ETV Bharat / bharat

ବିଜେପି ଚାହୁଁଛି ମୁଁ ଲୋକସଭା ନିର୍ବାଚନରେ ପ୍ରଚାର ନକରେ: ଅରବିନ୍ଦ କେଜ୍ରିଓ୍ବାଲ

author img

By ETV Bharat Odisha Team

Published : Jan 4, 2024, 2:43 PM IST

CM Kejriwal targets BJP: ମଦ ଦୁର୍ନୀତି ମାମଲାରେ ବିଜେପି ଉପରେ ବର୍ଷିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ମୁଁ ଲୋକସଭା ନିର୍ବାଚନରେ ପ୍ରଚାର ନକରେ ବୋଲି ବିଜେପି ଚାହୁଁଥିବା ଅଭିଯୋଗ ଆଣିଲେ ଅରବିନ୍ଦ କେଜ୍ରିଓ୍ବାଲ। ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇଡି ଗିରଫ କରିବା ନେଇ ଚର୍ଚ୍ଚା ହେଉଥିବା ବେଳେ, ଭିଡିଓ ଜାରି କରି ମୁହଁ ଖୋଲିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ଲୋକସଭା ନିର୍ବାଚନ ପୂର୍ବରୁ ମୋ ଭାବମୂର୍ତ୍ତିକୁ ବଦନାମ କରିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି କେଜ୍ରିଓ୍ବାଲ । ନିଜର ସ୍ବଚ୍ଛ ଭାବମୂର୍ତ୍ତି ଉପରେ କହିବା ସହ ସେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି । ମୋ ଉପରେ ଭୁଲ ଆରୋପ ଲଗାଇ ମୋତେ ବିଜେପି ବଦନାମ କରିବାକୁ ଚାହୁଁଛି ଓ ଲୋକସଭା ନିର୍ବାଚନରେ ମୁଁ କେମିତି ପ୍ରଚାର ନକରେ ତାହା ବିଜେପି ଚାହୁଁଛି ବୋଲି କହିଛନ୍ତି କେଜ୍ରିଓ୍ବାଲ ।

କେଜ୍ରିଓ୍ବାଲ ଆହୁରି ମଧ୍ୟ କହିଛନ୍ତି , " ଲୋକସଭା ନିର୍ବାଚନରେ ମୁଁ ପ୍ରଚାର କରେ, ତାହା ବିଜେପି ଚାହୁଁ ନାହିଁ । ଗତ ଦୁଇ ବର୍ଷ ହେଲା ମଦ ଦୁର୍ନୀତି ମାମଲାରେ ତଦନ୍ତ ଚାଲିଛି । କିନ୍ତୁ ଲୋକସଭା ନିର୍ବାଚନ 2 ମାସ ପୂର୍ବରୁ ମୋତେ ସମନ କରାଯାଉଛି । ଏହା ପୂର୍ବରୁ କାହିଁକି ସମନ କରାଗଲା ନାହିଁ । 8 ମାସ ପୂର୍ବରୁ ସିବିଆଇ ମୋତେ ସମନ କରିଥିଲା । ସିବିଆଇରେ ହାଜର ହୋଇ ମୁଁ ସବୁ ପ୍ରଶ୍ନର ମୁଁ ଉତ୍ତର ରଖିଥିଲି । କିନ୍ତୁ ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ମୋତେ ଏବେ ସମନ କରାଯାଉଛି । ମୋତେ ପଚରା ଉଚରା କରିବା ବିଜେପିର ଉଦ୍ଦେଶ୍ୟ ନୁହଁ, ବରଂ ପଚରାଉଚରା ବାହାନାରେ କେଜ୍ରିଓ୍ବାଲଙ୍କୁ ସମନ କର ଓ ତାଙ୍କୁ ଗିରଫ କର । ଯେମିତି କି ମୁଁ ଲୋକସଭା ନିର୍ବାଚନରେ ପ୍ରଚାର କରିପାରିବି ନାହିଁ । ମୋର ସବୁଠୁ ବଡ ସମ୍ପତ୍ତି ହେଉଛି ମୋର ସଚ୍ଚୋଟତା । ମୋତେ ବଦନାମ କରିବାକୁ ଚେଷ୍ଟା କରାଯାଉଛି। "

ଏହା ମଧ୍ୟ ପଢନ୍ତୁ-ଆଜି କେଜ୍ରିଓ୍ବାଲଙ୍କୁ ଗିରଫ କରିପାରେ ଇଡି: ଆପ୍ ମନ୍ତ୍ରୀ

କେଜ୍ରିଓ୍ବାଲ କହିଛନ୍ତି ''ମଦ ଦୁର୍ନୀତି ମାମଲାରେ ଇଡି ଜାରି କରିଥିବା ସମନ ନୋଟିସ ବେଆଇନ ଅଟେ । ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି । ମୋର ସହଯୋଗୀ ମନୀଷ ସିସୋଦିଆ ଓ ସଞ୍ଜୟ ସିଂ ଜେଲରେ ଅଛନ୍ତି । ଉଭୟ ବିଜେପିରେ ଯୋଗ ଦେବାକୁ ମନା କରିବାରୁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଏହା ବିଜେପିର ଗୁଣ୍ଡାଗିରି । ଯଦି ଆମେ ଦୁର୍ନୀତିରେ ଲିପ୍ତ ଥାଆନ୍ତୁ ତେବେ ବିଜେପିରେ ମିଶିଯାଇଥାନ୍ତୁ। ଆମେ ସେମାନଙ୍କ ସାମ୍ନା କରିବାକୁ ସମର୍ଥ, କାରଣ ଆମେ ଗୋଟିଏ ପଇସା ପାଇଁ ଦୁର୍ନୀତି କରିନାହୁଁ । ''

ଦିଲ୍ଲୀ ସିଏମ୍ ଆହୁରି ମଧ୍ୟ କହିଛନ୍ତି, "ମୋର ନିଶ୍ୱାସ ଓ ରକ୍ତ ଦେଶ ପାଇଁ । ମୁଁ ଲଢ଼େଇ କରୁଛି, ଆପଣଙ୍କର ସମର୍ଥନ ମୋର ଦରକାର। ବିଜେପି ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଧରାଉନାହିଁ, ସିବିଆଇ ଏବଂ ଇଡିର ଭୟ ଦେଖାଇ ସେମାନଙ୍କୁ ବିଜେପିର ସାମିଲ କରୁଛି। ଏହାର ଅନେକ ଉଦାହରଣ ମଧ୍ୟ ରହିଛି । ବିଜେପିରେ ମିଶିବା ପରେ ସମସ୍ତ ମାମଲାର ରଫାଦଫା ମଧ୍ୟ କରି ଦିଆଯାଇଛି । ଚତୁର୍ଥ ଥର ପାଇଁ କେଜ୍ରିଓ୍ବାଲଙ୍କୁ ଇଡି ସମନ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.