ETV Bharat / bharat

UAEରୁ 47 ଥର ଲଗଇନ ହୋଇଛି ମୋଇତ୍ରାଙ୍କ ID, 6-4 ଆନୁପାତିକ ବହୁମତରେ ଏଥିକ୍ସ କମିଟିର ଡ୍ରାଫ୍ଟ ଗୃହୀତ

author img

By ETV Bharat Odisha Team

Published : Nov 9, 2023, 7:27 PM IST

UAE ରୁ ଅନଧିକୃତ ବ୍ୟବହାରକାରୀଙ୍କ ଦ୍ବାରା 47 ଥର ଲଗଇନ ହୋଇଛି ମୋଇତ୍ରାଙ୍କ ସାଂସଦ ID । 6-4 ଅନୁପାତିକ ବହୁମତରେ ଡ୍ରାଫ୍ଟ ପାରିତ କଲା ଏଥିକ୍ସ କମିଟି । ଆସନ୍ତାକାଲି ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ କରାଯିବ ଦାଖଲ । ଅଧିକ ପଢନ୍ତୁ

Cash-for-query: UAE ରୁ 47 ଥର ଲଗଇନ ହୋଇଛି ମୋଇତ୍ରାଙ୍କ ID, 6-4 ଅନୁପାତିକ ବହୁମତରେ ଡ୍ରାଫ୍ଟ ପାରିତ କଲା ଏଥିକ୍ସ କମିଟି
Cash-for-query: UAE ରୁ 47 ଥର ଲଗଇନ ହୋଇଛି ମୋଇତ୍ରାଙ୍କ ID, 6-4 ଅନୁପାତିକ ବହୁମତରେ ଡ୍ରାଫ୍ଟ ପାରିତ କଲା ଏଥିକ୍ସ କମିଟି

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ କ୍ୟାସ ଫର କ୍ବାରୀ ମାମଲାରେ ଆଜି ସଂସଦ ଏଥିକ୍ସ କମିଟି ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଡ୍ରାଫ୍ଚ ଗୃହୀତ କରିଛି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମହୁଆଙ୍କର ସାଂସଦ ଲଗଇନ ଡିଟେଲ୍ସ ବ୍ୟବହାର କରାଯାଇ UAE ରୁ 47 ଥର ସଂସଦ ଓ୍ବେବସାଇଟରେ ଲଗଇନ୍‌ କରାଯାଇଥିବା ଏଥିକ୍ସ କମିଟି ନିଜ ଡ୍ରାଫ୍ଟରେ ଦର୍ଶାଇଛି । ବିଦେଶରେ ଏହି ଲଗଇନ ଅନଧିକୃତ ବ୍ୟକ୍ତିଙ୍କ ଦ୍ବାରା କରାଯାଇଛି । ତେଣୁ ଏହା ମହୁଆଙ୍କର ଅନୈତିକ ଆଚରଣ ବୋଲି କମିଟି ରିପୋର୍ଟରେ ଦର୍ଶାଇଛି । ଆଜି ଏହି ଡ୍ରାଫ୍ଟ 6-4 ଆନୁପାତିକ ବହୁମତରେ ଗୃହୀତ ହୋଇଛି । 6 ଜଣ ସଦସ୍ୟ ମହୁଆଙ୍କ ବିରୋଧରେ ଆଗତ ଡ୍ରାଫ୍ଟକୁ ସମର୍ଥନ କରିଥିଲେ । ଏମାନଙ୍କ ମଧ୍ୟରେ କଂଗ୍ରେସ ସାଂସଦ ପରିଣିତି କୌର ମଧ୍ୟ ରହିଛନ୍ତି ।

