବିଶ୍ବକପ୍ ମ୍ୟାଚ ହାରିଲା' । ଏତିକି କହି ସାନଭାଇକୁ ଲୁହା ରଡରେ ପିଟି ପିଟି ନିର୍ମମ ଭାବେ ହତ୍ୟା କଲା ବଡ଼ଭାଇ । କଥାଟା ଶୁଣିବାକୁ ବିଶ୍ବାସ ହେଉନଥିଲେ ମଧ୍ୟ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ଏଭଳି ଜଘନ୍ୟ କାଣ୍ଡ ଘଟିଛି । ଇଣ୍ଡିଆ ମ୍ୟାଚ୍‌ ହାରିବାରୁ ରାଗରେ ଜଣେ ଯୁବକ ନିଜ ସାନଭାଇକୁ ହତ୍ୟା କରିଛି । ମୃତକ ହେଲେ ୨୮ ବର୍ଷୀୟ ଅଙ୍କିତ ଇଙ୍ଗୋଲେ । ପୋଲିସ ଅଭିଯୁକ୍ତ ବଡଭାଇ ପ୍ରବୀଣ ଇଙ୍ଗୋଲେକୁ ଗିରଫ କରିନେଇଛି ।

ସୂଚନା ଅନୁସାରେ, ରମେଶ ଇଙ୍ଗୋଲେ ନିଜର ବଡପୁଅ ପ୍ରବୀଣ ଓ ସାନପୁଅ ଅଙ୍କିତ ସହ ବଡମେରା ଥାନା ଅନ୍ତର୍ଗତ ଅଞ୍ଜନଗାଁ ବାରୀରେ ରହୁଥିଲେ । ରବିବାର ବିଶ୍ବକପ୍ ଫାଇନାଲ ମ୍ୟାଚ ଦିନ ଅଙ୍କିତ ନିଜ ବାପା ସହ ପାଖରେ ରହୁଥିବା ଦାଦାଙ୍କ ଘରକୁ ଯାଇଥିଲେ । ସେଠାରେ ଦୁହେଁ ମଟନ ଖାଇଥିଲେ । ଖାଇପିଇ ପୂର୍ବାହ୍ନ ୨ଟା ବେଳକୁ ନିଜ ଘରକୁ ଫେରିଥିଲେ ଏବଂ ବଡଭାଇ ପ୍ରବୀଣ ପାଇଁ ବି ସାଙ୍ଗରେ ମଟନ ଆଣି ଆସିଥିଲେ । ସେହି ସମୟରେ ପ୍ରବୀଣ ନିଶାରେ ଚୁର୍ ହୋଇ ଭାରତ-ଅଷ୍ଟ୍ରେଲିଆ ଫାଇନାଲ ଦେଖୁଥିଲା ।

ସନ୍ଧ୍ୟାରେ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିବା ପରଠୁ ନିଶାସକ୍ତ ପ୍ରବୀଣ ନିଜ ବାପା ଓ ଭାଇକୁ ଗାଳିଗୁଲଜ କରିବାରେ ଲାଗିଥିଲା । ରାତି ୯ଟାରେ ଯେତେବେଳେ ଭାରତ ମ୍ୟାଚ୍‌ ହାରିଗଲା ସେତେବେଳେ ପ୍ରବୀଣ ମୁଣ୍ଡକୁ ପିତ ଚହଟି ଯାଇଥିଲା । ତମେମାନେ ମଟନ ଖାଇବାରୁ ଭାରତ ହାରିଗଲା ବୋଲି କହି ସେ ବାପା ଓ ସାନଭାଇକୁ ଆହୁରି ଅସଭ୍ୟ ଭାଷାରେ ଗାଳିଗୁଲଜ କଲା । ଏହି ସମୟରେ ରମେଶ ତା' ଉପରକୁ ମୋବାଇଲ ଫୋନ ଫିଙ୍ଗି ଦେଇଥିଲେ । ଏଥିରେ ରାଗିଯାଇ ପ୍ରବୀଣ ଲୁହା ରଡରେ ନିଜ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ବିଶ୍ୱକପରେ ହାରିଲା ଭାରତ, ପରାଜୟକୁ ସହ୍ୟ କରିନପାରି ଜୀବନ ହାରିଲେ ଯୁବକ !

ଅଙ୍କିତ ଅଟକାଇବାକୁ ଚେଷ୍ଟା କରିବାକୁ ତାଙ୍କୁ ମଧ୍ୟ ଲୁହା ରଡ୍‌ରେ ପିଟିଥିଲା । ପ୍ରବୀଣ ଅଙ୍କିତଙ୍କ ମୁଣ୍ଡକୁ ବାରମ୍ବାର ପ୍ରହାର କରିଥିଲା । ଜୀବନ ବଞ୍ଚାଇବାକୁ ଯୁବକ ଦୌଡ଼ିବାକୁ ଚେଷ୍ଟା କରିବା ବେଳେ ସେହିଠାରେ ହିଁ ଟଳି ପଡିଥିଲେ । ସେପଟେ ବାପା ରମେଶ ଘରୁ ଦୌଡି ପଳାଇଯାଇ ପଡ଼ୋଶୀଙ୍କୁ ସବୁକଥା ଜଣାଇଥିଲେ । ଲୋକମାନେ ରମେଶଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଲେ ଅଙ୍କିତ ଉପରେ କାହାର ନଜର ଯାଇନଥିଲା । ସକାଳୁ ଦେଖିବାରୁ ଘରେ ତାଙ୍କର ମୃତଦେହ ମିଳିଥିଲା ।

ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ତେବେ ପୋଷ୍ଟମର୍ଟମ ରିପୋର୍ଟରୁ ଅଙ୍କିତ ମୁଣ୍ଡରେ ଗମ୍ଭୀର ଆଘାତ ଯୋଗୁଁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଘଟଣାରେ ପୋଲିସ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ବଡଭାଇକୁ ଗିରଫ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.