ETV Bharat / bharat

CM Race: କିଏ ହେବ କର୍ଣ୍ଣାଟକ କିଙ୍ଗ୍‌ ? ଜନ୍ମଦିନରେ ଶିବକୁମାରଙ୍କୁ ଉପହାର ଦେବ କି କଂଗ୍ରେସ

author img

By

Published : May 15, 2023, 10:55 AM IST

Updated : May 15, 2023, 11:24 AM IST

କିଏ ହେବ କର୍ଣ୍ଣାଟକ ନୂଆ ମୁଖ୍ୟମନ୍ତ୍ରୀ । ଏନେଇ କଂଗ୍ରେସର ମାନସ ମନ୍ଥନ ଚାଲିଛି । ମୁଖ୍ୟମନ୍ତ୍ରୀ ରେସରେ ଥିବା ଦୁଇ ହେବିୱେଟ ଡିକେ ଶିବକୁମାର ଓ ସିଦ୍ଦରମୈୟା ଆଜି ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବା ନେଇ ସମ୍ଭାବନା ରହିଛି । ଅଧିକ ପଢନ୍ତୁ

karnataka cm
ଦିଲ୍ଲୀରେ ହାଇକାଣ୍ଡଙ୍କୁ ଭେଟିବେ ଡିକେ ଶିବକୁମାର - ସିଦ୍ଧରମୈୟା

ହାଇଦ୍ରାବାଦ: କର୍ଣ୍ଣାଟକ ତ କଂଗ୍ରେସର ହୋଇଗଲା । ହେଲେ ଦଳ ପାଇଁ ଏବେ ବି ଟେନସନ ରହିଛି । କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ନା ସିଦ୍ଦରମୈୟା ଏ ନେଇ କଂଗ୍ରେସର ମାନସମନ୍ଥନ ଚାଲିଛି । କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ଏବେ ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ରେସରେ ଦୁଇ ହେବିୱେଟ ନେତା ଡିକେ ଶିବକୁମାର ଓ ସିଦ୍ଦରମୈୟା ରହିଛନ୍ତି । ଦୁଇଜଣଙ୍କ ମଧ୍ୟରୁ କାହାକୁ ମିଳିବ ମୁଖ୍ୟମନ୍ତ୍ରୀ ଗାଦି ଏହା ସ୍ଥିର କରିବା ସର୍ବପୁରାତନ ଦଳ କଂଗ୍ରେସ ପାଇଁ କାଠିକର ପାଠ ହୋଇଛି ।

ଗତକାଲି (ରବିବାର) ବେଙ୍ଗାଲୁରୁ ଏକ ବୈଠକ ବସିଥିଲା । ତଥାପି ନିଷ୍କର୍ସ ବାହାରି ପାରି ନଥିଲା । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନୂଆ ମୁଖ୍ୟମନ୍ତ୍ରୀ ବାଛିବେ ବୋଲି କଂଗ୍ରେସ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହାରି ଭିତରେ ଦୁଇ ନେତା ଡିକେ ଶିବକୁମାର ଓ ସିଦ୍ଦରମୈୟା ଅଲଗା ଅଲଗା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ଆଜି (ସୋମବାର) ଭେଟିବେ ବୋଲି ସମ୍ଭାବନା ରହିଛି ।

ଡିକେ ଶିବକୁମାର ଓ ସିଦ୍ଦରମୈୟା ଦିଲ୍ଲୀରେ ଶୀର୍ଷ ନେତାଙ୍କୁ ଭେଟିବା ପୂର୍ବରୁ ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀ ଚୟନ ନେଇ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟି ଆଲୋଚନା କରିବେ । ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ସମେତ ଅନ୍ୟ ପର୍ଯ୍ୟବେକ୍ଷକ ଏବଂ ଦଳର ମୁଖପାତ୍ର ରଣଦୀପ ସୁରଜେୱାଲା ସେମାନଙ୍କ ମତାମତ ପ୍ରକାଶ କରିବେ ବୋଲି ଆଶା କରାଯାଉଛି । କର୍ଣ୍ଣାଟକ ନୂଆ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ରବିବାର ବେଙ୍ଗାଲୁରୁ ସାଙ୍ଗ୍ରି ଲା ହୋଟେଲରେ ବିଧାୟକ ଦଳ ବୈଠକ ବସିଥିଲା । ବୈଠକରେ ସବୁ ବିଧାୟକଙ୍କ ସମେତ ଦୁଇ ମୁଖ୍ୟମନ୍ତ୍ରୀ ଦାବିଦାର ଡିକେ ଶିବକୁମାର ଓ ସିଦ୍ଦରମୈୟା ଯୋଗ ଦେଇଥିଲେ ।

