ETV Bharat / bharat

ରାଜ୍ୟପାଳଙ୍କୁ ଭେଟିଲେ ବିଷ୍ଣୁଦେବ ସାଏ, ଖୁବଶୀଘ୍ର ଶପଥ ଗ୍ରହଣ କାର୍ଯ୍ୟସୂଚୀ

author img

By ETV Bharat Odisha Team

Published : Dec 10, 2023, 6:59 PM IST

Chhattisgarh CM-designate Vishnu Deo Sai meets Governor: ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ରାଜ୍ୟପାଳଙ୍କୁ ଭେଟିଲେ ବିଷ୍ଣୁଦେବ ସାଏ । ଖୁବଶୀଘ୍ର ଆସିବ ଶପଥ ଗ୍ରହଣ ସମାରୋହ କାର୍ଯ୍ୟସୂଚୀ । ଅଧିକ ପଢନ୍ତୁ

ରାଜ୍ୟପାଳଙ୍କୁ ଭେଟିଲେ ବିଷ୍ଣୁଦେବ ସାଏ, ସରକାର ଗଠନ ପାଇଁ କଲେ ଦାବି
ରାଜ୍ୟପାଳଙ୍କୁ ଭେଟିଲେ ବିଷ୍ଣୁଦେବ ସାଏ, ସରକାର ଗଠନ ପାଇଁ କଲେ ଦାବି

ରାୟପୁର: ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହେବା ପରେ ଛତିଶଗଡର ଭାବି ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଆଜି ଅପରାହ୍ନରେ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ରାଜଭବନରେ ସାକ୍ଷାତ କରିଛନ୍ତି । ଗଣତାନ୍ତ୍ରିକ ପରମ୍ପରା ଅନୁସାରେ, ସଂଖ୍ୟା ବହୁମତର ପ୍ରମାଣ ସହ ସେ ସରକାର ଗଠନ କରିବାକୁ ରାଜ୍ୟପାଳଙ୍କ ନିକଟରେ ଔପଚାରିକ ଭାବେ ଦାବି କରିଛନ୍ତି । ତେବେ ତାଙ୍କ ପ୍ରସ୍ତାବିତ ସମୟ ସହ ରାଜଭବନ ତାଙ୍କୁ ସରକାର ଗଠନ କରିବାକୁ ଓ ଶପଥ ଗ୍ରହଣ କରିବାକୁ ନିମନ୍ତ୍ରଣ କରିବ ।

3 ତାରିଖରେ ଅନ୍ୟ 3 ରାଜ୍ୟ ସହ ଛତିଶଗଡ଼ରେ ପ୍ରକାଶ ପାଇଥିବା ଜନାଦେଶରେ ବିଜେପି ବହୁମତ ହାସଲ କରିଛି । ଏହାର ଦୀର୍ଘ ଏକ ସପ୍ତାହ ପରେ ଆଜି ଦଳ ମୁଖ୍ୟମନ୍ତ୍ରୀ ଚୟନ କରିଛି । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ନବନିର୍ବାଚିତ ବିଧାୟକମାନେ ସାଏଙ୍କୁ ବିଧାୟକ ଦଳ ନେତା ଭାବେ ସର୍ବସମ୍ମତି କ୍ରମେ ଚୟନ କରିଛନ୍ତି । ତେବେ ଖୁବଶୀଘ୍ର ଶପଥ ଗ୍ରହଣ କାର୍ଯ୍ୟସୂଚୀ ମଧ୍ୟ ସାମ୍ନାକୁ ଆସିବାକୁ ଯାଉଛି ।

1964 ମସିହା ଫେବୃଆରୀ 21 ତାରିଖରେ ଜନ୍ମଗ୍ରହଣ କରିଥିବା ସାଏ, ରାଜ୍ୟର ଜଣେ ପ୍ରମୁଖ ଆଦିବାସୀ ଚେହେରା । ଉଭୟ ସଂସଦ ଓ ବିଧାନସଭାକୁ ସେ ଏକାଧିକ ଥର ନିର୍ବାଚିତ ହୋଇସାରିଛନ୍ତି । କେନ୍ଦ୍ରମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ସମ୍ଭାଳିବାର ଅନୁଭବ ତାଙ୍କର ରହିଛି । ସେହିପରି ସେ ସାଙ୍ଗଠନିକ ଭାବେ ମଧ୍ୟ ଗୁରୁଦାୟିତ୍ବ ତୁଲାଇଛନ୍ତି । 2020 ରୁ 2022 ପର୍ଯ୍ୟନ୍ତ ସେ ରାଜ୍ୟ ବିଜେପି ସଭାପତି ମଧ୍ୟ ଥିଲେ । ଚଳିତ ଥର ବିଧାନସଭା ନିର୍ବାଚନରେ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ପରିବର୍ତ୍ତେ ଦଳଗତ ଆଧାରରେ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଓ ଗ୍ୟାରେଣ୍ଟିକୁ ମୁଦ୍ଦା କରି ନିର୍ବାଚନ ଲଢିଥିଲା । କଂଗ୍ରେସକୁ କ୍ଷମତାରୁ ହଟାଇ ଦଳ ବହୁମତ ପାଇବା ପରେ ନୂଆ ଚେହେରା ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଲାଗି ରହିଥିଲା । ଏହାରି ମଧ୍ୟରେ ଆଜି ଅପରାହ୍ନରେ ରାୟପୁର ଦଳୀୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକରେ ବିଷ୍ଣୁଦେବ ସାଏଙ୍କୁ ବିଧାୟକ ଦଲ ନେତା ଚୟନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :- ବିଷ୍ଣୁଦେବ ସାଏଙ୍କ ନାମରେ ମୋହର, ଧରିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମଙ୍ଗ

ଚଳିତ ଥରର ଫଳାଫଳ:-

90 ଆସନ ବିଶିଷ୍ଟ ଛତିଶଗଡ଼ରେ ଚଳିତ ଥର ଦୁଇଟି ପର୍ଯ୍ୟାୟ ନଭେମ୍ବର 7 ଓ 17 ତାରିଖରେ ପର୍ଯ୍ୟାୟ କ୍ରମିକ ଭୋଟଗ୍ରହଣ ହୋଇଥିଲା । ଏଥିରେ କଂଗ୍ରେସ ସରକାର କ୍ଷମତା ବଜାୟ ରଖିବା ନେଇ ଏକାଧିକ ଏକଜିଟ୍‌ ପୋଲ୍‌ ଆକଳନ କରିଥିଲେ ସୁଦ୍ଧା, ତାହା ଭୁଲ ପ୍ରମାଣିତ ହୋଇ ରାଜ୍ୟରେ କ୍ଷମତା ପରବର୍ତ୍ତନ ହୋଇଥିଲା । ଭାରତୀୟ ଜନତା ପାର୍ଟି 54 ଆସନ ସହ ବହୁମତ ପାଇଛି । କଂଗ୍ରେସ 35 ଆସନ ସହ ବିରୋଧୀ ଆସନରେ ରହିଛି । ତେବେ 3 ତାରିଖରେ ଫଳାଫଳ ପ୍ରକାଶ ପାଇବାର ପ୍ରାୟ ସପ୍ତାହେ ପରେ ଆଜି ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ସସପେନ୍ସରୁ ପରଦା ହଟିଛି । ଖୁବଶୀଘ୍ର ଦଳ ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.