ETV Bharat / bharat

Bihar caste census: ଟ୍ରାନ୍ସଜେଣ୍ଡରଙ୍କୁ ମିଳିପାରିବନି ଭିନ୍ନ ଜାତିର ମାନ୍ୟତା, ମାମଲା ଖାରଜ କଲେ ସର୍ବୋଚ୍ଚ କୋର୍ଟ

author img

By ETV Bharat Odisha Team

Published : Oct 16, 2023, 7:38 PM IST

ବିହାର ଜାତିଭିତ୍ତିକ ଜନଗଣନାରେ ଟ୍ରାନ୍ସଜେଣ୍ଡରଙ୍କୁ ଭିନ୍ନ ଜାତିର ମାନ୍ୟତା ଦାବିରେ ମାମଲା । ମାମଲା ଖାରଜ କଲେ ସର୍ବୋଚ୍ଚ କୋର୍ଟ । ଅଧିକ ପଢନ୍ତୁ

Bihar caste census: ସର୍ବୋଚ୍ଚ କୋର୍ଟରେ ଟ୍ରାନ୍ସଜେଣ୍ଡରଙ୍କ ଆବେଦନ ଖାରଜ
Bihar caste census: ସର୍ବୋଚ୍ଚ କୋର୍ଟରେ ଟ୍ରାନ୍ସଜେଣ୍ଡରଙ୍କ ଆବେଦନ ଖାରଜ

ପାଟନା/ନୂଆଦିଲ୍ଲୀ: ବିହାର ସରକାର ନିକଟରେ ଶେଷ କରିଥିବା ଜାତିଭିତ୍ତିକ ଜନଗଣନାରେ ଟ୍ରାନ୍ସଜେଣ୍ଡରଙ୍କୁ ଭିନ୍ନ ଜାତିର ମାନ୍ୟତା ଦେବା ନେଇ ହୋଇଥିବା ଏକ ଆବେଦନକୁ ଆଜି ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଟ୍ରାନ୍ସଜେଣ୍ଡର କୌଣସି ଏକ ଜାତି ନୁହେଁ ବୋଲି ଟିପ୍ପଣୀ ସହ ସୁପ୍ରିମକୋର୍ଟ ମାମଲାକୁ ଖାରଜ କରିଛନ୍ତି । ଶୁଣାଣିରେ ଖଣ୍ଡପୀଠ କହିଛନ୍ତି ଯେ, ଟ୍ରାନ୍ସଜେଣ୍ଡରମାନଙ୍କୁ ସରକାର ଆବଶ୍ୟକ ସ୍ଥଳେ ପୃଥକ ସୁବିଧା ଦେଇପାରନ୍ତି, କିନ୍ତୁ ଏହାକୁ ଏକ ଭିନ୍ନ ଜାତି ବୋଲି ବର୍ଣ୍ଣନା କରାଯାଇପାରିବ ନାହିଁ ।

ଆବେଦନରେ କ’ଣ ଦାବି କରିଥିଲେ ଟ୍ରାନ୍ସଜେଣ୍ଡର ?

ନିକଟରେ ବିହାର ସରକାର ଦେଶର ପ୍ରଥମ ରାଜ୍ୟ ଭାବେ ଜାତିଭିତ୍ତିକ ଜନଗଣନା ଶେଷ କରି ରିପୋର୍ଟ ପ୍ରକାଶ କରିଥିଲେ । ଯାହାର ପ୍ରଭାବ ଏବେ ଜାତୀୟ ସ୍ତରରେ ମଧ୍ୟ ଅନୁଭୂତ ହେବାରେ ଲାଗିଛି । ଏହି ରିପୋର୍ଟରେ ରାଜ୍ୟରେ ବସବାସ କରୁଥିବା ବିଭିନ୍ନ ଜାତି ବର୍ଗର ତଥ୍ୟ ସାମ୍ନାକୁ ଆସିଥିଲା । ହେଲେ ଟ୍ରାନ୍ସଜେଣ୍ଡରଙ୍କୁ ଭିନ୍ନ ଏକ ଜାତି ଭାବେ ମାନ୍ୟତା ଦେବା ଦାବିରେ ଏହି ଆବେଦନକାରୀଜଣକ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କିନ୍ତୁ କୋର୍ଟ ସେମାନଙ୍କୁ ଭିନ୍ନ ଜାତିର ମାନ୍ୟତା ପ୍ରଦାନ କରାଯାଇ ପାରିବ ନାହିଁ କହିବା ସହ ମାମଲାର ଶୁଣାଣିର ଆବଶ୍ୟକତା ନଥିବା କହିଥିଲେ । ପୂର୍ବରୁ ଏହି ମାମଲାର ଶୁଣାଣି ହାଇକୋର୍ଟରେ ମଧ୍ୟ ଖାରଜ ହୋଇଥିଲା । ଟ୍ରାନ୍ସଜେଣ୍ଡରଙ୍କୁ ଏକ ଜାତି ନୁହେଁ ବରଂ ଗୋଷ୍ଠୀ ବୋଲି ହାଇକୋର୍ଟ କହିଥିଲେ ।