ସେହିପରି ପ୍ୟାନେଲର ଅନ୍ୟ 4 ସଦସ୍ୟ ଏହି ଡ୍ରାଫ୍ଟକୁୁ ନେଇ ଆପତ୍ତି ଉଠାଇବା ତଦନ୍ତ ପ୍ରକ୍ରିୟାରେ ନିରପେକ୍ଷତା ନଥିବା ଅଭିଯୋଗ କରିଥିଲେ । ସେମାନେ ଏହି ମାମଲା ସହ ଅଭିଯୋଗ ପରିସରରେ ଥିବା ଶିଳ୍ପପତି ଦର୍ଶନ ହୀରାନନ୍ଦାନୀଙ୍କୁ ସମନ କରିବା ପାଇଁ ଦାବି କରିଥିଲେ । ଏହା ସହ ପ୍ୟାନେଲର ସଦସ୍ୟ ଥିବା ଅନ୍ୟତମ ବିରୋଧୀ ସାଂସଦ ଡାନିଶ ଅଲ୍ଲୀ ମଧ୍ୟ ପ୍ୟାନେଲ ପ୍ରୋସିଡିଂ ଅଧ୍ୟକ୍ଷ ସୋନକାର ଓ ଅନ୍ୟ ବିଜେପି ସଦସ୍ୟଙ୍କ ଦ୍ବାରା ଲିକ ହୋଇଥିବା ଅଭିଯୋଗ କରିଛନ୍ତି ।

ତେବେ ଡ୍ରାଫ୍ଟ ରିପୋର୍ଟରେ ଉଲ୍ଲେଖ ଥିବା ତଥ୍ୟ ସମ୍ପର୍କରେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମହୁଆ ବର୍ଷ 2019 ରୁ 2023 ମଧ୍ୟରେ 4 ଥର ୟୁଏଇ ଗସ୍ତ କରିଛନ୍ତି । ତାଙ୍କ ଲଗଇନ ୟୁଜର ଆଇଡି ଓ ପାସଓ୍ବାର୍ଡ ପ୍ରାୟ 47 ଥର ସେଠାରୁ ବ୍ୟବହାର ହୋଇଛି । ଯାହା ଅନଧିକୃତ ବ୍ୟବହାରକାରୀଙ୍କ ଦ୍ବାରା କରାଯାଇଛି । ଡ୍ରାଫ୍ଟ ସମ୍ପର୍କରେ କମିଟି ଅଧ୍ୟକ୍ଷ ବିନୋଦ ସୋନକାର କହିଛନ୍ତି, ଏହି ଡ୍ରାଫ୍ଟ ଆସନ୍ତାକାଲି (ଶୁକ୍ରବାର) ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ ଦାଖଲ କରାଯିବ । କମିଟିର ସୁପାରିଶ ଉପରେ ବାଚସ୍ପତି ବିଚାର କରି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ।

ଏହା ମଧ୍ୟ ପଢନ୍ତୁ:- Cash for Query row: ପ୍ୟାନେଲ ଅଧ୍ୟକ୍ଷ ଓ ବିଜେପି ସଦସ୍ୟ ପ୍ରୋସିଡିଂ ଲିକ୍‌ କରିଥିବା ଡାନିଶଙ୍କ ଅଭିଯୋଗ

ତେବେ ଏହି ମାମଲାରେ ପ୍ରଥମେ ପ୍ରଥମେ ବିଜେପି ସାଂସଦ ନିଶିକାନ୍ତ ଦୁବେ ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ । ପରେ ଏହି ମାମଲା ଏଥିକ୍ସ କମିଟି ତଦନ୍ତ ପରିସରକୁ ଆସିଥିଲା । ଅନ୍ୟ ଏକ ରୋଚକ କଥା ହେଉଛି, ଅଭିଯୋଗକାରୀ ବିଜେପି ସାଂସଦ ନିଶିକାନ୍ତ ଦୁବେ, ଆଇନଜୀବୀ ଜୟଅନନ୍ତ ଦେହାଦ୍ରାଇ ଓ ସାଂସଦ ମହୁଆ ମୋଇତ୍ରା ଏଥିକ୍ସ କମିଟିରେ ହାଜର ହୋଇ ସାରିଥିବା ବେଳେ ଶିଳ୍ପପତି ଦର୍ଶନ ହୀରାନନ୍ଦାନୀଙ୍କୁ ଏପର୍ଯ୍ୟନ୍ତ ପ୍ୟାନେଲ ସମନ କରିନି । ଯାହାକୁ ନେଇ ବିରୋଧୀ ସଦସ୍ୟ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏବେ ଡ୍ରାଫ୍ଟ ରିପୋର୍ଟ ବାଚସ୍ପତିଙ୍କ ନିକଟରେ ପହଞ୍ଚିବା ପରେ ସେ ହିଁ ମୋଇତ୍ରାଙ୍କ ସଦସ୍ୟତା ରଦ୍ଦ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.