ETV Bharat / bharat

ଦିଲ୍ଲୀ ସରକାର ପୁଣି କ୍ଷମତା ଶୂନ୍ୟ, ଅଧ୍ୟାଦେଶ ଆଣିଲେ କେନ୍ଦ୍ର ସରକାର

author img

By

Published : May 19, 2023, 11:03 PM IST

Updated : May 20, 2023, 6:53 AM IST

ନିଯୁକ୍ତି ଓ ବଦଳି ନେଇ ଦିଲ୍ଲୀ ସରକାରଙ୍କ କ୍ଷମତା ଉପରେ ଅଧ୍ୟାଦେଶ ଆଣିଲ କେନ୍ଦ୍ର । ପୂର୍ବଭଳି ବଦଳି ଓ ନିଯୁକ୍ତି ଉପରେ ଉପରାଜ୍ୟପାଳଙ୍କ ଅଧିକାର ରହିବ । ଅଧିକ ପଢନ୍ତୁ

ଅଧ୍ୟାଦେଶ ଆଣିଲେ କେନ୍ଦ୍ର ସରକାର
ଅଧ୍ୟାଦେଶ ଆଣିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ କ୍ଷମତାକୁ ନେଇ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ନୂଆ ମୋଡ ନେଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କରିଛନ୍ତି କେନ୍ଦ୍ର ସରକାର । ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ସମ୍ପର୍କିତ ସୁପ୍ରିମକୋର୍ଟଙ୍କ ରାୟ ପରେ ଗତକାଲି କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଆଣିଛନ୍ତି । ଅଧ୍ୟାଦେଶ ବଳରେ ଦିଲ୍ଲୀରେ ପୂର୍ବଭଳି ବଦଳି ଓ ନିଯୁକ୍ତି ଉପରେ ଉପରାଜ୍ୟପାଳଙ୍କ ଅଧିକାର ରହିବ । ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଏକାକୀ ନିଷ୍ପତ୍ତି ନେଇପାରିବେ ନାହିଁ । ଅର୍ଥାତ୍ କେନ୍ଦ୍ର ସରକାର ଅଧ୍ୟାଦେଶ ମାଧ୍ୟମରେ ଦିଲ୍ଲୀ ସରକାରଙ୍କ ସବୁ କ୍ଷମତା ପୁଣିଥରେ ଉପରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି ।

  • Centre brings out ordinance notifying rules for GNCTD regarding ‘transfer posting, vigilance and other incidental matters’ pic.twitter.com/Mk2KgIOa0E

    — ANI (@ANI) May 19, 2023 " class="align-text-top noRightClick twitterSection" data=" ">

କେନ୍ଦ୍ରର ଅଧ୍ୟାଦେଶ ଜରିଆରେ ରାଜଧାନୀରେ ସରକାରୀ ଅଧିକାରୀଙ୍କ ନିଯୁକ୍ତି, ବଦଳି ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅଥରିଟି ଗଠନ କରାଯିବ । ଏଥିରେ ମୁଖ୍ୟ ଶାସନ ସଚିବ ଏବଂ ଗୃହ ବିଭାଗର ପ୍ରମୁଖ ସଚିବ ସଦସ୍ୟ ରହିବେ । ଏହି ଅଥରିଟି ବିଭିନ୍ନ ପ୍ରସଙ୍ଗରେ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ ଉପରାଜ୍ୟପାଳଙ୍କ ସୁପାରିଶ ପାଇଁ ପଠାଇବେ । ଉପରାଜ୍ୟପାଳ ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବେ । ଏନେଇ କୌଣସି ମତଭେଦ ହେଲେ ଉପରାଜ୍ୟପାଳଙ୍କ ନିଷ୍ପତ୍ତିକୁ ହିଁ ଚୂଡାନ୍ତ ବୋଲି ଧରାଯିବ । ମିଳିଥିବା ସୂଚନା ଅନୁସାରେ, ଏହି ଅଧ୍ୟାଦେଶକୁ ଆଇନରେ ପରିଣତ କରିବେ କେନ୍ଦ୍ର ସରକାର । ଏଥିପାଇଁ ଆଗାମୀ ସଂସଦ ଅଧିବେଶନରେ କେନ୍ଦ୍ର ସରକାର ସଂସଦରେ ଏକ ବିଲ ଆଣିବେ ।

ଏହାମଧ୍ୟ ପଢନ୍ତୁ: Centre Vs Delhi Govt Row: ଦିଲ୍ଲୀରେ କିଙ୍ଗ୍ କେଜ୍ରିୱାଲ, ଅଧିକାରୀ ନିଯୁକ୍ତି ନିଷ୍ପତ୍ତି ନେବେ ଦିଲ୍ଲୀ ସରକାର

ଏଠାରେ ଉଲ୍ଲେଖଯୋଗ୍ୟ, ରାଜଧାନୀରେ କ୍ଷମତାକୁ ନେଇ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ବିବାଦ ଚାଲିଥିଲା । ଗତ ସପ୍ତାହରେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଇଥିଲେ । ସର୍ବୋଚ୍ଚ ଅଦାଲତ କହିଥିଲେ ଯେ, କେବଳ ଜମି, ସାଧାରଣ ବ୍ୟବସ୍ଥା ଓ ପୋଲିସ ବ୍ୟତୀତ ଅନ୍ୟ ସମସ୍ତ ପ୍ରଶାସନିକ ସେବା ଉପରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିବ । ନିର୍ବାଚିତ ସରକାର ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ । ତେଣୁ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳିର ଅଧିକାର ନିର୍ବାଚିତ ସରକାରଙ୍କ । ନିର୍ବାଚିତ ସରକାର ହିଁ ନିଷ୍ପତ୍ତି ନେବେ । ଉପରାଜ୍ୟପାଳଙ୍କୁ ସରକାରଙ୍କ ନିଷ୍ପତ୍ତି ମାନିବାକୁ ପଡିବ । ସୁପ୍ରିମକୋର୍ଟଙ୍କ ଏହି ରାୟ ଯାହାକି କେଜ୍ରିୱାଲ ସରକାରଙ୍କ ପାଇଁ ବଡ ବିଜୟ ହୋଇଥିଲା । କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି କେନ୍ଦ୍ର ସରକାର ଏବେ ଅଧ୍ୟାଦେଶ ଆଣିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 20, 2023, 6:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.