ETV Bharat / bharat

ପରସ୍ପରର ସାଥୀରେ ଚୀନ-ପାକିସ୍ତାନ, ଭାରତ ଏବେ ଅସୁରକ୍ଷିତ: ରାହୁଲ

author img

By

Published : Dec 25, 2022, 7:49 PM IST

ପୂର୍ବରୁ ଭାରତର ଶତ୍ରୁ ଭାବେ ଚୀନ ଓ ପାକିସ୍ତାନ ଅଲଗା ଥିଲେ । ମାତ୍ର ଏବେ ଏହି ୨ ଶତ୍ରୁ ରାଷ୍ଟ୍ର ଏକାଠି ହୋଇଛନ୍ତି । ଯଦି ଯୁଦ୍ଧ ହୁଏ ତେବେ ଏହି ୨ ରାଷ୍ଟ୍ର ସହ ହେବ । ଏହି ୨ ରାଷ୍ଟ୍ର ଗୁପ୍ତଭାବେ ଭାରତ ସହିତ ଯୁଦ୍ଧ ଲାଗି ପ୍ରସ୍ତୁତ ହେଉଛନ୍ତି । ଫଳରେ ଭାରତ ଏବେ ଅସୁରକ୍ଷିତ (India is now extremely vulnerable) ବୋଲି କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ (Congress MP Rahul Gandhi) । ଅଧିକ ପଢନ୍ତୁ

Rahul Gandhi
Rahul Gandhi

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡ଼ ଯାତ୍ରା (Bharat Jodo Yatra) ଏବେ ଜାତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି । ଏହି ଅବସରରେ ଅବସରପ୍ରାପ୍ତ ଆର୍ମୀ ଅଫିସରଙ୍କ ସହିତ ଆଲୋଚନା ବେଳେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏବେ ଆମର ୨ ପଡ଼ୋଶୀ ତଥା ଶତ୍ରୁ ରାଷ୍ଟ୍ର ଚୀନ ଓ ପାକିସ୍ତାନ ପରସ୍ପରର ସାଥୀରେ ଅଛନ୍ତି । ଯଦି ଯୁଦ୍ଧ ହୁଏ ତେବେ ୨ ପଡୋଶୀ ରାଷ୍ଟ୍ର ବିରୋଧରେ ହେବ । ସେତେବେଳେ ଭାରତ ଅନେକ କ୍ଷତି ସହିବ ବୋଲି କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ (Congress MP Rahul Gandhi) ।

ସେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଏନେଇ ଏକ ଭିଡିଓ ସେୟାର କରି କହିଛନ୍ତି (Rahul Gandhi on war) ଯେ, ଯଦି ଯୁଦ୍ଧ ହୁଏ ଉଭୟ ଚୀନ ଓ ପାକିସ୍ତାନ ବିରୋଧରେ ହେବ । ସେତେବେଳେ ଭାରତ ବହୁ କ୍ଷତିଗ୍ରସ୍ତ ହେବ । ଭାରତ ଏବେ ଅସୁରକ୍ଷିତ ରହିଛି । ସେ ପୂର୍ବତନ ସଶସ୍ତ୍ର ସେନା ବାହିନୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, "ଯବାନଙ୍କୁ ମୁଁ ଖାଲି ସମ୍ମାନ କରେ ନାହିଁ, ବରଂ ସେମାନଙ୍କ ପ୍ରତି ମୋର ପ୍ରେମ ଓ ସ୍ନେହଭାବ ରହିଛି । ଆପଣମାନେ ଏହି ଦେଶକୁ ଶତ୍ରୁ କବଳରୁ ରକ୍ଷା କରୁଛନ୍ତି । ଆପଣଙ୍କ ବିନା ଦେଶର ଅସ୍ତିତ୍ବ ନାହିଁ ।"

ଏହା ବି ପଢନ୍ତୁ- India-China face off: ଚୋରି ପରେ ଚୀନର ସିନା ଜୋରି, ସଂଘର୍ଷ ପାଇଁ ଭାରତୀୟ ସେନାକୁ ଦାୟୀ କଲା ଡ୍ରାଗନ

