Operation Amrit Pal Singh: 22 ପର୍ଯ୍ୟନ୍ତ ଚଣ୍ଡିଗଡରେ ଧାରା 144 ଜାରି

author img

By

Published : Mar 19, 2023, 9:11 PM IST

22 ପର୍ଯ୍ୟନ୍ତ ଚଣ୍ଡିଗଡରେ ଧାରା 144 ଜାରି

ଅମ୍ରିତପାଲ ସିଂଙ୍କୁ ଗିରଫ କରିବା ପାଇଁ ପଞ୍ଜାବ ପୋଲିସର ରାଜ୍ୟବ୍ୟାପୀ ଅପରେସନ ଜାରି । ରାଜଧାନୀ ଚଣ୍ଡିଗଡରେ ଧାରା 144 ଲାଗୁ । ପୂର୍ବରୁ ବନ୍ଦ ରହିଛି ଇଣ୍ଟରନେଟ ସେବା । ଅଧିକ

ଚଣ୍ଡିଗଡ: ଖଲିସ୍ତାନୀ ସମର୍ଥକ ଗୋଷ୍ଠୀ ‘ଓ୍ବାରିସ ପଞ୍ଜାବ ଦେ’ର ମୁଖ୍ୟ ଅମ୍ରିତପାଲ ସିଂଙ୍କୁ ଗିରଫ କରିବା ପାଇଁ ପଞ୍ଜାବରେ ପୋଲିସର ବ୍ୟାପକ ଅଭିଯାନ ଜାରି ରହିଛି । ଯାହାକୁ ନେଇ ସମଗ୍ର ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି । ପୂର୍ବରୁ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଥିଲା । ପରେ ଏହି ଅବଧିକୁ ବଢାଯାଇଥିବା ବେଳେ ଆଜି ରାଜଧାନୀ ଚଣ୍ଡିଗଡରେ ମଧ୍ୟ ଧାରା 144 ଲାଗୁ କରାଯାଇଛି । ସ୍ଥାନୀୟ ମାଜିଷ୍ଟ୍ରେଟ ସହରରେ ଧାରା 144 ଲାଗୁ କରିଛନ୍ତି । ସମଗ୍ର ରାଜ୍ୟର ଏକାଧିକ ସ୍ଥାନ ଓ ସହରରେ ପୋଲିସ ସୁରକ୍ଷା ବଢାଯାଇଛି । ଏକାଧିକ ପୋଲିସ ଟିମ ଫେରାର ଓ ପରବର୍ତ୍ତୀ ସମୟରେ ପଳାତକ ଘୋଷିତ ଅମ୍ରିତପାଲ ସିଂଙ୍କୁ ଗିରଫ କରିବା ପାଇଁ ଲଗାତର ଚଢାଉ ଜାରି ରଖିଛନ୍ତି । ବର୍ତ୍ତମାନର ସ୍ଥିତିକୁ ଦେଖିଲେ କିଛି ବଡ଼ ଘଟଣା ଘଟିବାକୁ ଯାଉଥିବା ପରି ଅନୁମାନ କରିବା ଅତି ସ୍ବାଭାବିକ ।

Operation Amrit Pal Singh: 22 ପର୍ଯ୍ୟନ୍ତ ଚଣ୍ଡିଗଡରେ ଧାରା 144 ଜାରି
Operation Amrit Pal Singh: 22 ପର୍ଯ୍ୟନ୍ତ ଚଣ୍ଡିଗଡରେ ଧାରା 144 ଜାରି

ପୂର୍ବରୁ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ଏକାଧିକ କଟକଣା ଜାରି କରାଯାଇଥିବା ବେଳେ ଏବେ ଧାରା 144 ମଧ୍ୟ 22 ତାରିଖ ପର୍ଯ୍ୟନ୍ତ ଜାରି ରହିବ । ସମଗ୍ର ଚଣ୍ଡିଗଡ ସହରରେ ଅନାବଶ୍ୟକ ଗତିବିଧିକୁ ବାରଣ କରାଯାଇଛି । ସହରରେ 5 କିମ୍ବା ତାଠାରୁ ଅଧିକା ଲୋକଙ୍କୁ ଏକତ୍ରିତ ହେବା ସହ ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବୁଲିବା ଆଦି ଉପରେ କଟକଣା ଜାରି କରାଯାଇଛି । ସହରରେ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି । କୌଣସି ସାମାନ୍ୟ ଅପ୍ରୀତିକର ସ୍ଥିତି ସୃଷ୍ଟି ହେଲେ ବଳ ପ୍ରୟୋଗ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ମିଳିଛି ।

ଗତକାଲିରୁ ପୋଲିସ ଅମ୍ରିତପାଲ ସିଂକୁ ଧରିବା ପାଇଁ ଅପରେସନ ଜାରି ରଖିଛି । ପଞ୍ଜାବର ବିଭିନ୍ନ ସ୍ଥାନରୁ ତାର ପ୍ରାୟ 70ରୁ ଅଧିକ ସହଯୋଗୀଙ୍କୁ ଗିରଫ କରାଯାଇ ସାରିଲାଣି । ତଥାପି ମୁଖ୍ୟ ଅଭିଯୁକ୍ତ ଅମ୍ରିତପାଲକୁ ଗିରଫ କରାଯାଇପାରିନି । ଅମ୍ରିତପାଲ ଜଳନ୍ଧର କିମ୍ବା ଅମୃତସରରେ ଲୁଚିଥିବା ସନ୍ଦେହ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲିଠାରୁ କ୍ରମାଗତ ଚଢାଉ କରାଯାଉଛି । ହେଲେ ଏଯାବତ୍ ତାର କୌଣସି ପତ୍ତା ମିଳିନଥିବାରୁ ପଞ୍ଜାବ ପୋଲିସ ତାକୁ ପଳାତକ ଘୋଷଣା କରିଛି ।

ଫେବୃଆରୀ 23 ତାରିଖରେ ପଞ୍ଜାବ ଅମୃତସରର ଏକ ଥାନା ଭିତରେ ପଶି ପୋଲିସ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଅମ୍ରିତପାଲ ସିଂ ଓ ତାର ଶତାଧିକ ସହଯୋଗୀ । ଏକାଧିକ ପୋଲିସ ଅଧିକାରୀ ମାରଣାସ୍ତ୍ର ଆକ୍ରମଣରେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ତାର ଜଣେ ସହଯୋଗୀକୁ ସେ ଆକ୍ରମଣ କରି ପୋଲିସ ଥାନାରୁ ଛଡାଇ ନେଇଥିଲା । ତା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ପଞ୍ଜାବ ସରକାର କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଥିଲେ । ପଞ୍ଜାବରେ ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବା ବେଳେ କୌଣସି ଅପ୍ରୀତିକର ସ୍ଥିତି ସୃଷ୍ଟି ନହେବା ପାଇଁ ପୋଲିସ ସମସ୍ତ ଆଗୁଆ ବ୍ୟବସ୍ଥା ମଧ୍ୟ ଗ୍ରହଣ କରି ଦୁଇ ଦିନ ହେଲା ଅପରେସନ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.