ବୈଠକରେ ଏକ ସଂକଳ୍ପ ପାରିତ ହୋଇଥିଲା ଯେଉଁଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମୁଖ୍ୟମନ୍ତ୍ରୀ ବାଛିବାକୁ ନିଷ୍ପତ୍ତି ହୋଇଥିଲା । ମଲ୍ଲିକାର୍ଜୁନ ଖଡଗେଙ୍କ ଉପରେ ଦାୟିତ୍ବ ଛାଡିଥିଲେ ବିଧାୟକ । ବୈଠକରେ ଉପସ୍ଥିତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏହି ପାରିତ ସଂକଳ୍ପ ପତ୍ର ହାଇକମାଣ୍ଡଙ୍କ ପାଖକୁ ପଠାଇ ଦେଇଛନ୍ତି । ତେବେ କିଏ କର୍ଣ୍ଣାଟକ ନୂଆ ମୁଖ୍ୟମନ୍ତ୍ରୀ ହେବ ତାହା ଉପରେ ସମସ୍ତଙ୍କ ନଜର ରିହିଛି । ଆଜି ଡିକେ ଶିବକୁମାରଙ୍କ ଜନ୍ମଦିନ ହୋଇଥିବାକୁ ତାଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ଗାଦି ଜନ୍ମଦିନ ଉପହାର ଭେଟି ଦେଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

କର୍ଣ୍ଣାଟକରେ କଂଗ୍ରେସ ଅଦ୍ଭୂତପୂର୍ବ ବିଜୟରେ ଦୁଇ ପ୍ରମୁଖ ନେତା ସିଦ୍ଦରମୈୟା ଏବଂ ସିସିସି ସଭାପତି ଡିକେ ଶିବକୁମାରଙ୍କ ଭୂମିକା ଯଥେଷ୍ଟ ରହିଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ସିଦ୍ଧରମୈୟାଙ୍କ ପଲ୍ଲା ଭାରି ରହିଛି । ପୂର୍ବତମ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଜଣେ ପଛୁଆ ବର୍ଗ ନେତା ଭାବେ ସଂଖ୍ୟାଲଘୁ ଏବଂ ଦଳିତ ଶ୍ରେଣୀର ନେତୃତ୍ବ ନେଇ ନିର୍ବାଚନରେ ପରାକାଷ୍ଠା ଦେଖାଇଛନ୍ତି । ଅଭିଜ୍ଞ ସିଦ୍ଧରମୈୟାଙ୍କ ପଛରେ ଅଧିକ ବିଧାୟକଙ୍କ ସମର୍ଥନ ରହିଥିଲା କୁହାଯାଉଛି । ସେପଟେ ଡିକେ ଶିବକୁମାରଙ୍କର ଭୂମିକାକୁ ମଧ୍ୟ ଏଡାଇ ଦିଆଯାଇ ନପାରେ । ଶିବକୁମାର ପିସିସି ଅଧ୍ୟକ୍ଷ ଅଛନ୍ତି । ସେ ଅଷ୍ଟମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଓ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ ବୋଲି ଚର୍ଚ୍ଚା ହେଉଛି ।

କିଏ ମୁଖ୍ୟମନ୍ତ୍ରୀ ହେବ ଦଳ କାହାକୁ ଦାୟିତ୍ବ ଦେବ ତାହା ତ ଭିନ୍ନ କଥା । ମାତ୍ର ଏହାରି ଭିତରେ ଦୁଇ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ କର୍ଣ୍ଣାଟକରେ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ 'ପୋଷ୍ଟର ୱାର' ହୋଇଛି । ଦୁଇ ଦାବିଦାର ସିଦ୍ଦରମୈୟା ଓ ଶିବକୁମାର ସମର୍ଥକମାନଙ୍କ ଦ୍ବାରା ବିଭିନ୍ନ ପୋଷ୍ଟର ଲଗାଯାଇ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦର୍ଶାଯାଉଛି । ମୁଖ୍ୟମନ୍ତ୍ରୀ ଚୟନ ପ୍ରସଙ୍ଗରେ ବିଧାୟକ ଦଳ ବୈଠକକୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ପଠାଯାଇଛି । ସେମାନଙ୍କଠୁ ରିପୋର୍ଟ ଆସିବା ପରେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବା ତାହା ଉପରେ ନିଷ୍ପତ୍ତି ନିଆଯିବ ।

ଏହା ବି ପଢନ୍ତୁ...Congress CLP meeting: ବାହାରି ପାରିଲା ନାହିଁ ନିଷ୍କର୍ସ, ଖଡଗେ ବାଛିବେ ମୁଖ୍ୟମନ୍ତ୍ରୀ

ଏହା ବି ପଢନ୍ତୁ...କଂଗ୍ରେସ ପାଇଁ ବିଜୟଠୁ କଠିନ ହେବ ମୁଖ୍ୟମନ୍ତ୍ରୀ ଚୟନ ! ଲବିରେ ଦୁଇ ହେଭିଓ୍ବେଟ

ପ୍ରକାଶଥାଉ କି, ମେ 13 ତାରିଖରେ 224 ଆସନରେ ହୋଇଥିବା କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା । କଂଗ୍ରେସ 135 ଆସନରେ ବିଜୟୀ ହୋଇ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । କଂଗ୍ରେସର ଭୋଟ ସେୟାର 42.88 ରହିଥିଲା । ବିଜେପିକୁ 66ଟି ଆସନ ମିଳିଥିବା ବେଳେ ଜେଡିଏସକୁ 19ଟି ଆସନ ମିଳିଥିଲା । ଗତ ମେ 10 ତାରିଖରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା ।

Last Updated : May 15, 2023, 11:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.