ETV Bharat / bharat

ଏୟାର ଇଣ୍ଡିଆ ସେଫ୍ଟି ଚିଫଙ୍କୁ ମାସେ ନିଲମ୍ବିତ କଲା DGCA

author img

By ETV Bharat Odisha Team

Published : Sep 21, 2023, 4:38 PM IST

ସୁରକ୍ଷା ପ୍ରୋଟୋକଲ ଅନୁପାଳନରେ ଅବହେଳା ପ୍ରଦର୍ଶନ । ଏୟାର ଇଣ୍ଡିଆ ନିରାପତ୍ତା ପ୍ରମୁଖଙ୍କୁ ମାସେ ପାଇଁ ନିଲମ୍ବିତ କଲା DGCA । ଅଧିକ ପଢନ୍ତୁ

ଏୟାର ଇଣ୍ଡିଆ ସେଫ୍ଟି ଚିଫଙ୍କୁ ମାସେ ପାଇଁ ନିଲମ୍ବିତ କଲା DGCA
ଏୟାର ଇଣ୍ଡିଆ ସେଫ୍ଟି ଚିଫଙ୍କୁ ମାସେ ପାଇଁ ନିଲମ୍ବିତ କଲା DGCA

ନୂଆଦିଲ୍ଲୀ: ଉଡାଣ ସୁରକ୍ଷା ପ୍ରୋଟୋକଲ ଅନୁପାଳନ କରିବାରେ ଅବହେଳା ପ୍ରଦର୍ଶନ ଅଭିଯୋଗରେ ‘ଏୟାର ଇଣ୍ଡିଆ’ ଏୟାରଲାଇନ୍ସର ନିରପତ୍ତା ପ୍ରମୁଖ (ଚିଫ ଅଫ ଫ୍ଲାଇଟ୍‌ ସେଫ୍ଟି)ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବେସାମରିକ ଉଡାଣ ନିର୍ଦ୍ଦେଶାଳୟ (ଡିଜିସିଏ) । ଏୟାର ଲାଇନ୍ସର ସେଫ୍ଟି ଚିଫଙ୍କୁ ମାସେ ପାଇଁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଇଣ୍ଟରନାଲ ସେଫ୍ଟି ଅଡିଟ, ଦୁର୍ଘଟଣା ନିବାରଣ କାର୍ଯ୍ୟାବଳି ଓ ଆବଶ୍ୟକ ପରିମାଣର ବୈଷୟିକ ସମ୍ବଳର ଉପଲବ୍ଧତା ନଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜୁଲାଇ ମାସ 25-26 ତାରିଖରେ ବେସାମରିକ ଉଡାଣ ନିୟାମକ ସଂସ୍ଥା ଡିଜିସିଏ ଏୟାର ଇଣ୍ଡିଆ ଉପରେ ନିରାପତ୍ତା ପ୍ରଟୋକଲ ଉପରେ ଅନୁଧ୍ୟାନ କରିଥିଲା । ସେଥିରେ ଏକାଧିକ ଅବହେଳା ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସଂସ୍ଥା ।

କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଏକ ବିବୃତ୍ତି ଜାରି କରି DGCA କହିଛି, ସୁରକ୍ଷା ପ୍ରୋଟୋକଲ ଓ ଏୟାର ଲାଇନ୍ସ ଦ୍ବାରା କରାଯିବାକୁ ଥିବା ନିୟମିତ ଆଭ୍ୟନ୍ତରୀଣ ସୁରକ୍ଷା ଅଡିଟ ଓ ସ୍ପଟ୍‌ ଯାଞ୍ଚ ପ୍ରକ୍ରିୟା ସଠିକ ଭାବେ କରାଯାଇନି । ଯାହା ଉଡାଣ ପ୍ରୋଟୋକଲର ଖୋଲା ଉଲଙ୍ଘନ । ତେବେ ଏ ସମ୍ପର୍କରେ ସର୍ବେକ୍ଷଣରେ ତଥ୍ୟ ମିଳିବା ପରେ ଏୟାର ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ହେଲେ ମିଳିଥିବା ଉତ୍ତର ଅନୁସାରେ, ସଂସ୍ଥାର ନିରପତ୍ତା ପ୍ରମୁଖଙ୍କୁ ଏକ ମାସ ପାଇଁ କାର୍ଯ୍ୟରୁ ନିଲମ୍ବିତ କରିବା ପାଇଁ ଏୟାର ଲାଇନ୍ସ କର୍ତ୍ତୃପକ୍ଷଙ୍କୁ ନୋଟିସ ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :- New Air India Logo: ଉନ୍ମୋଚିତ ହେଲା ଏୟାର ଇଣ୍ଡିଆ ନୂଆ ଲୋଗ

ବର୍ଷ 2021 ରେ ଟାଟା କମ୍ପାନୀର ଅଧୀନକୁ ଯାଇଥିଲା ଏକମାତ୍ର ରାଷ୍ଟ୍ରାୟତ ବିମାନ କମ୍ପାନୀ ‘ଏୟାର ଇଣ୍ଡିଆ’ । ଏହା ସରକାରୀ ନିୟନ୍ତ୍ରଣରେ ଦେବାଳିଆ ସ୍ଥିତିରେ ଚାଲୁଥିବା ବେଳେ କେନ୍ଦ୍ର ସରକାର ଏହାକୁ ନିଲାମ କରିଦେଇଥିଲେ । ଏହାର ମୂଳ ତଥା ପ୍ରତିଷ୍ଠାତା କମ୍ପାନୀ ‘ଟାଟା ସନ୍ସ’ ପ୍ରାୟ 18 ହଜାର କୋଟି ମୂଲ୍ୟରେ ଏହି ନିଲାମ ହାତେଇଥିଲା । ତେବେ ଏହା ମଧ୍ୟରେ ଏୟାର ଲାଇନ୍ସ ଏକାଧିକ ପରିଚାଳନାଗତ ସଂସ୍କାର କରିସାରିଛି । ସଂସ୍ଥା ନିଜର ନୂତନ ଲୋଗୋ ମଧ୍ୟ ଉନ୍ମୋଚନ କରିଛି । ନିକଟରେ 470ଟି ବୋଇଂ କିଣିବା ପାଇଁ ଅର୍ଡର ଚୂଡାନ୍ତ କରି ନିଜକୁ ଏକ ପ୍ରମୁଖ ବୈଶ୍ବିକ ଏୟାର ଲାଇନ୍ସ ଭାବେ ବିକଶିତ କରିବାର ଲକ୍ଷ୍ୟ ରଖିଛି ଏୟାର ଇଣ୍ଡିଆ । ଏବେ ସଂସ୍ଥା ବିରୋଧରେ ସୁରକ୍ଷା ପ୍ରୋଟୋକଲ ଖିଲାପ ଅଭିଯୋଗ ମଧ୍ୟ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.