ETV Bharat / bharat

ଡ୍ରୋନରେ ଭାରତକୁ ନିଶା ଚାଲାଣ ଯୋଜନା ପଣ୍ଡ; ୫ କେଜି ହେରୋଇନ ଜବତ

author img

By ETV Bharat Odisha Team

Published : Nov 26, 2023, 1:17 PM IST

ପଞ୍ଜାବ ସୀମାରେ ଉଡୁଥିବା ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲା ବିଏସ୍‌ଏଫ୍‌ । ଏହି ଡ୍ରୋନ୍‌ରେ ହେଉଥିଲା ହେରୋଇନ ଚାଲାଣ । ଅଧିକ ପଢ଼ନ୍ତୁ

ପଞ୍ଜାବରେ ପାକିସ୍ତାନୀ ଡ୍ରୋନ ଠାବ
ପଞ୍ଜାବରେ ପାକିସ୍ତାନୀ ଡ୍ରୋନ ଠାବ

ଅମୃତସର: ଭାରତ ସୀମାରେ ବାରମ୍ବାର ଉଡୁଛି ପାକିସ୍ତାନୀ ଡ୍ରୋନ୍‌ । ପଡ଼ୋଶୀ ପାକିସ୍ତାନ ଏହି ଡ୍ରୋନ ସାହାଯ୍ୟରେ ପଞ୍ଜାବ ସୀମା ଦେଇ ଭାରତକୁ ନିଶାଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ଚାଲାଣ କରୁଛି । ତେବେ ଅନେକ ଥର ସୀମା ସୁରକ୍ଷା ବଳର ଯବାନ ଡ୍ରୋନଗୁଡିକୁ ନଷ୍ଟ କରୁଥିବା ବେଳେ ପଡୋଶୀ ଦେଶ ନିଜର ପ୍ରକୃତି ଛାଡୁନି । ଆଜି(ରବିବାର) ଭୋର୍ ସମୟରେ ପୁଣିଥରେ ପାକିସ୍ତାନ ପଟୁ ଗୋଟିଏ ଡ୍ରୋନ ବିପୁଳ ପରିମାଣର ଡ୍ରଗ୍ସ ନେଇ ଭାରତ ସୀମାରେ ପ୍ରବେଶ କରିଥିବା ବେଳେ ବିଏସଏଫ ଯବାନମାନେ ଏହାକୁ ଗୁଳି କରି ଖସାଇଛନ୍ତି । ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ ସହ ୫ କେଜି ୨୪୦ ଗ୍ରାମ ହେରୋଇନ ଜବତ କରାଯାଇଛି ।

ପଞ୍ଜାବ ସୀମାରେ ମୁତୟନ ବିଏସଏଫ ଏକ୍ସରେ ସୂଚନା ଦେଇଛି ଯେ, ଆଜି ଭୋରରୁ ଗୋଟିଏ ପାକିସ୍ତାନ ଡ୍ରୋନ୍‌ ଭାରତର ବାୟୁସୀମାରେ ପ୍ରବେଶ କରିଥିଲା । ଅମୃତସର ଜିଲ୍ଲାର ଚକ୍ ଅଲ୍ଲା ବାକସ୍ ଗ୍ରାମ ନିକଟରେ ଡ୍ରୋନଟି ଉଡୁଥିଲା । ଏହାଦେଖି ଯବାନମାନେ ଡ୍ରୋନ ଉପରକୁ ଗୁଳି ଚଳାଇ ଖସାଇ ଦେଇଥିଲେ । ଏହାପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯିବାରୁ ଗୋଟିଏ ପିସ୍ତଲ, ଦୁଇଟି ମାଗାଜିନ, ୨୦ଟି ଅଫୁଟା ଗୁଳି ଏବଂ ୫ କେଜିରୁ ଅଧିକ ହେରୋଇନ ଜବତ କରାଯାଇଥିଲା । ଏହାସହିତ ପାକିସ୍ତାନର ସୀମାପାର ନିଶା ଓ ଅସ୍ତ୍ରଶସ୍ତ୍ର ଚାଲାଣର ଆଉ ଏକ ଯୋଜନା ବିଏସଏଫ୍ ପଣ୍ଡ କରିଦେଇଛି ।

ଏହା ମଧ୍ୟ ପଢନ୍ତୁ: ଦ୍ବିତୀୟ ଦିନରେ ରଜୌରୀ ଏନକାଣ୍ଟର: 5 ଶହୀଦ, 2 ଆତଙ୍କୀ ନିପାତ

ବିଏସଏଫ ତଥ୍ୟ ଅନୁଯାୟୀ, ତେବେ ଚଳିତ ବର୍ଷ ଜାନୁୟାରୀ ୧ରୁ ଅକ୍ଟୋବର ୩୧ ତାରିଖ ମଧ୍ୟରେ ଭାରତ ସୀମାରୁ ମୋଟ ୬୯ଟି ପାକିସ୍ତାନୀ ଡ୍ରୋନ ଠାବ ହୋଇଛି । ରାଜସ୍ଥାନ, ପଞ୍ଜାବ ଏବଂ ଜମ୍ମୁ ସୀମାରୁ ଏହି ଡ୍ରୋନଗୁଡିକୁ ଜବତ କରାଯାଇଛି । ସେଥିମଧ୍ୟରୁ ପଞ୍ଜାବ ସୀମାରୁ ସର୍ବାଧିକ ୬୦ଟି ଡ୍ରୋନ୍‌ ଠାବ ହୋଇଛି । ଗତ ଅକ୍ଟୋବରରେ ମୋଟ ୨୧ ଡ୍ରୋନ୍‌ ଜବତ କରାଯାଇଥିବା ବେଳେ ତା' ଭିତରୁ ପଞ୍ଜାବରୁ ୧୯ଟି ଏବଂ ରାଜସ୍ଥାନ ସୀମାରୁ ୨ଟି ମିଳିଥିଲା । ୨୦୨୦ ଜାନୁୟାରୀ ୧ରୁ ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ବିଏସଏଫ ଯବାନ ସମୁଦାୟ ୯୩ଟି ପାକିସ୍ତାନ ଡ୍ରୋନ ଠାବ କରିଛନ୍ତି ।

ଏହାମଧ୍ୟରୁ କିଛି ଡ୍ରୋନକୁ ୩,୩୨୩ କିଲୋମିଟର ଲମ୍ବ ଭାରତ-ପାକିସ୍ତାନ ସୀମାରେ ମୁତୟନ ଥିବା ବିଏସଏଫ ଯବାନମାନେ ଗୁଳି କରି ଖସାଇଥିଲେ । ରାଜ୍ୟ ପୋଲିସର ସମନ୍ବୟରେ ଗୁଇନ୍ଦା ସୂଚନା ଆଧାରରେ ପାକିସ୍ତାନର ଏହି ନିଶା ଚାଲାଣ ଯୋଜନା ପଣ୍ଡ କରାଯାଇଛି । ପାକିସ୍ତାନୀ ତସ୍କରମାନେ ଏହି ଡ୍ରୋନରେ ୫୦୦ରୁ ୧ କେଜି ଯାଏଁ ହେରାଇନ ଭାରତକୁ ଚୋରା ଚାଲାଣ କରିଥାଆନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.