ଦିଲ୍ଲୀ ପ୍ରଦୂଷଣ: ବାଲ୍ଟିରେ ମୂର୍ତ୍ତି ବିସର୍ଜନ ପାଇଁ ସରକାରଙ୍କ ନିର୍ଦ୍ଦେଶ

author img

By

Published : Oct 14, 2021, 12:38 PM IST

ଦିଲ୍ଲୀ ପ୍ରଦୂଷଣ: ବାଲ୍ଟିରେ ମୂର୍ତ୍ତି ବିସର୍ଜନ ପାଇଁ ସରକାରଙ୍କ ନିର୍ଦ୍ଦେଶ

ଦିଲ୍ଲୀ ପ୍ରଦୂଷଣକୁ ରୋକିବା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି । ଘରେ ବାଲ୍ଟି ବା କୌଣସି ପାତ୍ରରେ ମା'ଙ୍କ ମୂର୍ତ୍ତିକୁ ବିସର୍ଜନ କରିବା ପାଇଁ ମଣ୍ଡପ ଓ ଲୋକଙ୍କୁ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବାରୁ ଚଳିତ ବର୍ଷ ମା' ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ଉପରେ ଲାଗିଛି କଟକଣା । ଯମୁନା ନଦୀ, ଘାଟ କିମ୍ବା କୌଣସି ସାର୍ବଜନୀନ ସ୍ଥଳରେ ବିସର୍ଜନକୁ ବାରଣ କରାଯାଇଛି । ସାଧାରଣ ଲୋକେ ବା ସମିତିଗୁଡିକ ନିଜ ଘରେ ତଥା ବାଲ୍ଟିରେ ମୂର୍ତ୍ତି ବିସର୍ଜନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଦେଶର ବ୍ୟସ୍ତବହୁଳ ସ୍ଥାନ ଦିଲ୍ଲୀର ବାୟୁ ସହିତ ନଦୀର ଜଳ ମଧ୍ୟ ପ୍ରଦୂଷିତ ହେଉଛି । ଅପରପକ୍ଷେ ବିସର୍ଜନ ସମୟରେ ଭିଡ଼ ଯୋଗୁଁ କୋରୋନା ସଂକ୍ରମଣର ଭୟ ଥିବାରୁ ମୂର୍ତ୍ତି ବିସର୍ଜନ ଉପରେ କଟକଣା ଲଗାଇଛନ୍ତି ସରକାର । ଏଥିଲାଗି ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ବିସର୍ଜନ ପୂର୍ବରୁ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିରୁ ପୂଜା ସାମଗ୍ରୀ ସମେତ ପୁଷ୍ପକୁ ହଟାଇବାକୁ କୁହାଯାଇଛି । ଏହି ସମସ୍ତ ସାମଗ୍ରୀକୁ ଅଳିଆ ଆବର୍ଜନା ସଂଗ୍ରହ କରୁଥିବା କର୍ମଚାରୀଙ୍କୁ ଦେବା ପାଇଁ ନିର୍ଦ୍ଦେଶ ରହିଛି । ଯାହାଦ୍ବାରା ପରିବେଶ ସୁରକ୍ଷିତ ରହିବ ।

ଏହି ନିୟମ ପୂଜା ମଣ୍ଡପରେ ମା'ଙ୍କ ବଡ ମୂର୍ତ୍ତିଠାରୁ ଆରମ୍ଭ କରି ଘରେ ପୂଜା କରୁଥିବା ଶ୍ରଦ୍ଧାଳୁଙ୍କୁ ମଧ୍ୟ କୁହାଯାଇଛି । ପୂର୍ବରୁ ନଦୀକୁ ପ୍ରଦୂଷଣ ରୋକିବା ପାଇଁ ମୂର୍ତ୍ତି ବିସର୍ଜନକୁ NGT ବାରଣ କରିଥିଲା । ଏହାପରେ ସରକାର କିଛି ସ୍ଥାନରେ କୃତ୍ରିମ ପୋଖରୀ ତିଆରି କରିଥିଲେ । କିନ୍ତୁ ଚଳିତ ଥର ସରକାର ଏପରି ବ୍ୟବସ୍ଥା କରିନାହାଁନ୍ତି । ମୂର୍ତ୍ତି ବିସର୍ଜନ ପାଇଁ କୌଣସି ପାତ୍ରର ବ୍ୟବହାର କରିବା ପାଇଁ ସରକାର ମଣ୍ଡପଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏହି ନିୟମକୁ ଉଲ୍ଲଘଂନ କରୁଥିବା ମଣ୍ଡପ ବା ଶ୍ରଦ୍ଧାଳୁ ୫୦ ହଜାର ପର୍ଯ୍ୟନ୍ତ ଜୋରିମାନା ଦେବେ ବୋଲି ଜଣାପଡ଼ିଛି । ଏହି ନିୟମ ସମ୍ପର୍କରେ ସ୍ଥାନୀୟ ମହାନଗର ନିଗମ ଓ ଟ୍ରାଫିକ ପୋଲିସଙ୍କୁ ଆଦେଶ ଜାରି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.