ବିହାର ଜାତିଭିତ୍ତିକ ଜନ ଗଣନାରେ ଟ୍ରାନ୍ସଜେଣ୍ଡରଙ୍କ ସଂଖ୍ୟା:

ଚଳିତ (ଅକ୍ଟୋବର) 2 ତାରିଖରେ ବିହାରରେ ନୀତିଶ କୁମାରଙ୍କ ବହୁଚର୍ଚ୍ଚିତ ଜାତିଭିତ୍ତିକ ଜନଗଣନା ରିପୋର୍ଟ ଉପସ୍ଥାପିତ ହୋଇଥିଲା । ଏହି ରିପୋର୍ଟରେ, ରାଜ୍ୟର ମୋଟ ଲୋକସଂଖ୍ୟା ପ୍ରାୟ 13 କୋଟି ବୋଲି ଦର୍ଶାଯାଇଥିବା ବେଳେ ଟ୍ରାନ୍ସଜେଣ୍ଡରଙ୍କ ସଂଖ୍ୟା ମାତ୍ର 825 ବୋଲି କୁହାଯାଇଥିଲା । ଯାହା ସୂଚୀ ସ୍ତମ୍ଭ 22ରେ ରଖାଯାଇଥିଲା । ଏହି ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଟ୍ରାନ୍ସଜେଣ୍ଡରଙ୍କ ଆନୁପାତିକ ଜନସଂଖ୍ୟା ମାତ୍ର 0.0006 ପ୍ରତିଶତ ଭାବେ ଦର୍ଶାଯାଇଛି । ତେବେ ଏହାକୁ ଭୁଲ ରିପୋର୍ଟ ବୋଲି ଟ୍ରାନ୍ସଜେଣ୍ଡରଙ୍କ ଏକ ଗୋଷ୍ଠୀ କହିଥିଲା ।

ଏହା ମଧ୍ୟ ପଢନ୍ତୁ:- Cash for questions: ସତ ହେଇଥିଲେ ଲଜ୍ଜାଜନକ କହିଲେ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର, ଜବାବ ରଖିଲେ ମୋଇତ୍ରା

2011 ଜନଗଣନାରେ ବିହାରରେ ଟ୍ରାନ୍ସଜେଣ୍ଡରଙ୍କ ସଂଖ୍ୟା 42 ହଜାର ଥିଲା, କିନ୍ତୁ ଏଥର ଏହା 825 କେମିତି ହେଲା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଟ୍ରାନ୍ସଜେଣ୍ଡରଙ୍କ ଏକ ଗୋଷ୍ଠୀ । ଟ୍ରାନ୍ସଜେଣ୍ଡରକୁ ଏକ ଅଲଗା ଜାତି ଭାବେ ଅନ୍ତର୍ଭୁକ୍ତ କରିବାକୁ ଆବେଦନକାରୀ କୋର୍ଟରେ ଦାବି କରିଥିଲେ । ପୃଥକ ଜାତି ଭାବରେ ଟ୍ରାନ୍ସଜେଣ୍ଡରକୁ ଗ୍ରହଣ କରିବାକୁ ମନା କରି ପାଟନା ହାଇକୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ତାହା ମଧ୍ୟ ଆଜି ସମାନ ଟିପ୍ପଣୀ ସହ ଖାରଜ ହୋଇଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.