ଚୀନ ଓ ପାକିସ୍ତାନକୁ ନେଇ ରାହୁଲ କହିଛନ୍ତି, "ପୂର୍ବରୁ ଆମର ୨ ଶତ୍ରୁ ଚୀନ ଓ ପାକିସ୍ତାନ ରହିଥିଲେ । ଆମର ଲକ୍ଷ୍ୟ ଥିଲା ସେମାନଙ୍କୁ ଅଲଗା ରଖିବା । ପ୍ରଥମରୁ କୁହାଯାଉଥିଲା ୨ ଫ୍ରଣ୍ଟଙ୍କ ସହିତ ଯୁଦ୍ଧ ହେବା ଅନୁଚିତ । ଏହାପରେ କୁହାଗଲା ଭାରତ ୨ ଓ ଅଧା ଫ୍ରଣ୍ଟ (ଚୀନ, ପାକିସ୍ତାନ ଓ ଆତଙ୍କବାଦ) ସହିତ ଯୁଦ୍ଧ କରୁଛି । ମାତ୍ର ଏବେ ଏମାନେ ଗୋଟିଏ ଫ୍ରଣ୍ଟ ଅର୍ଥାତ ଚୀନ ଓ ପାକିସ୍ତାନ ଏକାଠି ହୋଇଯାଇଛନ୍ତି । ଯଦି ଏବେ ଯୁଦ୍ଧ ହେବ ତେବେ ଏହି ୨ ରାଷ୍ଟ୍ର ସହିତ ହେବ । ସେମାନେ ଏବେ ମିଳିତ ଭାବେ ମିଲିଟାରୀ ଓ ଅର୍ଥନୀତି ଲାଗି କାମ କରୁଛନ୍ତି ।"

ଏହା ବି ପଢନ୍ତୁ- ଚୀନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି, ସରକାର ଲୁଚାଉଛନ୍ତି ସତ: ରାହୁଲ

କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ରାହୁଲ କହିଛନ୍ତି, "୨୦୧୪ ମସିହା ପରେ ଭାରତର ଅର୍ଥନୈତିକ ବ୍ୟବସ୍ଥା ଭୁଶୁଡି ପଡ଼ିଛି । ଆମ ଦେଶରେ ଏବେ ବିଶୃଙ୍ଖଳା, ଯୁଦ୍ଧ, ଦ୍ବନ୍ଦ୍ବ ଓ ଘୃଣାଭାବ ରହିଛି । ଚୀନ ଓ ପାକିସ୍ତାନ ସହ ଯୁଦ୍ଧ ଲାଗି ଆମ ମାନସିକତା ଏବେ ପୃଥକ ରହିଛି । ହେଲେ ସେଠାରେ ଚୀନ ଓ ପାକିସ୍ତାନ ଉଭୟ ଆମ ପାଇଁ ଏକ ଆଶ୍ଚର୍ଯ୍ୟଜନକ ପରିସ୍ଥିତି ସୃଷ୍ଟି କରିବା ଲାଗି ପ୍ରସ୍ତୁତି କରୁଛନ୍ତି । ଭାରତ ବର୍ତ୍ତମାନ ଅତ୍ୟନ୍ତ ଅସୁରକ୍ଷିତ । ସେଥିପାଇଁ ମୁଁ ବାରମ୍ବାର କହୁଛି ଯେ ସରକାର ଚୁପ୍ ରହିପାରିବେ ନାହିଁ । ସୀମାରେ ଯାହା ଘଟିଛି ତାହା ଦେଶର ଲୋକଙ୍କୁ କହିବା ଉଚିତ୍ । ଯଦି ଆମେ ଶୀଘ୍ର କାର୍ଯ୍ୟ କରୁନାହୁଁ, ତେବେ ଏକ ବଡ଼ କ୍ଷତି ହେବ । ଅରୁଣାଚଳ ଏବଂ ଲଦାଖ ସୀମାରେ କ'ଣ ଘଟୁଛି ସେ ନେଇ ମୁଁ ଅତ୍ୟଧିକ ଚିନ୍ତିତ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.