ETV Bharat / bharat

ଖଲିସ୍ତାନୀ ଆତଙ୍କୀର ଧମକ: ୧୯ ତାରିଖରେ ଏୟାର ଇଣ୍ଡିଆରେ ଯାତ୍ରା କରନି, ନହେଲେ...

author img

By ETV Bharat Odisha Team

Published : Nov 5, 2023, 8:19 AM IST

୧୯ ତାରିଖରେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ନକରିବାକୁ ଖଲିସ୍ତାନୀ ଆତଙ୍କବାଦୀର ଧମକ । ଅଧିକ ପଢନ୍ତୁ

ଖଲିସ୍ତାନୀ ଆତଙ୍କୀର ଧମକପୂର୍ଣ୍ଣ ବାର୍ତ୍ତା
ଖଲିସ୍ତାନୀ ଆତଙ୍କୀର ଧମକପୂର୍ଣ୍ଣ ବାର୍ତ୍ତା

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ୍ ଫର୍ ଜଷ୍ଟିସର ମୁଖ୍ୟ ଗୁରୁପତୱନ୍ତ ସିଂହ ପନ୍ନୁର ଏକ ଧମକପୂର୍ଣ୍ଣ ଭିଡିଓ ବାର୍ତ୍ତା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ, ଆସନ୍ତା ୧୯ ତାରିଖ ଦିନ ଏୟାର ଇଣ୍ଡିଆ ବିମାନ ଯାତ୍ରା ନକରିବାକୁ ସେ ଲୋକଙ୍କୁ ଧମକ ଦେଉଥିବା ଶୁଣିବାକୁ ମିଳୁଛି । ନଭେମ୍ବର ୧୯ରେ କ୍ରିକେଟ ବିଶ୍ବକପ୍ ଫାଇନାଲ ଅଛି । ଏପରି ସ୍ଥଳେ ସେହିଦିନ ଏୟାର ଇଣ୍ଡିଆରେ ନଯିବାକୁ ପନ୍ନୁ ଶିଖ୍ ସମୁଦାୟକୁ କହିଛି । ନହେଲେ ଜୀବନ ବିପଦରେ ପଡିପାରେ ବୋଲି ଚେତାଇଛି ଆତଙ୍କବାଦୀ ।

ଭିଡିଓରେ ପନ୍ନୁ କହିଛି, ''ଆମେ ଶିଖ୍ ଲୋକମାନଙ୍କୁ କହୁଛୁ ଯେ, ନଭେମ୍ବର ୧୯ରେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରନ୍ତୁ ନାହିଁ । ସେଦିନ ବିଶ୍ବସ୍ତରରେ ନାକାବନ୍ଦୀ ହେବ । ତେଣୁ ୧୯ ତାରିଖରେ ଏୟାର ଇଣ୍ଡିଆରେ ଯାଆନ୍ତୁ ନାହିଁ ନଚେତ୍ ଆପଣଙ୍କ ଜୀବନ ବିପଦରେ ପଡିପାରେ ।'' ଆହୁରିମଧ୍ୟ ସେ ଦାବି କରିଛି ଯେ, ନଭେମ୍ବର ୧୯ରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ବନ୍ଦ ରହିବ ଏବଂ ଏହାର ନାମ ପରିବର୍ତ୍ତନ କରାଯିବ ।

ଏହାମଧ୍ୟ ପଢନ୍ତୁ: Hamas-Like Attacks: ଭାରତରେ ହମାସ ପରି ଆକ୍ରମଣ କରିବାକୁ ଧମକ ଦେଲା ଖଲିସ୍ତାନୀ ଆତଙ୍କୀ ଗୁରୁପନ୍ତଓ୍ବନ୍ତ ସିଂ ପନ୍ନୁନ

୧୯ରେ ବିଶ୍ବକପ୍ ଫାଇନାଲ ମ୍ୟାଚ୍ ଥିବାବେଳେ ଖଲିସ୍ତାନୀ ଆତଙ୍କୀର ଏଭଳି ଧମକପୂର୍ଣ୍ଣ ବାର୍ତ୍ତା ଆସିଛି । ତେବେ ପୂର୍ବରୁ ମଧ୍ୟ ଏହ ଆତଙ୍କବାଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧମକ ଦେଇଥିଲା । ଏକ ଭିଡିଓ ପୋଷ୍ଟ କରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧରୁ ଶିଖିବା ଉଚିତ୍ । ନହେଲେ ଭାରତରେ ମଧ୍ୟ ସମାନ ବିଦ୍ରୋହ ଘଟିବ । ପଞ୍ଜାବରୁ ପାଲେଷ୍ଟାଇନ ପର୍ଯ୍ୟନ୍ତ ଦଖଲରେ ଥିବା ଲୋକେ ଏହାର ଜବାବ ଦେବେ । ଯଦି ଭାରତ ପଞ୍ଜାବକୁ ଦଖଲକୁ ନେବାକୁ ଚାହେଁ ତେବେ ଏହିପରି ହିଂସା ସୃଷ୍ଟି ହେବ । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ଭାରତ ଉତ୍ତରଦାୟୀ ରହିବେ ।

ପ୍ରକାଶ ଥାଉକି, ୨୦୧୯ରୁ ଅମୃତସର ଜନ୍ମିତ ଶିଖ୍ ଫର୍ ଜଷ୍ଟିସର ମୁଖ୍ୟ ପନ୍ନୁ ଏନଆଇଏ ସ୍କାନରରେ ରହିଛି । ଏହି ବର୍ଷ ଜାତୀୟ ତଦନ୍ତକାରୀ ଏଜେନ୍ସି ତା' ବିରୋଧରେ ପ୍ରଥମ ମାମଲା ରୁଜୁ କରିଥିଲା । ଆତଙ୍କୀ କାର୍ଯ୍ୟକଳାପ ଓ ଏହାର ପ୍ରସାର ତଥା ପଞ୍ଜାବ ଏବଂ ଦେଶର ଅନ୍ୟ ଅଞ୍ଚଳରେ ଭୟ ଓ ଆତଙ୍କ ଖେଳାଇବା କ୍ଷେତ୍ରରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଅଭିଯୋଗ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.